ନଦୀରେ ଚାପ ଖେଳିବା ପରେ ମାଙ୍କ ୁମେଳାଣି ;ସତ୍ୟବାଦୀର ବଳପୁରରେ ଭିନ୍ନ ପରମ୍ପରାରେ ଦଶହରା ପର୍ବ ପାଳିତ
ସାକ୍ଷୀଗୋପାଳ----- ଦଶହରା ପର୍ବ ପାଳନ ଆନନ୍ଦ ଉଲ୍ଲାସରେ ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାରରେ ପାଳିତ ହୋଇଯାଇଛି । ସେଥି ମଧ୍ୟରୁ ସାକ୍ଷୀଗୋପାଳରେ ଦଶହରା ଭିନ୍ନ ପରମ୍ପରାରେ ପାଳିତ ହୋଇଥାଏ । ଦଶହରା ଏକ ଭାଇଚାରର ପର୍ବ । ପିଠା ପଣା ସାଙ୍ଗକୁ ଘର ମାନଙ୍କରେ ପୁଅ, ଝିଅ ଜୋଇଁ ନାତି ନାତୁଣୀ ମାନଙ୍କର ଗହଳି ଲାଗିଥାଏ । ଗ୍ରାମରେ ମାଙ୍କ ପାଖରେ ଭୋଜି ଭାତ ସାଙ୍ଗକୁ ଦୁଆରି ଭୋଗ କରାଯାଇଥାଏ । ସେହିପରି ପୁରୀ ଜିଲାର ସତ୍ୟବାଦୀ ବ୍ଳକର ବଳପୁରରେ ଦଶହରା ବା ବିଜୟାଦଶମୀ ଭିନ୍ନ ପରମ୍ପରାରେ ପାଳନ କରାଯାଇଥାଏ । ଯାହାକି ଏଠାରେ ପାଳନ କରାଯାଉଥିବା ପ୍ରଥା ଓଡିଶାରେ କେଉଁଠାରେ ଦେଖିବାକୁ ମିଳେ ନାହିଁ ବୋଲି ବଳପୁର ବାଲୁଙ୍କେଶ୍ୱର ଦେବଙ୍କ ଟ୍ରଷ୍ଟ ପରିଚାଳନା ସଭାପତି ନିରଞ୍ଜନ ମହାପାତ୍ର କହନ୍ତି । ଏଠାରେ ପୁରା ସ୍ୱତନ୍ତ୍ର ଭାବରେ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ବଳପୁର ବାଲୁଙ୍କେଶ୍ୱର ଦେବଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ଆନନ୍ଦପୁର ଓ ବଳପୁର ଗ୍ରାମର ତାରେଣୀ , କୁସୁମେଶ୍ୱର ଗ୍ରାମର ଉଗ୍ରତାରା ଓ ଦିଉଡିସାହିର ଷଷ୍ଠି ଦେବୀ ଷୋଳପୂଜାରେ ବାଲୁଙ୍କେଶ୍ୱର ଦେବଙ୍କ ପୀଠ ପରିସରରେ ଭାଗ ନେଇଥାନ୍ତି । ପ୍ରତ୍ୟେକ ଦିନ ଷୋଡଶ ମନ୍ତ୍ର ଦ୍ୱାରା ଠାକୁରାଣୀ ମାନଙ୍କର ନୀତିକାନ୍ତି କରାଯିବା ସହ ବିଭିନ୍ନ ଭୋଗ କରାଯାଇଥାଏ । ଦଶହରା ଦିନ ଅପରାହ୍ନରେ ଦେବୀ ମାନଙ୍କର ନୀତିକାନ୍ତି ସରିବା ପରେ ଛତି, ତ୍ରାସ ବୈରଖ, ଘଣ୍ଟ, ଘଣ୍ଟା, କାହାଳୀ,ମହୁରୀ, ବାଜା ବଯାଇ ସୁସଜିତ ଏକ ବିମାନରେ ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖରଙ୍କ ସହ ବଳପୁର ଶାସନ, ପଣ୍ଡାସାହି ଓ ବେହେରା ସାହିରେ ଦୁଆରୀ ଭୋଗ ଖାଇଥାନ୍ତି । ମାଙ୍କୁ ବିଦାୟ ଦେବାପାଇଁ ପୁଣ୍ୟତୋୟା ଭାର୍ଗବୀ ନଦୀର ସାଗରସ୍ନାନ ଘାଟରେ ଦୁଇଟି ଡଙ୍ଗା ଏକାଠି କରାଯାଇ ମାଙ୍କୁ ବସାଯିବା ପରେ ସେବାୟତ ମାନେ ନୀତି ଅନୁସାରେ ପ୍ରଥମେ ଗଙ୍ଗାଦେବୀଙ୍କୁ ଗଙ୍ଗା ଆଳତୀ କରିଥିଲେ । କଥାରେ ଅଛି ଏହି ଦୃଶ୍ୟ ଦେଖିଲେ ବହୁପୁଣ୍ୟ ମିଳିଥାଏ । ଠାକୁରାଣୀ ମାନଙ୍କୁ ନଦୀ ମଧ୍ୟରେ ଚାପ ଖେଳି ଖେଳି ବିଦାୟ ଦେବାର ପରମ୍ପରା ରହିଛି । ସେଠାରେ ଅପେକ୍ଷାରତ ସେବାୟତ ମାନେ ମାଙ୍କୁ ମନ୍ଦିରକୁ ନେବା ସମୟରେ ଦୁଆରୀ ଭୋଗ ଖୁଆଇ ମନ୍ଦିରକୁ ପ୍ରବେଶ କରାଇଥାନ୍ତି । କୋଠ ସଭାପତି ଜଟାଧାରୀ ପ୍ରଧାନଙ୍କ ସହିତ କବିଟିର ସଦସ୍ୟ ଫକୀର ବେହେରା, ସାଗର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ବେଣୁଧର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଧୃବ ମୁଦୁଲି ନାରାୟଣ ବେହେରା, ବସନ୍ତ ପଣ୍ଡା ପ୍ରମୁଖଙ୍କ ସହିତ ଗ୍ରାମର ଯୁବକ ମାନେ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ପରମ୍ପରା ଅନୁଯାୟୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ବିଭୂତି ପାଇଁ ସେବାୟତ ମାନେ ବିଭୂତି ବାଟିକାରୁ ମାଟି ସଂଗ୍ରହ କରିଥିଲେ । ଏହି ବିଭୂତି ବର୍ଷକୁ ଥରେ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ସେବାୟତ ମାନେ ବିଜୟାଦଶମୀ ବା ଦଶହରା ଦିନ ସଂଗ୍ରହ କରିବାର ପରମ୍ପରା ରହି ଆସିଛି । ସେହିପରି ବୀରରାମଚନ୍ଦ୍ରପୁର ଗ୍ରାମର ମା ମଣିନାଗଦୁର୍ଗା ତାଙ୍କର ଭଉଣୀ ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ ପୂଜିତ ମାଳେଶ୍ୱରୀଙ୍କୁ ଷୋଳପୂଜାପାଇଁ ନିମନ୍ତ୍ରିତ କରିକି ନେଇଥିାନ୍ତି । ଦଶହରା ପର୍ବ ବା ନୀତି ସରିବା ପରେ ସୁସଜିତ ବିମାନରେ ଆଣି ପୂଜା ପାଉଥିବା ନିଜ ମନ୍ଦିରରେ ବିଦାୟ ଦେଇଥିଲେ । ଏହି ପରୀପେକ୍ଷିରେ ସେବାୟତ ମାନଙ୍କ ଦ୍ୱାରା ମାଳେଶ୍ୱରୀ ଦେବୀଙ୍କ ମନ୍ଦିର ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଏଠାରୁ ବିଦାୟ ଦେଇ ମା ମଣିନାଗ ଦୁର୍ଗା ଫେରିବା ବାଟରେ ବାସୁକେରା ଗ୍ରାମରେ ପୂଜିତ ମଙ୍ଗଳାଙ୍କ ପାଖରେ ଭୋଗ ଖାଇ ନିଜ ମନ୍ଦିର ବୀରରାମଚନ୍ଦ୍ରପୁର ଗ୍ରାମକୁ ଫେରିବା ପରେ ସେଠାରେ ମାଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଅନ୍ୟପକ୍ଷେ ସାକ୍ଷୀଗୋପାଳରେ ମହାମାୟାସାହି ବା ସାକ୍ଷୀଗୋପାଳ ୍େଷ୍ଟସନସ୍ଥିତ ପଡିଆ ଓ ନଡିଆ ବ୍ୟବସାୟୀ ସଂଘଙ୍କ ଦ୍ୱାରା ନଡିଆ ମାର୍କେଟ ପରିସରରେ ଦୁଇଟି ମାଙ୍କର ମୃଣ୍ଣୟୀ ମୂର୍ତ୍ତି ପୂଜା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୦/୨୦୨୩ Sakhigopal News, 25/10/2023