ବଳଦ ଟଣା ଚିନାବାଦାମ ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପରୀକ୍ଷଣ
କଣାସ----ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ପୁରୀର ମିଳିତ ଉଦ୍ୟମରେ ପୁରୀ ଜିଲା ଅନ୍ତର୍ଗତ କଣାସ ବ୍ଲକର ଗଡ଼ବଡ଼ପୁଟ ଗ୍ରାମଠାରେ ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ପ୍ରକାରର ବଳଦ ଟଣା ଚିନାବାଦାମ ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପରୀକ୍ଷଣ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଓ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯାନ୍ତ୍ରିକ ବୈଜ୍ଞାନିକ ଡଃ ଦୀପଶିକା ପରମଜୀତା ଉପସ୍ଥିତ ରହିଥିଲେ । ଚାଷୀ ମାନଙ୍କୁ ଧାଡିରେ ଚିନାବାଦାମ ବୁଣିବା ପାଇଁ ଏକ ଧାଡ଼ିଆ, ଚାରି ଧାଡ଼ିଆ ଓ ପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ବୁଣା ଯନ୍ତ୍ର ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସାଧାରଣତଃ ଚାଷୀମାନେ ବଳଦ ଟଣା ଦେଶୀ ଲଙ୍ଗଳର ସିଆରରେ (ଚାରି ଜଣ ଲୋକ) ନଇଁ ନଇଁ ମଂଜିବୁଣିଥାନ୍ତି ଯେଉଁଥିରେ ଅଧିକ ଖର୍ଚ, ପରିଶ୍ରମ ଓ ସମୟ ଲାଗିଥାଏ । ତେବେ ଧାଡି ବୁଣା ପାଇଁ ବଳଦ ଟଣା ମଂଜିବୁଣା ଯନ୍ତ୍ର ସାହାଯ୍ୟରେ ବେଶ ଅଳ୍ପ ସମୟରେ, ଅଳ୍ପ ଖର୍ଚରେ ଓ ଅଳ୍ପ ପରିଶ୍ରମରେ ମଞ୍ଜିକୁ ମଞ୍ଜି ତଥା ଧାଡିକୁ ଧାଡି ଆବଶ୍ୟକୀୟ ବ୍ୟବଧାନରେ ଚିନାବାଦାମ ମଞ୍ଜି ବୁଣାଯାଇପାରୁଛି । କ୍ଷେତ୍ର ପରୀକ୍ଷଣ ସମୟରେ ଉପସ୍ଥିତ ଚାଷୀ ଭାଇମାନେ ଏହି ସବୁ ଯନ୍ତ୍ର ଗୁଡିକର ଚାଳନା, ନିୟନ୍ତ୍ରଣ ଓ ମରାମତି ସମ୍ବନ୍ଧରେ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ । ସମ୍ପ୍ରତି ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ ତରଫରୁ ଏହି ଯନ୍ତ୍ର ଗୁଡିକର ଆଗୁଆ ଧାଡି କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଚିନାବାଦାମ ଚାଷରେ କୃଷି ଯାନ୍ତ୍ରିକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି । ଆଖପାଖ ଅଞ୍ଚଳରୁ ଶତାଧିକ ଅଗ୍ରଣୀ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରକଳ୍ପ ତରଫରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ପାଇଁ ଉପଯୋଗୀ ବିଭିନ୍ନ ପ୍ରକାରର ଉନ୍ନତ ବଳଦ ଟଣା କୃଷି ଯନ୍ତ୍ରପାତି ଗୁଡିକର କ୍ଷେତ୍ର ପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସ୍ୱାଇଁ ପ୍ରସ୍ତାବ ରଖିଥିଲେ ।