ପ୍ରଶାସନ ଓ ବିଧାୟିକାଙ୍କ ପ୍ରତିଶ୍ରୁତି ପାଣିର ଗାର
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକ କୁଲୁଣ୍ଡା ପଞ୍ଚାୟତର କୁଲୁଣ୍ଡା ହାଇସ୍କୁଲ ପରିସରରେ ଗତ ଜୁଲାଇ ୨୧ ତାରିଖରୁ ୧୩ ଟି ପରିବାର ଆଶ୍ରୟ ନେଇଛନ୍ତି । ବନ୍ୟାରେ ୬୦ଜଣ ଅସ୍ତବ୍ୟସ୍ତ ହୋଇପଡିଲେ । ଘରଦ୍ୱାର ସବୁ ଭାଙ୍ଗି ଯିବା ସହ ଧନ ସମ୍ପତ୍ତି ନଷ୍ଠ ହେଲା । ମାତ୍ର କାହାରି ଜୀବନ ହାନୀ ଘଟିନଥିଲା । ବନ୍ୟା ପ୍ରପୀଡିତ ପରିବାର ଲୋକ ମାନଙ୍କୁ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଓବ୍ଳକ ଅଧ୍ୟକ୍ଷଙ୍କ ସହ ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତୁରନ୍ତ କ୍ଷତିପୂରଣ ଦେବାପାଇଁ ପଡାବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସେହି ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ହୋଇଛି । ବନ୍ୟା ସମୟରେ ସାତଦିନ ରନ୍ଦା ଖାଦ୍ୟ ଦେଇଥିଲେ । ଆଉକିଛି ମିଳିଲା ନାହିଁ । ଏ ବିସୟରେ ବ୍ଳକ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କୁ ପଚାରିଲେ ସେମାନେ କହୁଛନ୍ତି ଅପେକ୍ଷା କର । ଅନ୍ୟପକ୍ଷେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ପରିବାର ମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଘର ଖଣ୍ଡିଏ ପାଇଁ ବାରମ୍ବାର ବିଧାୟିକା ଓ ପ୍ରଶାସନ ପାଖୁ ଦୌଡି ଦୌଡି ନିରାଶ ହୋଇ ପଡିଲେଣି । ଜିଲ୍ଲା ପ୍ରଶାସନ ଏହି ୧୩ ଟି ଖଟିଖିଆ ଦିନ ମଜୁରିଆଙ୍କ ପ୍ରତି ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଉଛି । ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିବାର ଗୁଡିକ କହିଛନ୍ତି ଆଗାମୀ ନିର୍ବାଚନ ସମୟରେ ଏହାର ଜବାବ ସଠିକ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବ୍ଳକ ଅଧ୍ୟକ୍ଷା ରୀତା ସାହୁଙ୍କୁ ପଚାରିବାରୁ ସେ କହନ୍ତି ଜାଗା ଚିହ୍ନଟ କରାଯାଉଛି ଘର ଦିଆଯିବ । ଅନ୍ୟପକ୍ଷେ ସ୍ଥାନୀୟ ତହସିଲଦାର ହୃଦାନନ୍ଦ ଅଡ୍ଡା କହନ୍ତି ଉକ୍ତ ପରିବାରଙ୍କୁ କ୍ଷତିପୂରଣ ଦେବାର ବନ୍ଦୋବସ୍ଥ କରାଯାଉଛି । ମାତ୍ର ଏ କଥାକୁ ବନ୍ୟାରେ କ୍ଷତିଗସ୍ତ ହୋଇଥିବା ପରିବାର ମାନେ ପ୍ରଶାସନ ଓ ରାଜନୈତିକ ନେତାଙ୍କର ଏକ ପମ୍ପା ଆବାଜ ବୋଲି କହନ୍ତି ।
ଅତାବିରାରୁ ନବୀନ ଦାଶ