ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ
ନୂଆପଡା ---- ପଡୋଶୀ ଛତିଶଗଡ଼ ସୀମାନ୍ତ ପାଟଦରହା ସଂରକ୍ଷିତ ଜଙ୍ଗଲରୁ ନୂଆପଡା ପୋଲିସ ଏସଓଜି,ଡିଭିଏଫ ଓ ସିଆରପିଏଫ ଜବାନ ଙ୍କ ସହାୟତାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛି। ଏନେଇ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାନୁସାରେ ବୋଡେ଼ନ ଥାନା ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ପରିବେଷ୍ଟିତ ପାଟଦରହା ସଂରକ୍ଷିତ ଜଙ୍ଗଲରେ ଏକ ବଡ ଧରଣର ମାଓ କ୍ୟାମ୍ପ ଥିବାର ନୂଆପଡା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।ଖବରକୁ ଆଧାର କରି ପୋଲିସ ଡିଭିଏଫ, ଏସଓଜି ଓ ସିଆରପିଏଫ ଜବାନ ଙ୍କ ସହାୟତାରେ ଗତକାଲି ସକାଳ ୧୦ ଟାରୁ କମ୍ବିଂଗ ଅପରେସନ ଆରମ୍ଭ କରିଥିଲା । ପୋଲିସ କ୍ୟାମ୍ପ ପାଖାପାଖି ଥିବା ସମୟରେ ମାଓବାଦୀଙ୍କ ତରଫରୁ ଗୁଳିଚାଳନା ହୋଇଥିଲା। ଏହାର ଜବାବରେ ଜବାନ ମାନଙ୍କ ତରଫରୁ ପାଲଟା ଗୁଳି ଚାଳନା ହୋଇଥିଲା। ଏହି ଗୁଳିବିମୟରେ ଜବାନ ଙ୍କ ତରଫରୁ ୨୮୪ ରାଉଣ୍ଡ ଗୁଳି ଓ ୨୦ ରାଉଣ୍ଡ ୟୁବିଜିଏଲ ଗ୍ରେନେଡ଼ ମାଡ଼ କରାଯାଇଥିଲା। ଏହି ମାଓ କ୍ୟାମ୍ପଟି ମୁରଲୀ, ସଂଗ୍ରାମ ରେଡି, ଦେବଜୀ, ଜୟରାମ, ଦଶରୁ, ଗୁଡୁ, ଅଞ୍ଜୁ, ପଦ୍ମା, ସଂଗୀତା, ଜନୀଲା, ପାର୍ବତୀ, ସୋନି ଆଦି ଦୁର୍ଦାନ୍ତ ମାଓବାଦୀ ଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା ଏବଂ ଗୁଳିବିନିମୟରେ ସେମାନେ ସାମିଲ ଥିଲେ ବୋଲି ଏସପି ଶ୍ରୀ ଦିବାକର କହିଛନ୍ତି। ଜବାନ ଙ୍କ ପାଲଟା ଆକ୍ରମଣରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ। କ୍ୟାମ୍ପ ଉପରେ କବଜା କରି ଜବାନ ଗୋଟିଏ ଏୟାର ଗନ, ୧୨ ଭୋଲଟର ୫ ଗୋଟି ବ୍ୟାଟେରୀ, ୧୧ ଗୋଟି ଛୁରୀ ଓ ଏପରି ବିପୁଳ ପରିମାଣର ୩୭ ପ୍ରକାରର ମାଓ ସାମଗ୍ରୀ ଜବତ କରିଛନ୍ତି। କମ୍ବିଂ କୁ ଜୋରଦାର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ୨୧୬ ସିଆରପିଏଫବାଟାଲିୟନ ର କମାଣ୍ଡେଣ୍ଟ ରାଜେଶ ବତ୍ସ କହିଛନ୍ତି।
ନୂଆପଡାରୁ ପୁରୋହିତ ସୁନାନୀଙ୍କ ରିପୋର୍ଟ,୧୦/୭/୨୦୨୨ ---୮,୨୦ Sakhigopal News,10/7/2022