ଦୋଳଯାତ୍ରା ଯାତ୍ରା ପାଇଁ ଗ୍ରାମ ଗୁଡିକ ଉତ୍ସବ ମୁଖର
ସାକ୍ଷୀଗୋପାଳ ---- ଓଡିଶାରେ ପୁର ପଲ୍ଲୀରେ ଦୋଳଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ । ବିଭିନ୍ନ ଯାଗାରେ ବିଭିନ୍ନ ମତ ଅନୁସାରେ ଦୋଳଯାତ୍ରା ପର୍ବ ପାଳିତ ହୋଇଥାଏ । ଫଗୁଦଶମୀ ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଗ୍ରାମ ମାନଙ୍କରେ ଠାକୁର ଦୁଆରି ଭୋଗ ଖାଇବା ସହ ଫଗୁ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଲାଗି କରାଇଥାନ୍ତି । ଠାକୁରଙ୍କୁ ଫଗୁ ପକାଇବା ସହ ଫଗୁ ଖେଳ ଆରମ୍ଭ ହୋଇଯାଇଥାଏ ।ଏପରକି କେତେକ ଗ୍ରାମରେ ଠାକୁର ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରକୁ ପେରିନଥାନ୍ତି । ବିଭିନ୍ନ ଗ୍ରାମରେ ରହି ତାଙ୍କର ଦୈନଦିନ ନୀତିକାନ୍ତି କରାଯିବା ପରେ ଗ୍ରାମ ବୁଲିବା ସହ ଦୁଆରୀ ଭୋଗ ଖାଇଥାନ୍ତି । ବିଶେଷ କରି ଠାକୁରଙ୍କ ପାଖରେ ଶୁଖିଲି ଭୋଗ କରାଯାଇଥାଏ । ଭୋଗ ଭାବେ ଚଣା, ଖଇ, ଛେନା, ପଇଡ, ଗୁଡ ଖଇ, ଚୁଡାଭଜା, କୋରା, ଶାକର, ଫେଣି, ଲଡୁ, କଦଳୀ, ସେଓ, ଅଙ୍ଗୁରୁ ଆଦି ଫଳମୁଳ ସହିତ ଚୁଡାଘଷା , ଆଦି ଭୋଗ କରାଯାଇଥାଏ । ସତ୍ୟବାଦୀ ବ୍ଳକର ଶ୍ରୀରାମଚନ୍ଦ୍ରପୁର ଶାସନରେ ଦୋଳଯାତ୍ରା ସମ୍ପର୍ଣ୍ଣ ଭାବରେ ନିଆରା ପରମ୍ପରା ଭାବେ ପାଳିତ ହୋଇଥାଏ । ଏହି ଦୋଳଯାତ୍ରାକୁ କେତକ ବନ୍ଦୁମିଳନ ବା ଭାଇଚାରାର ଯାତ୍ରା ବୋଲି କହିଥାନ୍ତି । ବାହାରେ ଚାକିରି କରିଥିବା ପୁଅ, ଝିଅ ମାନେ ଛୁଟି ପାଇଥିବାରୁ ଗ୍ରାମକୁ ଆସିଥାନ୍ତି । ଫଗୁଦଶମୀ ଦିନ ଠାରୁ ଠାକୁର ଭୋଗ ଖାଇବା ଆରମ୍ଭ କରିଥିବା ବେଳେ ଠାକୁରଙ୍କ ସହ ନାଗା ବାହାରିଥାନ୍ତି । ଫଗୁଦଶମୀ ଦିନରେ ଗୋଟିଏ ତା ପରଦିନ ଦୁଇଟି, ତାପରିଦିନ ତିନୋଟି ଏହି ପରି ପୂର୍ଣ୍ଣମୀ ଦିନ ନାଗା ଯାତ୍ରା ଭାବରେ ବେଶ ସୁନାମ ରହିଛି ଶ୍ରୀରାମଚନ୍ଦ୍ରପୁର ଶାସନରେ । ଦୋଳପୂର୍ଣ୍ଣମୀ ଅବସରରେ ଗ୍ରାମ ଖଣ୍ଡି ମୁଣ୍ଡରେ କ୍ରୀଡା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ । ଗ୍ରାମରେ ଅପରାହ୍ନରୁ ପ୍ରାୟତ ଆରମ୍ଭ ହୋଇଯାଇଥାଏ ଅଭିର ଖେଳ ବା ହୋଳି ପର୍ବ । ଝିଅଙ୍କ ଠାରୁ ପୁଅ, ବୋହୁ ମାନେ ମଧ୍ୟ ଏଥିରେ ଭାଗ ନେବାକୁ ପଛାଇନଥାନ୍ତି । ବର୍ଷକୁ ଥରେ ଏହି ସୁଯୋଗ କେହି ହାତଛଡା କରିନଥାନ୍ତି । ସେହିପରି ନୁଆସୋମେଶ୍ୱରପୁର ଗ୍ରାମର ଜୟଦୂର୍ଗା କ୍ଳବ ପକ୍ଷରୁ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ସେହିପରି ସାକ୍ଷୀଗୋପୀନାଥ ଦେବ ଫଗୁଦଶମୀ ଠାରୁ ବାହାରିଥିଲେ ମଧ୍ୟ ଆଜି ସୁଆରସାହିକୁ ଯାତ୍ରା କରିଥାନ୍ତି । ସେବାୟତ ମାନଙ୍କ ପକ୍ଷରୁ ଠାକୁରଙ୍କ ଯିବା ସମୟରେ ବିରାଟ ସଲଟନ କରି ଠାକୁରଙ୍କୁ ଗ୍ରାମକୁ ପାଛୋଟି ନେଇଥାନ୍ତି । ପରେପରେ ଗୋପାଳପୁର ପାଟଣା ଓ ରଙ୍ଗଣୀସାହିକୁ ଯାଇ ଭୋଗ ଖାଇକି ଠାକୁର ଫେରି ମନ୍ଦିର ନିକଟ ଦୋଳବେଦୀ ଠାରେ ମେଣ୍ଢାପୋଡି ଉତ୍ସବ ସରିବା ପରେ ଠାକୁର ଦୋଳ ବେଦୀକୁ ବିଜେ କରିଥାନ୍ତି । ସେଠାରେ ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯିବା ପରେ ଠାକୁର ମନ୍ଦିରକୁ ଯାଇଥାନ୍ତି । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରାଯିବା ପରେ ପୁଣି ଦୋଳବେଦୀକୁ ସେବାୟତ ମାନେ ଆଣିଥାନ୍ତି । ଦୋଳବେଦୀରେ ଠାକୁରଙ୍କୁ ଦୋଳୀରେ ଝୁଲି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ସହ ଫଗୁ ଖେଳିଥିଲେ । ସଂଧ୍ୟାରେ ନୂତନ ପାଞ୍ଜି ପାଠ କରାଯାଇଥାଏ । ତା ପରେ ଠାକୁର ମନ୍ଦିରକୁ ଫେରିଥାନ୍ତି । ସେହିପରି ଗ୍ରାମ ମାନଙ୍କରେ ଥିବା ସମସ୍ତ ଦୋଳ ବେଦୀ ଗୁଡିକ ରଙ୍ଗ କରାଯିବା ସହ ଠାକୁର ମାନେ ପୂର୍ଣ୍ଣମୀ ଦିନ ଦୋଳବେଦୀକୁ ବିଜେ କରିଥାନ୍ତି । ଏହି ଅବସରରେ ଗ୍ରାମ ଗୁଡିକ ଉତ୍ସବ ମୁଖର ହୋଇ ପଡିଥାଏ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି