ବେଆଇନ କରତକଳ ଉପରେ ଚଡାଉ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବିଲିପଡା ଗ୍ରାମରେ ଦୀର୍ଘ ଦିନ ଧରି ନଡିଆ ବଗିଚାରେ ବେଆଇନରେ ଚାଲୁଥିବା କରତକଳକୁ ଆଜି ସକାଳେ ପୁରୀ ଜଙ୍ଗଲ ବିଭାଗ ପକ୍ଷରୁ ଚଡାଉ କରାଯାଇଛି । କାଠ ଓ କରତ କଳର ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି, ମଟର ଆଦି ଜବତ କରି ନେଇଯାଇଥିବା ଜଣାପଡିଛି । ପୁରୀ ଡିଏପଓଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଡଉ କରାଯାଇଥିଲା । ଏହି ଚଡଉରେ କୋଣାର୍କ ୱାଇଲ୍ଡ ଲାଇଫଡଭିଜନ, ବାଲିଖଣ୍ଡ ଜଙ୍ଗଲ ବିଭାଗ, ଗୋପ ଓ ବ୍ରହ୍ମଗିରିର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ୨୦ଜଣ ବନ୍ଧୁକ ଧାରୀ ପୋଲିସ ଏହି ଚଡାଉରେ ସାମିଲ ହୋଇଥିଲେ । କରତକଳର ବିଭିନ୍ନ ଯନ୍ତ୍ରାଂସ ମାନ ଜବତ କରିବା ସହ ସେଠାରେ ଥିବା ବିଭିନ୍ନ କାଠ ଗୁଡିକ ଜବତ କରାଯାଇଥିବା ଜଣାପଡିଛି । ଜଙ୍ଗଲ ବିଭାଗର ଅଧିକାରୀଙ୍କ ଠାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ଦୁଇ ଜଣ ଯୁବକ ଭାଗରେ ଏହି ବେଆଇନ କରତକଳ ଏକ ନଡିଆ ବଗିଚାରେ କରିଥିଲେ । ସେମାନେ ବିଶେଷ କରି ରାତିରେ କରତକଳ ଚାଲଉଥିଲେ ବୋଲି ଜଣାପଡିଛି । ଏ ସମ୍ପର୍କରେ ପୁରୀ ଜିଲ୍ଲା ବନବିଭାଗର ଡିଏପଓଙ୍କୁ ପଚାରିବାରୁ ସେ କହନ୍ତି ମୋ ପାଖରେ କିଛି ତଥ୍ୟ ନାହିଁ ମୁଁ ଜାଣିନାହିଁ । ଜିଲ୍ଲାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜଦି ଏଭଳି ପିଲାଙ୍କ ଭଳି ମନ୍ତବ୍ୟ ଦେବେ ତା ହେଲେ ଅନ୍ୟ ଅଧିକାରୀ ମାନେ କରିବେ କ’ଣ ବୋଲି ସାଧାରଣରେ ଆଲେଚନା ହେଉଛି । ଏହି କରତ କଳ ଚଡାଉ ସମୟରେ କେତେକ ଅଧିକାରୀ ଫୋନ ଯୋଗେ କଥା ବାର୍ତ୍ତା ହେଉଥିବାର ଦେଖାଯାଇଥିଲା । ମାତ୍ର ସ୍ଥାନୀୟ ଲୋକମାନେ କହନ୍ତି ଅଧିକାରୀଙ୍କ ସହିତ କାଠ ମିଲରଙ୍କ ଭଲ ସମ୍ପର୍କ ଥିଲା । ମାତ୍ର ମାସିକିଆ ପାଉଣା ନ ମିଳିବାରୁ ଆଜି ଚଡାଉ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି