ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ରାମଜୀ ମଠରେ ଥିବା ବିପଦପୂର୍ଣ୍ଣ ଘର ମନ୍ଦିର ପ୍ରଶାସନ ଭାଙ୍ଗିଲା
ସାକ୍ଷୀଗୋପାଳ--- ବହୁ ବର୍ଷ ଧରି ସାକ୍ଷୀଗୋପାଳ ମନ୍ଦିରର ସିଂହଦ୍ୱାର ନିକଟରେ ଥିବା ରାମଜୀ ମନ୍ଦିର ପରିସରରେ ଥିବା କିଛି ଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା । ପ୍ରତିବର୍ଷ ଅଁଳାନବମୀ ଯାତ୍ରା ଆସିଲେ ମନ୍ଦିର ପ୍ରଶାସନ ପକ୍ଷରୁ ବିପଦପୂର୍ଣ୍ଣ ଘର ଉପରେ ଉଠିଥିବା ଗଛ ପତ୍ର ଗୁଡିକ କିଛି ମାତ୍ରାରେ ହାଣି ସଫା କରି ଦେଇ ନିଜ କାମ ସାରି ଦେଇଥାନ୍ତି । ପ୍ରତିବର୍ଷ ଉକ୍ତ ଘର ଭାଙ୍ଗିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ମନ୍ଦିର ପ୍ରଶାସନ ପଛଘୁଞ୍ଚା ଦେଉଥିଲା । ଏ ବର୍ଷ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର ଅଁଳାନବମୀ ପ୍ରଥମ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିବା ବେଳେ ସେବାୟତ ସଘର ସଭାପତି ବିଜୟ କୁମାର ମହାପାତ୍ର ଓ ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ସହ ଅନେକ ସେବାୟତ ଓ ଜନସାଧାରଣ ତୁରନ୍ତ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପାଇଁ ବିଧାୟକଙ୍କ ନିକଟରେ ଦାବି କରିଥିଲେ । ଏହା ସହ ମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଏକ ମଠର ବିପଦପୂର୍ଣ୍ଣ ଘର ଭାଙ୍ଗିବା ପାଇଁ ଦାବି ହୋଇଥିବଲା । ବିଧାୟକ ଶ୍ରୀ ମିଶ୍ର ତୁରନ୍ତ ସତ୍ୟବାଦୀ ତହସିଲଦାର ତଥା ସାକ୍ଷୀଗୋପିନାଥ ଦେବଙ୍କ କାର୍ଯ୍ୟାଳୟ ଅଧିକାରୀ ସନ୍ତୋଷ ପାଣିଗ୍ରାହୀଙ୍କୁ ତୁରନ୍ତ ଉକ୍ତ ଘର ଦୁଇଟିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ସାକ୍ଷୀଗୋପାଳ ମନ୍ଦିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲାଲଟେନ୍ଦୁ ମହାନ୍ତି, ସେବାୟତ ସଂଘର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ମନ୍ଦିର ନିକଟରେ ଥିବା ବିପଦପୂର୍ଣ୍ଣ କୋଠାଘର ଗୁଡିକ ଭଙ୍ଗାଯାଇଛି । ଯାହାକୁ ନେଇ ଜନସାଧାରଣ ସତ୍ୟବାଦୀ ତହସିଲଦାରଙ୍କୁ ସାଧୁବାଦ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୦/୨୦୨୫---୭,୧୦ Sakhigopal News--14/10/2025