ସିଦ୍ଧବଳରାମ ଚନ୍ଦନ ମଣ୍ଡପକୁ ବିଜେକଲେ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ଗୁପ୍ତବୃନ୍ଦାବନ ତଥା ବକୁଳବନ ମନ୍ଦିରରେ ପୂଜା ପାଉଥିବା ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ଅଜା ଭାବରେ ଜଣାଶୁଣା ଠାକୁର ସିଦ୍ଧବଳରାମ । ସକାଳେ ମଙ୍ଗଳା ଆଳତୀ, ଅବକାଶ, ବାଳଭୋଗ ପରେ ମଧ୍ୟାହ୍ନରେ ଶଙ୍ଖୁଡି ଭୋଗ କରାଯିବା ପରେ ଅପରାହ୍ନରେ ଚକାଛାଡ ଖେଚୁଡି ଭୋଗ, ଟାହିଆଲାଗି ଇତ୍ୟାଦି ଦେବନୀତି ସଂପର୍ଣ୍ଣ ହୋଇଥିଲା । ଠାକୁରଙ୍କର ପିୟ ପାଚିଲା ପଣସ ଭୋଗ ଲଗାଯିବା ପରେ ରଥାରୁଢ ଠାକୁରଙ୍କୁ ଚନ୍ଦନମଣ୍ଡପକୁ ବିଜେ କରାଯାଇଥିଲା । ସେବାୟତ ଦେବରାଜ ପଣ୍ଡା ରଥ ଛେରାପହଁରା କରିବା ପରେ ସେବାୟତ କେଶବ ଚନ୍ଦ୍ର ମହାପାତ୍ର, ସନିଆ ପଣ୍ଡା ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ବିଜେ କରାଇଥିଲେ । ଘଣ୍ଟ, କାହାଳୀ.ତେଲିଙ୍ଗିବାଦ୍ୟ ଓ ହରିବୋଲ ଧ୍ୱନିଦେଇ ନାତି ସଦୃଶ୍ୟ ବଡ, ଛୋଟ ପିଲାମାନେ ବକୁଳ ବନରୁ ରଥ ଟାଣିଟାଣି ଚନ୍ଦନ ପୋଖରୀ ନିକଟକୁ ଆଣିବା ସମୟରେ ରାସ୍ତା ଉପରେ ଥିବା ପରିବାରଙ୍କ ପକ୍ଷରୁ ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା । ପରେ ମାଉସିମା ସେବାୟତଙ୍କ ଘର ପକ୍ଷରୁ ପୋଡପିଠା ଓ ପଣସ ସିଦ୍ଧବଳରାମଙ୍କୁ ଅର୍ପଣ କରାଯାଇଥିବାର ଦେଖାଯାଇଥିଲା । ଏହି ରଥଟଣା ସମୟରେ ବିଭିନ୍ନ ସେବକ ମାନେ ନିଜ ନିଜର କର୍ତ୍ତବ୍ୟ କରିଥିଲେ । ସଂଧ୍ୟାରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ପ୍ରତିବର୍ଷ ପରି ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସିଦ୍ଧବଳରାମଙ୍କ ରଥଯାତ୍ରାର ଆୟୋଜନ କରାଯିବା ସହ ଭୋଗ ଅର୍ପଣ କରାଯାଇଥାଏ । ସାକ୍ଷୀଗୋପାଳର ମନ୍ଦିରର ଭୋଇ ସେବକ ମାନେ ରଥଚଳାରେ ସହାୟତା କରିଥିଲେ । ସେହିପରି ମୂଳ ଅଳସା ଗ୍ରାମରେ ପୁଜିତ ଶ୍ରୀଜଗନ୍ନାଥ, ବଡଠାକୁର, ମା ଶୁଭଦ୍ରାଙ୍କର ସମସ୍ତ ଦେବନୀତି ସରିବା ପରେ ଗୋଟିଏ ରଥରେ ସେବାୟତ ମାନେ ବିଜେ କରିବା ପରେ ରଥଚଳା ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଏହି ଗ୍ରାମର ଦେବୀ ପ୍ରସାଦ ଘଟୁଆରୀ ରଥଯାତ୍ରାଟିକୁ ଆୟୋଜନ କରୁଛନ୍ତି । ରାୟଚକ୍ରଧରପୁର, ଢ଼ୋଲ ଆଦି ଜଗନ୍ନାଥ ମନ୍ଦିରରେ ରଥ ଟଣା ହୋଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି