ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
ଭଂଜନଗର - ସୁରତ ସୂତାକଳରେ ୩୦ ବର୍ଷ ଧରି କାମ କରୁଥିଲେ ଦୁଇ ଭାଇ। ଏବେ ନିଜ ଗାଁକୁ ଆସି ସୂତାକଳ ବସାଇଲେ । ନିଜେ ମାଲିକ, ନିଜେ ଶ୍ରମିକ ହେଲେ । ଏଣିକି ଆଉ ସୁରତ ଯିବେନି ବୋଲି କଠୋର ନିର୍ଣ୍ଣୟ ନେଲେ । ନିଜେ କାମକରି ରୋଜଗାର କରିବେ, ଅନ୍ୟ ଯୁବକ ମାନଙ୍କୁ ମଧ୍ୟ ନିଯୁକ୍ତି କରି ରୋଜଗାର ଯୋଗାଇଦେବେ । ଏମିତି କିଛି ଲକ୍ଷ ରଖି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିଞ୍ଚଣା ଗାଁର ଦୁଇଭାଇ, ମୁନା ଗୈାଡ ଏବଂ ସୂର୍ଯ୍ୟ ଗୈାଡ ନିଜ ଗାଁ ରେ ସୂତାକଳ ପ୍ରତିଷ୍ଠା କରିଛନ୍ତି । ଗତ କୋଭିଡ୍ ସମୟରୁ, ସେମାନଙ୍କ ଚିନ୍ତାଧାରା ରେ ପରିବର୍ତ୍ତନ ଆସିଲା । ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନିଷ୍ପତ୍ତି ନେଲେ, ଆଉ ସୁରତରେ ନରହି ଗାଁକୁ ଯିବେ । ଜୀବନସାରା ଯାହା ରୋଜଗାର କରିଛନ୍ତି, ସେତିକିରେ ଗାଁରେ ସୂତାକଳ ଟିଏ ବସାଇବେ । ଶେଷରେ ତାହାହିଁ କଲେ । ଗତ କିଛିଦିନ ପୂର୍ବରୁ ସୁରତରୁ ସୂତାକଳର ଯନ୍ତ୍ରାଂଶ ଆଣି, ନିଜ ଗାଁର ଏକ ଭଡାଘରେ ୧୨ ଟି ମେସିନ୍ ବସାଇଲେ । ସୁରତରୁ ଆବଶ୍ୟକ କଞ୍ଚାମାଲ୍ ଆଣିଲେ । ଉତ୍ପାଦନ ସାମଗ୍ରୀ ବିକ୍ରୀ କରିବା ପାଇଁ, ବ୍ୟବସ୍ଥା କଲେ । ଏବେ ଲୁଗାବୁଣା କାର୍ଯ୍ୟ ଆରମ୍ଭ କରିଛନ୍ତି । ପରବର୍ତ୍ତୀ ସମୟରେ ଗାଁ ତଥା ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ମଧ୍ୟ କାମ ଯୋଗାଇ ଦେବାକୁ ଲକ୍ଷ ରଖିଛନ୍ତି, ଦୁଇଭାଇ । ଧିରେ ଧିରେ ଏହାକୁ ସମ୍ପ୍ରସାରଣ କରିବାକୁ ଲକ୍ଷ ରଖିଛନ୍ତି । ମାତ୍ର ସରକାରଙ୍କ ସହାୟତା ମିଳିଲେ ଆଗେଇବେ । ସ୍ଥାନୀୟ ଅଞ୍ଚଳର ଯୁବକ ମାନେ, ଆଉ ଯେପରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେନି, ଏବଂ ନିଜ ଗାଁରେ ରୋଜଗାର ପାଇବେ, ସେଥିପାଇଁ ଉଦ୍ୟମ କରିବେ । ଦୁଇଭାଇଙ୍କ ଏଭଳି ପ୍ରାୟାସକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ ଏବେ ପ୍ରଶଂସା କରିଛନ୍ତି। ତେବେ ଦୁଇଭାଇଙ୍କ ଏଭଳି ପ୍ରୟାସ ପାଇଁ, ରାଜ୍ୟ ସରକାରଙ୍କ ବ୍ୟବସ୍ଥିତ ନିୟମ ପ୍ରକାରେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଏବେ ସବୁଠି ଚର୍ଚ୍ଚା, ସୁରତରେ ସୂତାକଳ ଏବେ ଗାଁକୁ ଫେରିଛି । ଆଖି ପାଖ ଗ୍ରାମର ଯୁବକ, ଯୁବତୀ ମାନେ ଦେଖିବାକୁ ଆସୁଛନ୍ତି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୧/୫/୩୦୨୫---୩,୩୫ Sakhigopal News,31/5/2025