ବେରବୋଇ ଠାରେ ପଦଯାତ୍ରୀ ଦଳଙ୍କୁ ଶଙ୍କ ହୁଳହୁଳିରେ ସ୍ବାଗତ
ଡେଲାଙ୍ଗ--- ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଜଟଣୀ ବରିଷ୍ଠ ନାଗରିକ ସେବାସଂଘ ପକ୍ଷରୁ ରବିବାର ଜଟଣୀ ଗାନ୍ଧୀ ପାର୍କ ଠାରୁ ପଦଯାତ୍ରା ବାହାରି ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠ ଠାରେ ପହଞ୍ଚିଥିଲା । ବେରବୋଇ ଠାରେ କସ୍ତୁରବା ଗ୍ରାମ ସେବା କେନ୍ଦ୍ରର ମୁଖ୍ୟ ପରିଚାଳିକା କବିତା ରାଣୀ ପରିଡା ଓ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ଭାରତୀ ଚମ୍ପତି, ବନିତା ଦାସ, ସିତା ରାଣୀ ପାଲଟାସିଂହ, ମମତା ଛାଟୋଇସ୍ୱର୍ଣ୍ଣମୟୀ ଜେନା ପ୍ରମୁଖ ପଦଯାତ୍ରୀ ଦଳଙ୍କୁ ଫୁଲତୋଡା ଦେବା ସହ ଦୀପ, ଦୁବ, ବରକୋଳି ପତ୍ର, ହୁଳହୁଳି ଓ ଶଙ୍ଖ ପୁଙ୍କିବା ସହ ମୁଣ୍ଡରେ ଚନ୍ଦନଟିପା ଦେଇ ସ୍ୱାଗତ କରିଥିଲେ । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଜଟଣୀ ବରିଷ୍ଠ ନାଗରିକ ସେବାସଂଘର ସଭାପତି ଅବନୀ ରାଉତରାୟଙ୍କ ସହ ଗାନ୍ଧୀ ସ୍ମାରକି କମିଟି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ଉପସ୍ଥିତିରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ପରେ ପରେ ଗାନ୍ଧୀଙ୍କ ପୀଠରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ଡେଲାଙ୍ଗ ଅଞ୍ଚଳର ଗାନ୍ଧୀବାଦୀ ଓ ସମାଜସେବୀ ସହିତ ବିଭିନ୍ନ ସମାଜସେବାରେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଅବନୀ ରାଉତରାୟ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗାନ୍ଧୀ ସ୍ମାରକି କମିଟି ପକ୍ଷରୁ ଆୟୋଜନ କରିଥିବା ବେଳେ ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ସଂଯୋଜନା କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଦୁଇବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନଜର କରି ଆଗାମୀ ଦିନରେ ଡେଲାଙ୍ଗ ଗାନ୍ଧୀ ସ୍ମାରକୀ କମିଟି ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ମିଳିତ ଭାବରେ ଗାନ୍ଧୀଜିଙ୍କ ଶାନ୍ତି ଅହିସାଂ ସହିତ ପ୍ରସାର ପ୍ରଚାର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅବନୀ ରାଉତରାୟ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି