ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଛାତ୍ରଙ୍କୁ ହତ୍ୟା ସନ୍ଦେହନ୍ୟାୟ ଦାବିରେ ରାସ୍ତା ଓ ଥାନା ଘେରାଉ
ଜଟଣୀ : ସ୍ୱାଧୀନତା ଦିବସ ତଥା ଜନ୍ମାଷ୍ଟମୀ ପାଇଁ ଜନସାଧାରଣ ଚଳଚଞ୍ଚଳ ଥିବାବେଳେ ସ୍ଥାନୀୟ ଆରଏମସି ପରିସରରେ ଥିବା ଗୋରୁହାଟ ହନୁମାନ ମନ୍ଦିର ନିକଟରେ ଘଟିଯାଇଛି ଏକ ସୁ ପରିକଳ୍ପିତ ହତ୍ୟାକାଣ୍ଡ। ଯାହାକୁନେଇ ସ୍ଥବ୍ଧ ହୋଇଯାଇଛନ୍ତି ପୁରା ପରିବାର ଓ ଆଖପାଖ ଅଞ୍ଚଳର ବାସିନ୍ଦାମାନେ l ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ଛାତ୍ର l ମୃତ୍ୟୁ ବରଣ କରିଥିବା ଛାତ୍ର ହେଲେ ଜଟଣୀ ଗୋଡ଼ା ଧର୍ମସାଗର ଆଦର୍ଶ ସାହି ଅଂଚଳର ସନାତନ ନାୟକଙ୍କ ସାନ ପୁଅ ସ୍ମୁତି ରଞ୍ଜନ ନାୟକ ଓରଫ ପିଣ୍ଟୁ (୧୯) । ଯିଏକି ଜଟଣୀ କଲେଜର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ l ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପିସିଆର ଗାଡି ଯୋଗେ ରକ୍ତ ଜୁଡୁବୁଡୁ ନିସ୍ତେଜ ଶରୀରକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l ପ୍ରାଥମିକ ତଦନ୍ତ ସମୟରେ ପୁଲିସ ପକ୍ଷରୁ ସେହି ସମୟରେ ଉକ୍ତ ଅଞ୍ଚଳର ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସମୟରେ ପଡ଼ିଥିବା ଏକ ମୋବାଇଲ ଫୋନରୁ ନମ୍ବର ସଂଗ୍ରହ କରାଯାଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା l ଖବର ପାଇ ପରିବାର ଲୋକେ ତୁରନ୍ତ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ l
ମୃତ ପିଣ୍ଟୁଙ୍କ ଶରୀରର ହାତ ଓ ବେକରେ ଗଭୀର କ୍ଷତ ଥିବାରୁ ତାଙ୍କୁ ହତ୍ୟାକରି ପକାଇଦେଥିବା ପ୍ରାଥମିକ ତଦନ୍ତରୁ ଜାଣିପାରିଛି ଜଟଣୀ ପୁଲିସ । ଅନ୍ୟ ପକ୍ଷରେ ଏହି ହତ୍ୟାକାଣ୍ଡ ପଛରେ ଏକ ତ୍ରିକୋଣୀୟ ପ୍ରେମଘଟଣା ଥିବା ମିଳିଥିବା ସୂଚନା ଅନୁସାରେ ପୁଲିସ ସନ୍ଦେହ କରୁଛି l ଘଟଣା ସ୍ଥଳରେ ଜୋନ 3 ଏସିପି, ଥାନାଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଧିକ ତଦନ୍ତ ଜାରି ରଖିଛନ୍ତି l ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପିଣ୍ଟୁ ହତ୍ୟାକାଣ୍ଡ ଉପରୁ ପରଦା ଉଠିବ ସେ ନେଇ ଅଧିକ ତଦନ୍ତ କରୁଛି ଜଟଣୀ ପୋଲିସ l ତେବେ ପ୍ରାଥମିକ ସ୍ତରରେ ଘଟଣା ଘଟିବା ସମୟରେ ଉକ୍ତ ଅଞ୍ଚଳକୁ ଏକ ଆକ୍ଟିଭା ସ୍କୁଟିରେ ଦୁଇ ତିନିଜଣ ଆସିଥିଲେ ବୋଲି ଶୁଣିବାକୁ ମିଳିଛି l ତେବେ ଏ ବାବଦରେ ମୃତ ପିଣ୍ଟୁଙ୍କ ବାପାଙ୍କ କହିବା ଅନୁଯାଇ ଦିନ ପ୍ରାୟ 1:20 ମିନିଟ ସମୟରେ ପୁଅର ଜଣେ ସାଙ୍ଗ ଘରକୁ ଆସି ଡାକିଥିଲେ,ତାପରେ ସେ ବାହାରି ଚାଲିଯାଇଥିଲା l ସେମାନେ ଏ ବାବଦରେ ପ୍ରାୟ ଦୁଇଟା ପରେ ଖବର ପାଇଥିଲେ l ଅନ୍ୟପକ୍ଷରେ ପରିବାର ଲୋକେ ସନ୍ଧ୍ୟା ସମୟରେ ରାସ୍ତା ଅବରୋଧ କରିବା ସହିତ ଥାନା ଘେରାଉ କରି ଥାନା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ପରିବେଶ ଶୋକାକୁଳ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଥାନାଧିକାରୀ ବିକ୍ଷୋଭ କାରୀଙ୍କ ଗହଣକୁ ଯାଇ ସେମାନଙ୍କ ଦାବି ଅନୁସାରେ ପ୍ରତିଶୃତି ଦେବା ପରେ ପରିସ୍ଥିତିରେ ସୁଧାର ଆସିଥିଲା l ତେବେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ନାବାଳକଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିଲା ବେଳେ ଶନିବାର ସେମାନଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି l ଶନିବାର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପରିଦର୍ଶନ କରି ପାରିପାର୍ଶ୍ଵିକ ସ୍ଥିତିରୁ କିଛି ନମୁନା ସଂଗ୍ରହ କରି ଫେରି ଯାଇଥିବା ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ କହିଛନ୍ତି l
ପୁଲିସ ଏହି ଘଟଣାରେ ବାଛରା ତଳସାହିର ଶୁଭ୍ର ରଞ୍ଜନ ବାରିକ ଓରଫ ପେଣ୍ଡୁ (୧୯) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଥିବା ସୂଚନା ଦିଆଯାଇଛି l ଏ ନେଇ ଥାନାରେ ୩୮୩/୨୫ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ହତ୍ୟାକାଣ୍ଡ ରେ ବ୍ୟବହୃତ ଏକ ଖଣ୍ଡା, ତିନୋଟି ମୋବାଇଲ ଫୋନ ଓ ସ୍କୁଟି ଜବତ କରିଛନ୍ତି l ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ଶ୍ରୀ ବିଶ୍ୱାଳ କହିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୮/୨୦୨୫---୯,୨୫ Sakhigopal News,16/8/2025