ରେଳପଥ ଝୁମ୍ପୁଡିବାସୀ ସରକାରୀ ଜମିରେ ଜରିପାଲ ପକାଇ ଆଶ୍ରୟନେଲେ
Residents of Jhumpudi took refuge on government land
ଜଟଣୀ----- ଖୋର୍ଦ୍ଧାରୋଡ ରେଳପଥ ରେଳକଲୋନୀ ଅଞ୍ଚଳରେ ଅସ୍ଥାୟୀଭାବେ ରହିଆସୁଥିବା ୭୦୦ରୁ ଉର୍ଦ୍ଧ୍ୱ ଝୁମ୍ପୁଡିବାସୀନ୍ଦାମାନଙ୍କୁ ରେଳପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଛେଦ କରାଯାଇଥିଲା । ଫଳରେ ଉଛେଦିତ ଝୁମ୍ପୁଡିବାସିନ୍ଦାମାନେ ପରଘର ବାରଣ୍ଡା,ବୃକ୍ଷ ମୂଳ ସହିତ ଖରା,ବର୍ଷା ଇତ୍ୟାଦିରେ ପିଲାଛୁଆମାନଙ୍କୁ ଧରି ଆଶ୍ରୟନେବା ସେମାନଙ୍କଲାଗି ଦୟନୀୟ ହୋଇଯାଇଥିଲା । ତେବେ ଏନେଇ ଜଟଣୀର ସ୍ୱେଛାସେବୀ ସଂଗଠନ ମାହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ସ୍ମୃତି କମିଟି ଏମାନଙ୍କୁ ସହାୟ ହୋଇ ପ୍ରଶାସନ ନିକଟରେ ଥଇଥାନ କରିବାକୁ ନିବେଦନ କରିଥିଲା । ମାତ୍ର ତାହାକୁ ପ୍ରଶାସନ କାର୍ଯ୍ୟକାରୀ କରିଲା ନାହିଁ । ଝୁମ୍ପୁଡିବାସୀମାନେ ପୈାରପରିଷଦ, ତହସିଲ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନିରାଶ ହୋଇ ରହିଗଲେ । ରେଳପ୍ରଶାସନର ବାରମ୍ବାର ଉଛେଦ ତାଗିଦରେ ଝୁମ୍ପୁଡିବାସୀମାନେ ଅତିଷ୍ଠ ହୋଇ କର୍ମସ୍ଥଳକୁ ନଯାଇ ନିଜ ଝାଟିମାଟି ଘରକୁ ଜଗି ରହିଲେ । ପ୍ରଶାସନ ସେମାନଙ୍କୁ କେଉଁଠି ଆଶ୍ରୟ ଦେଲାନାହିଁ । ପିଲାଛୁଆଙ୍କୁ ଧରି ସେମାନେ କୁଆଡେ ଯିବେ ବୋଲି ପଚାରିବାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୈାଣସି ଉତର ମିଳିଲା ନାହିଁ । ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ବିଭୂତି ଭୂଷଣ ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ଝୁମ୍ପଡିବାସିନ୍ଦାମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରି ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ରେଳବିଭାଗର ଉଛେଦ ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଥିଲେ । ଏନେଇ ତହସିଲଦାର ଶ୍ରୀ ମହାପାତ୍ର ଖୋର୍ଦ୍ଧାରୋଡ ରେଳପଥ କଲୋନୀରେ ରହୁଥିବା ଝୁମ୍ପୁଡିବାସୀମାନଙ୍କୁ ଥଇଥାନ ନ କରିବାପର୍ଯ୍ୟନ୍ତ ଝୁମ୍ପୁଡି ଘରଗୁଡିକୁ ଉଛେଦ ସ୍ଥଗିତ ରଖିବାକୁ ଚିଠିମାଧ୍ୟମରେ ନିବେଦନ କରିଥିବା ପ୍ରତିଶୃତି ଦେବାପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ତହସିଲଦାର ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଜମି ଅଧିଗ୍ରହଣ କରି ରହିଥିବା ଝୁମ୍ପୁଡିବାସୀଙ୍କୁ ସହଯୋଗ କରିବାଲାଗି ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ବିଭୂତିଭୂଷଣ ମିଶ୍ର ଓ ପୁର୍ବତନ କାଉନସିଲର ଅନନ୍ତ ବେହେରା ପ୍ରତିଶୃତି ଦେବା ସହିତ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଆଇନଜିବୀ ଶିବୁ ରଥ, ସ୍ମୃତି କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ରେଳପଥ ବସ୍ତିବାସିନ୍ଦା ମହିଳା ସଂଘର ସଭାନେତ୍ରୀ ସାରଦା ଦାସ, ସମ୍ପାଦିକା ରୀତା ଦେଇ, କୋଷାଧ୍ୟକ୍ଷା ରିନା ବେହେରା, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୨୫/୧୨/୨୦୨୧---୭,୪୦
Sakhigopal News, 25/12/2021