ଗବକୁଣ୍ଡ ମେଳଣ ଉଦଯାପିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ଗବକୁଣ୍ଡ ମେଳଣ ଅନୁଷ୍ଠିତ ହୋଇଯାଇଛି । ରାୟଖଣ୍ଡି ଶାସନର ଗ୍ରାମଦେବତୀ ମା’ଜୟଦୁର୍ଗା ମେଳଣର ଥାନାପତି । ସୁ ସଜ୍ଜିତ ବିମାନରେ ମନ୍ଦିରରୁ ବାହାରି ମେଳଣ ପଡିଆରେ ଖୁଣ୍ଟିଲାଗି ହୋଇଥିଲେ । ପରେ ପରେ ମେଳଣକୁ ସୁଆଁଲୋର କପିଳେଶ୍ୱର, ଡାଙ୍ଗୁରାର ନୀଳକଣ୍ଠେଶ୍ୱର , ବିଲିପଡାର ରାଧାକୃର୍ଷ୍ଣ, ଚକ୍ରପଡାର ବିନ୍ଧ୍ୟବାସିନୀ ଓ ରାଧାକୃର୍ଷ୍ଣ, ବଡେଇକେରା ର ରାଧାକୃଷ୍ଣଙ୍କ ସହିତ ବଡବସନ୍ତ, ପାହଡଚୁଳ, ଜମାରସୁଆଁ, ହରିପୁର, ବଢ଼େଇକେରା ଗ୍ରାମ ମାନଙ୍କରୁ ଠାକୁର ମାନେ ମେଳଣ ପଡିଆରେ ପ୍ରବେଶ କରି ଖୁଣ୍ଟି ଲାଗି ହୋଇଥିଲେ । ଏହି ଅବସରରେ ମେଳଣ ପଡିଆରେ ଏକ ଛୋଟ ବଜାର ଖୋଲିଥିଲା । ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଫଗୁ ପକାଇ ଖଇ, କୋରା, ଉଖୁଡା, ଖଜା, ଫେଣି, ଚଣା, କଦଳୀ ଆଦି ଠାକୁରଙ୍କୁ ଭୋଗ ଲାଗି ହୋଇଥିଲା । ମେଳଣ କମିଟି ପକ୍ଷରୁ ଠାକୁରଙ୍କ ଆଗରେ ଓଡିଶୀନୃତ୍ୟ, କିର୍ତ୍ତନ ଓ ରାମଲୀଳା ପରିବେଷଣ କରାଯାଇଥିଲା । ଶେଷରେ ମେଳଣକୁ ଆସିଥିବା ଠାକୁର ମାନେ ନିଜ ନିଜ ଗ୍ରାମକୁ ଫେରିବା ପରେ ମେଳଣର ଥାନାପତି ମା’ଜୟଦୁର୍ଗା ନିଜ ମନ୍ଦିରକୁ ଫେରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି