Breaking News

ଫାଇଲିନ୍ ଓ ପ୍ରଳୟଙ୍କରୀ ବନ୍ୟା କୁ ଦଶବର୍ଷ ପୁରିଲା,କ୍ଷତ ଶୁଖିନି କି' ଚିହ୍ନ ଲିଭିନି"



ଭଞ୍ଜନଗର ---- ପ୍ରଥମେ ଫଇଲିନ୍ ବାତ୍ୟା ହେଲା । ତା'ପର ଦିନ ପ୍ରଳୟଙ୍କରୀ ବନ୍ୟା । ୭ ଦିନ ପର୍ଯ୍ୟନ୍ତ ବନ୍ୟାଜଳରେ ବୁଡ଼ି ରହିଥିଲା ,  ବେଲଗୁଣ୍ଠା ବ୍ଳକ ଇଙ୍ଗିନାଠି ପଞ୍ଚାୟତର ୬ ଟି ଗାଁ । ଅସ୍ତବ୍ୟସ୍ତ ହୋଇପଡିଥିଲା ଜନ- ଜୀବନ । ବନ୍ୟା ଓ ବାତ୍ୟା ରେ ବ୍ୟାପକ କ୍ଷୟ-କ୍ଷତି ହେଲା । ବନ୍ୟାର ପ୍ରଭାବରେ ବାଲିଚର ହୋଇଗଲା , ଶହ ଶହ ଏକର ଚାଷଜମି । ୨୦୧୩  ଅକ୍ଟୋବର ୧୨ ରେ ବାତ୍ୟା ହେଲା । ପରଦିନ ଅର୍ଥାତ ୧୩ ତାରିଖରେ ନିକଟସ୍ଥ ବଡନଦୀ ହିଡ ଭାଙ୍ଗି ଯିବାରୁ , ମାଡ଼ି ଆସିଲା ବନ୍ୟାପାଣି । ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଗାଁ ବନ୍ୟା ଜଳରେ ବୁଡିଗଲା ।
ଜୀବନ ବିକଳରେ ତ୍ରାହି ତ୍ରାହି ଡାକିଲେ ୬ ଟି ଗାଁ ର ହଜାର ହଜାର ଲୋକ । ଘରେ ଯାହାକିଛି ଥିଲା , ସବୁକିଛି ଭାସିଗଲା । ପିଲାଛୁଆଙ୍କୁ ଧରି , ଛାତ ଉପରେ ରହିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ , ଉଧାର କାର୍ଯ୍ୟ ହେଲା । ରନ୍ଧା ଖାଦ୍ୟ ଠାରୁ ଆରମ୍ଭ କରି ଚୁଡ଼ା , ଚାଉଳ , ଶୁଖିଲା ଖାଦ୍ୟ ଏବଂ ଲୁଗାପଟା ଦିଆଗଲା । ପ୍ରାୟ ସପ୍ତାହକ ପରେ , ବନ୍ୟାପାଣି କମିଲା । ହେଲେ ସେତେବେଳକୁ କିଛି ନଥିଲା । ଘର , ଗାଁ , ରାସ୍ତା-ଘାଟ ଓ ବିଜୁଳି ଖୁଣ୍ଟ ସବୁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଶହଶହ ହେକ୍ଟର ଚାଷଜମି ବାଲିଚର ହୋଇ , ମରୁଭୂମିର ଭ୍ରମ ସୃଷ୍ଟି କରୁଥିଲା । ପରିସ୍ଥିତି ଏମିତି ହେଲା , ନିଜ ଜମିକୁ ବି’ ଚିହ୍ନି ପାରିଲେନି  କ୍ଷତିଗ୍ରସ୍ତ ଚାଷୀ । ଇଙ୍ଗିନାଠି ପଞ୍ଚାୟତର ମନ୍ଦାର , ଇଙ୍ଗିନାଠି , ସାରିଆପଲ୍ଲୀ , ରତଙ୍ଗ , ବଲାଡି ଓ ଉସ୍ତପଲ୍ଲୀ ଗାଁର ସମସ୍ତ ଲୋକେ ପ୍ରଭାବିତ ହେଲେ । 
ସମୁଦାୟ ଅଞ୍ଚଳର କ୍ଷତି ଭରଣା ଏବଂ ଉନ୍ନତି ପାଇଁ , ଇଙ୍ଗିନାଠି ପଞ୍ଚାୟତକୁ "ପୋଷ୍ୟ ପଞ୍ଚାୟତ" ଭାବେ ଘୋଷଣା କଲା ଜିଲ୍ଲା ପ୍ରଶାସନ ।  କିଛି ବର୍ଷ ପରେ ରାସ୍ତାଘାଟ ନିର୍ମାଣ ହେଲା । ଘର ଭାଙ୍ଗି ଯାଇଥିବା କିଛି କ୍ଷତିଗ୍ରସ୍ତ ପରିବାରଙ୍କୁ ଘର ମିଳିଲା । ଆଉକିଛି ବିପନ୍ନ ପରିବାରକୁ ଆର୍ଥିକ ସହାୟତା ମିଳିଲା । ବାଲିଚର ହୋଇଥିବା କିଛି ଜମି ମାଲିକଙ୍କୁ ସରକାରୀ  ନିୟମ ପ୍ରକାରେ , ଅଳ୍ପ କିଛି ସହାୟତା ମିଳିଲା । ତଥାପି  ହେଉଥିବା ଅଭିଯୋଗ ପ୍ରକାରେ , ରାସ୍ତାଘାଟ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବ୍ୟତୀତ  କ୍ଷତିଗ୍ରସ୍ତଙ୍କୁ ମିଳିଥିବା ସହାୟତା , “ସମୁଦ୍ରକୁ ଶଙ୍ଖେ” ଭଳି । ଯାହାର ବାସ୍ତବ ଚିତ୍ର ହେଉଛି , ଗାଁ ଚାରିପଟେ ସୃଷ୍ଟି ହୋଇଥିବା “କାଶତଣ୍ଡି ବଣ"  । ଖାଲି ସେତିକି ନୁହେଁ , କାଶତଣ୍ଡି ବଣ ଏବେ ହିଂସ୍ରଜନ୍ତୁଙ୍କ ଅଭୟ ଆଶ୍ରୟସ୍ଥଳୀ ପାଲଟିଛି । ଦିନରୁ ରାତି ପର୍ଯ୍ୟନ୍ତ ଭୟ ଓ ଆଶଙ୍କା ଭିତରେ ରହିବାକୁ ପଡୁଛି ଅଞ୍ଚଳବାସୀଙ୍କୁ । ଏବେ ଫାଇଲିନ୍ ବାତ୍ୟା ଓ ବନ୍ୟା କୁ ବିତିଯାଇଛି ଦଶବର୍ଷ । ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ଏଯାଏଁ ଅଣ୍ଟା ସଳଖି ପାରିନାହାନ୍ତି । ସରକାରୀ ସହାୟତା "ହାଡ଼ଭଙ୍ଗା କୁ ମଲମ ଘଷା" ବୋଲି କଟାକ୍ଷ କରାଯାଉଛି । ଅଞ୍ଚଳର ବିକାଶ , କେବଳ ସନ୍ତୁଷ୍ଟି କରଣ ନୀତି ରେ ଚାଲିଥିବା ଚର୍ଚ୍ଚା ହେଉଛି । ସାଧାରଣ  ଲୋକ ଏବଂ ବୁଦ୍ଧିଜୀବୀ ମାନେ ବୁଝି ପାରୁନାହାନ୍ତି "ପୋଷ୍ୟ ପଞ୍ଚାୟତ" ସଂଜ୍ଞା କୁ । ସ୍ଥାନୀୟ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ବାବୁ ମାନଙ୍କ ଆନ୍ତରିକତା କୁ ନେଇ , ପ୍ରଶ୍ନ ବି' ଉଠୁଛି । ଏହା ଭିତରେ , ସ୍ଥାନୀୟ ପ୍ରଶାସନ ର ଅଧିକାଂଶ ବାବୁ ମାନେ ବଦଳି ହୋଇଗଲେଣି । ନୂଆ ବାବୁ ମାନେ ଆସୁଛନ୍ତି । ହେଲେ ଇଙ୍ଗିନାଠି ପଞ୍ଚାୟତରେ ହୋଇଥିବା ବନ୍ୟା ପରିସ୍ଥିତି  , କ୍ଷତିଗ୍ରସ୍ତ ଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ବାଲିଚର ଜମିରୁ ବାଲି ଉଠାଇବା ର ସ୍ଥାୟୀ ବନ୍ଦୋବସ୍ତ ଏଯାଏଁ କରାଯାଇ ପାରିନାହିଁ । ବନ୍ୟା ର ମୁକାବିଲା ପାଇଁ ଠିକଣା ବ୍ୟବସ୍ଥା ହୋଇନାହିଁ । ମୋଟାମୋଟି ଭାବରେ , ଇଙ୍ଗିନାଠି ପଞ୍ଚାୟତର "ବନ୍ୟା ଅଭିଧାନ" କୁ ପଢି , ସରଳାର୍ଥ ବାହାର କରିବାକୁ କୌଣସି ବାବୁ ମାନଙ୍କ ପାଖରେ ସମୟ ନାହିଁ । ତଥାପି ପ୍ରତିବର୍ଷ ଅକ୍ଟୋବର-୧୩ ଆସିଲେ , ଅଜଣା ଭୟ ଓ ଆଶଙ୍କାରେ ଘାରି ହେଉଛନ୍ତି  ,ସମୁଦାୟ ପଞ୍ଚାୟତବାସୀ ।
ଏବେ ସମସ୍ତଙ୍କ ଅପେକ୍ଷା , ରାଜ୍ୟ ସରକାର କେବେ ଦୂରକରିବେ ଇଙ୍ଗିନାଠି ପଞ୍ଚାୟତବାସୀ ଙ୍କ ବନ୍ୟା ଜନିତ ଦୁଃଖ । ସମୟକୁ ଅପେକ୍ଷା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୦/୨୦୨୩----୮,୩୫ Sakhigopal News,12/10/2023

Blog Archive

Popular Posts