ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଟଣୀ : ସଚେତନତା ଓ ସତର୍କତାର ଅଭାବରେ ସାଇବର କ୍ରାଇମ ମାମଲା ଦିନକୁଦିନ ବୃଦ୍ଧି ପାଉଛି । ସାଇବର ଠକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ୱେ ମଧ୍ୟ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ପ୍ରକାରର ସାଇବର ଅପରାଧ ଏବଂ ଡିଜିଟାଲ ଦୁନିଆରେ ଜନସାଧାରଣ ମାନେ କିପରି ସୁରକ୍ଷିତ ରହିବେ, ସେ ସମ୍ବନ୍ଧରେ ସମାଜରେ ସଚେତନତା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଳିତ ଭାବେ ଓଡିଶା ପୁଲିସ ତଥା ଅନ୍ଯାନ୍ଯ ବ୍ୟାଙ୍କର ସହଭାଗୀତାରେ ଗତ ୩୦ସେପ୍ଟେମ୍ବରରୁ ଆସନ୍ତା ୧୫ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏକ ରାଜ୍ୟ ବ୍ୟାପୀ ସାଇବର ସୁରକ୍ଷା ଅଭିଯାନର ଆୟୋଜନ କରାଯାଇଛି । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ସାଇବର ଅପରାଧ ସମ୍ପର୍କରେ ସମାଜର ସମସ୍ତ ବିଭାଗ, ବୟସ, ବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଶିକ୍ଷା ଦେବା । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏଥିରେ ସାମିଲ ହେବା ସହିତ ବ୍ୟାଙ୍କିଙ୍ଗ ସେକ୍ଟର, ଆଇଟି ସେକ୍ଟର ତଥା ଅନେକ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲାରେ ସାଇବର ସୁରକ୍ଷା ରଥ ଅଭିଯାନର ଶୁଭାରମ୍ଭ କରଯାଇଛି ।ଏହି ରଥ ଆସନ୍ତା ୧୫ ତାରିଖ ପର୍ଯ୍ଯନ୍ତ ପ୍ରତିଦିନ ଭୁବନେଶ୍ବର ସହରାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ସ୍ଥାନ ଗୁଡିକୁ ପରିଭ୍ରମଣ କରିବା ସହିତ ସାଇବର ସଚେତନତାର ବାର୍ତ୍ତା ପ୍ରସାର କରିବ ।ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ କାଳରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏକ ଟିମ୍ ସହଯୋଗରେ ସ୍ଥାନୀୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରାଯାଇଥିଲା ।ଦେଶରେ ଇଣ୍ଟରନେଟ ବ୍ୟବହାରିକ ସଂଖ୍ୟା ଶତକଡା 47 ଭାଗ l ଏଥିରୁ ଉପୁଜୁଥିବା ଅପରାଧୀଙ୍କ ସଂଖ୍ୟା ଶତକଡା 40 ଭାଗ l ଲୋଭ, ମୋହ, ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ସାଇବର ଅପରାଧ ସଂଖ୍ୟା ଅଧିକ ମାତ୍ରାରେ ବଢୁଛି l ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ l ଆବଶ୍ୟକ ସ୍ଥଳେ ସାଇବର ଥାନାର ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିଲା l ଆଇଟି ଆକ୍ଟ, ପୋକସୋ ଆକ୍ଟ, ଆଇପିସି ତଥା ସାଇବର ସିକୁରିଟି ପୋଲିସ ଜରିଆରେ ଥାନାରେ ମାମଲା ରୁଜୁ କରାଯାଇପାରିବ l ଅନଲାଇନରେ କିମ୍ବା 1930 କୁ ଡାଏଲ କରି ଜଣେ ଏତଲା ଦାଏର କରିପାରିବ l ସତର୍କ ରହିବା ଏବଂ ଭାବିଚିନ୍ତି କାର୍ଯ୍ୟ କରିବା ଦ୍ୱାରା ସାଇବର ଅପରାଧକୁ ପ୍ରତିହିତ କରାଯାଇ ପାରିବ ବୋଲି କଲେଜର ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା lଶେଷରେ ପ୍ରବଳ ଜନସମାଗମ ମଧ୍ୟରେ ସାଇବର ସଚେତନା ସମ୍ପର୍କିତ ଫଟୋ ତଥା ଭିଡିଓ ପ୍ରସାର କରାଯାଇ ଲୋକଙ୍କ ମଧ୍ୟରେ ସାଇବର ସଚେତନତାର ବାର୍ତ୍ତା ପ୍ରସାର କରଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୦/୨୦୨୪---୮,୪୫ Sakhigopal News,6/10/2023