ସାକ୍ଷୀଗୋପାଳ----- ବିଭିନ୍ନ ସ୍ଥାନରେ ବିଭିନ୍ନ ମତ ଅନୁସାରେ ଦୋଳପୂର୍ଣ୍ଣମୀ ପର୍ବ ପାଳନ ହୋଇଯାଇଛି । ଏହି ଅବସରରେ ପୁରାଣଶାସ୍ତ୍ର ଅନୁଯାୟୀ ଦୋଳ ପୂର୍ଣ୍ଣମୀ ଅବସରରେ ବେହେରା ( ଗୋପାଳ ) ଜାତିର ପରିବାର ମାନେ ଦୋଳପୁର୍ଣ୍ଣମୀ ଦିନ ଗୋ ମାତାଙ୍କୁ ପୂଜା କରିଥାନ୍ତି । ଏହି ପର୍ବ ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ମତ ଅନୁସାରେ ଗୋ ମାତାର ସେବା ସବୁ ସେବା ଠାରୁ ସ୍ୱତନ୍ତ୍ର ସେବା । ଗୋ ମାତାଙ୍କର ସେବା କଲେ ବହୁ ପାପରୁ ପୁଣ୍ୟ ମିଳିଥାଏ ବୋଲି ପୁରାଣ ଶାସ୍ତ୍ରରେ ଲିଖିତ ଅଛି । ଏହି ଅବସରରେ ଦୋଳପୂର୍ଣ୍ଣମୀର ଆଗ ଦିନ ଗାଈ ମାନଙ୍କୁ ହଳଦୀ, ଲହୁଣି ଲଗାଇବା ସହ ବିଭିନ୍ନ ଗଛର ପତ୍ର ଓ ଲତାର ସାହାର୍ଯ୍ୟରେ ଗାଈ ମାନଙ୍କୁ ଘଷା ଘଷି କରି ଗାଧୁଆ ପାଧୁଆ କରାଯାଇଥାଏ । ଯାହାକି ଗାଈ ମାନଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ଏହା କରାଯାଇଥାଏ । ଦୋଳ ପୂର୍ଣ୍ଣମୀ ଆଗଦିନ ଗ୍ରାମକୁ ଆସିଥିବା ଠକୁରଙ୍କ ପାଖରେ ଲାଗି ହୋଇଥିବା ପଇଡ ପାଣି, ଫୁଲ ଓ ଅଭିର ବା ଫଗୁ ସଂଗ୍ରହ କରାଯାଇ ରଖାଯାଇଥାଏ । ଦୋଳ ପୂର୍ଣ୍ଣମୀ ଅବସରରେ ସକାଳୁ ଗାଈ ମାନଙ୍କ ମଧ୍ୟରେ ମହୁଡମଣି ,ଶାନ୍ତ ବା କଥା ମାନୁଥିବା ଗାଈକୁ ଅଣାଯାଇ ସିନ୍ଦୁର , ଚନ୍ଦନ, କଜଳ ଓ ନୂତନ ବସ୍ତ୍ର ଆଦି ଲଗାଯିବା ସହ ଗାଈ ଗୋଠ ସ୍ଥଳରେ ବା ବାରିପଟେ ଗୋବରରେ ଲିପାଯାଇ ଝୋଟିଚିତା ପକାଯିବା ସହ ଘଟ ସ୍ଥାପନ ପରେ ନୂତନବସ୍ତ୍ର , ଦୀପ, ଧୂପ ପ୍ରଦାନ କରାଯାଇ ଗାଈକୁ ପୂଜା କରାଯାଇଥିାଏ । ତାପରେ ଭୋଗ ଭାବରେ ଆରିସା ଓ କାକରାରେ ଗାଈର ବିଭିନ୍ନ ରୂପରେ ତିଆରି କରାଯାଇଥିବା ପିଠା ସହିତ ଖଇକେରା, ପାଚିଲା କଦଳୀ, ଫଳମୂଳ ଆଦି ଭୋଗ କରାଯିବା ସହ ଘରର ମହିଳା ମାନେ ଶଙ୍ଖ, ହୁଳହୁଳି ପକାଇ ବନ୍ଦପନା କରିଥାନ୍ତି । ପରିବାରର ସମସ୍ତେ ନୁତନ ବସ୍ତ୍ର ପରିଧାନ କରିଥାନ୍ତି । ପରେ ପରେ ଗାଈ କ୍ଷୀରେରେ ଚାଉଳ ପକାଇ ଏକ କ୍ଷୀରି କରାଯିବ ସେଥିରେ ପଇଡ ପାଣି, ଠକୁରଙ୍କ ଠାରୁ ସଂଗୃହୀତ ଫୁଳ, ଅଭିର ମିଶାଯାଇ ସମସ୍ତଙ୍କ ଗାଈ ଉପରେ ଫୂଲପାଣି ପକାଯାଇଥାଏ । ଏହିପରି ୨୧ ଘେରା ଗାଈଙ୍କ ଚାରିପଟେ ବୁଲିବା ସମୟରେ ଘରର ମହିଳା ମାନେ ହୁଳହୁଳି, ଶଙ୍ଖ ପକାଇଥାନ୍ତି । ଶେଷ ଘେରାରେ ଉକ୍ତ ହାଣ୍ଡିଟିକୁ ଗୋଟିଏ ଗାଇ ଉପରେ ଭଙ୍ଗା ଯାଇଥାଏ । ଅର୍ଥାତ ଉକ୍ତ ପରିବାର ଶୁଖ ,ଶାନ୍ତି, ଧନ ସହିତ ତାର ଗାଈ ମାନେ ବର୍ଷକ ପର୍ଯ୍ୟନ୍ତ ଖୁସିରେ ରହିବେ ବୋଲି ଏବେ ବି ଉକ୍ତ ପରିମ୍ପରା ବା ବିଶ୍ୱାସ ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି