ବିଭିନ୍ନ ସ୍ଥାନରେ ରଥଯାତ୍ରା; ଗୁଣ୍ଡିଚାଘରେ ପହଁଚିଲେ ଶ୍ରୀ ଜଗନ୍ନାଥ
ଓଡଗାଁ--- ଓଡଗାଁ ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଗୁରୁବାର ଠାକୁରଙ୍କ ଦୈନିକ ନୀତିକାନ୍ତି ସରିବା ପରେ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ସ୍ଥାନୀୟ କୁରାଳ ଶ୍ରୀଦଧିବାମନ ଜୀଉଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ, ସୁର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓସକାଳ ଧୂପ ସରିବା ପରେ ଠାକୁରଙ୍କର ପହଣ୍ଡି ସେବାୟତ ମାନେ କରିଥିଲେ । ପହ୍ମ ଚରଣ ପାତ୍ର ଛେରାପହଁରା କରିଥିଲେ । ତାପରେ ରଥଟଣା ଅନୁଷ୍ଠିତ ହୋଇଥିଲା । ସେହିପରି ନନ୍ଦିଘୋର ଠାରେ ପ୍ରତାପ କୁମାର ପ୍ରହରାଜ, ଗୌଡପୁଟରେ ଲକ୍ଷ୍ମୀଧର ମହାପାତ୍ର, କୋର ପିଠାରେ ତ୍ରିଲୁବନ୍ ବେଓ, ସାକେରୀରେ ଅଚ୍ୟୁତ ମହାପାତ୍ର, ରଙ୍ଗଣୀପାଟଣାରେ ଗୌରହରି ପାଣିଗ୍ରାହୀ, ପାଇକ ବାଙ୍କତରାରେ କିଶୋର ଚନ୍ଦ୍ର ସିଂସାମନ୍ତ ରଥ ଛେରାପହଁରା କରିଥିଲେ । ଓଡଗାଁ, ବାହାଡାଝୋଲା ସହିତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ସମସ୍ତ ରଥ ଗୁଣ୍ଡିଚାଘରେ ପହଞ୍ଚି ଯାଇଛି । ସଂଧ୍ୟାରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ଆଜିପାଗ ମେଘୁଆ ହୋଇ ରହିଥିବାରୁ ଜନସମାଗମ ଅଧିକ ହୋଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ।
ଓଡର୍ଗାରୁ ସୁଦୀପ୍ତ କୁମାର ଦଳେଇ
ଓଡର୍ଗାରୁ ସୁଦୀପ୍ତ କୁମାର ଦଳେଇ