ସତ୍ଯବାଦୀ ବ୍ଳକରେ ପିଠା ଯୋଜନାର ଶୁଭାରମ୍ଭ କଲେ ଜିଲ୍ଲାପାଳ
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକରେ ଗୋଟିଏ ଦିନରେ ଚାରୋଟି ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଦୁଗଲ ଗ୍ରାମ ପଞ୍ଚାୟତରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଠା କାର୍ଯ୍ୟକମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ସଭାରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକ କିପରି ସଠିକ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିବ ପାରିବ ପାଇଁ ଓ ଜନସଚେତନତା କରିବା ପାଇଁ ପିଠା ଯୋଜନା ଏକ ମାଧ୍ୟମ ବୋଲି ଜିଲ୍ଲାପାଳ କହିଥିଲେ । ଶେଷରେ ପିଠା କାର୍ଯ୍ୟକ୍ରମରେ ପିଠା କରିଥବା ମହିଳା ଗୋଷ୍ଠୀ ମାନଙ୍କ ଷ୍ଟଲ ବୁଲିକି ଦେଖିଥଲେ । ସେହିପରି ମହୁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ‘ପିଠା’ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଏଡିଏମ ବିନୟ କୁମାର ଦାଶ ଓ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ଳକ ପ୍ରଶାସନ ଠାରୁ ଜନ ପ୍ରତିନିଧି ଓ ଜନ ସାଧାରଣ ଆଗେଇ ଆସିବା ପାଇଁ ଅତିଥି ମାନେ କହିଥିଲେ । ନୂତନ କରି ଭର୍ତ୍ତା ଓ ରାଶନ କାର୍ଡ, ଆର୍ଥକ ପ୍ରୋସହନ ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବିଭିନ୍ନ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ପିଠା କାର୍ଯ୍ୟକ୍ରମରେ ପିଠା ପ୍ରଦର୍ଶନୀ ବେଶ ଆକର୍ଷଣ ସାଜିଥିଲା । ଏଡିଏମ ପିଜେ ପିଠା ଷ୍ଟଲ ବୁଲିବା ସହ ପିଠା ମାନଗୁଣ ପରିଖିଥିଲେ । ଏହି ଅବସରରେ ବିଡିଓ ଡ. ଗୌରବ ମୟ ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସରପଞ୍ଚ ନିରଞ୍ଜନ ମାହାରୀ ଅନୁଷ୍ଠିତ ସଭାରେ ସାଭପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଖଣ୍ଡୀ ସରପଞ୍ଚ ବାସନ୍ତୀ ବେହେରା, ବିଦ୍ୟାଧରପୁର ସରପଞ୍ଚ ରଶ୍ମିତା ପ୍ରଧାନ, କେତକି ପାଟଣା ସମିତି ସଭ୍ୟ ମମତା ଭୋଇ ଓ ମହିଳା ଗୋଷ୍ଠିର ସଭାନେତ୍ରୀ ପ୍ରତିମା ବରାଳଙ୍କ ସହ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି