Breaking News

ନଦୀରୁ ବନ୍ଯାଜଳ କମିବାରୁ ପୁଣି ଗବକୁଣ୍ଡ ନୂଆନଈ ବନ୍ଧ ନଦୀଗର୍ଭକୁ ଧସିଲା ;୨୦ ବର୍ଷଧରି ମରାମତି କରାଯାଉଥିବା ବନ୍ଧର ବ୍ଯୟର ସିବିଆଇ ତଦନ୍ତ ଦାବି କଲେ ଗ୍ରାମବାସୀ



   
   ସାକ୍ଷୀଗୋପାଳ ----ଭାର୍ଗବୀ ନଦୀରେ ପୁରୀ ଜିଲା ଗବକୁଣ୍ଡ ନୂଆନଈ ନଦୀବନ୍ଧରୁ ପୁଣି ୨ ଶହ ଫୁଟ ଲମ୍ବର ମାଟି ଧସି ଯାଇଛି  । ସେଥିପାଇଁ ଗମନାଗମନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜମାରସୁଆ ଛତରବନ୍ଦି ଛକରେ ଏହି ଘଟଣା ଘଟିଛି  । ପୁରୀ ଜଳସଂପଦ ବିଭାଗର ଅଧିକାରୀ ମାନେ ନୀରବ ହୋଇ ବସିଛନ୍ତି  । ପ୍ରତିବର୍ଷ ଭାର୍ଗବୀନଦୀରେ ବନ୍ଯା ଆସିଲେ ଏହି ନିର୍ଦ୍ଧିଷ୍ଟ ସ୍ଥାନରେ ବନ୍ଧରୁ ମାଟି ଧସି ଯାଇଥାଏ ଓ ପୁରୀ ଜଳସଂପଦ ବିଭାଗର ଅଧିକାରୀ ମାନେ ଠିକାଦାର ଲଗାଇ ଏହାକୁ ଯାହିତାହି ବାଲି ପକାଇ ପୋତି ପକାନ୍ତି  । ଏଥିପାଇଁ ରାଜକୋଷରୁ ବିପୁଳ ଅର୍ଥ ବ୍ଯୟ କରାଯାଇ ଠିକାଦାର ପୋଷଣ କରାଯାଇ ଥାଏ  । ଗତ ଅଗଷ୍ଟ ମାସରେ ଏହି ସ୍ଥାନରୁ ୨ଶହ ଫୁଟ ଲମ୍ବ ୧୦ଫୁଟ ଚଉଡାର ମାଟି ନଦୀ ଗର୍ଭକୁ ଧସିଯାଇଥିଲା  । ଏ ସଂପର୍କରେ  ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ତରବରିଆ ଭାବେ ଠିକାଦାର ଲଗାଇ ଧସି ଯାଇଥିବା ମାଟିକୁ ଜେସିବି ଲଗାଇ ଟାଣି ଆଣି ବନ୍ଧ ମରାମତି କରିଥିଲେ   । କରାଯାଇ ଥିବା ନିମ୍ନମାନର କାମ ସଂପର୍କରେ ପୁନରାୟ ଗତ ସେପ୍ଟେମ୍ବର ୧୫ ତାରିଖରେ ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା  । ଏବେ ଭାର୍ଗବୀ ନଦୀରେ ବନ୍ଯାଜଳ କମି ଯାଇଛି। ଗବକୁଣ୍ଡ ନୂଆନଈ ବନ୍ଧର ଉଭୟ ପାର୍ଶ୍ୱ ଦେଇ ଜଳସ୍ରୋତ ଚାଲିଛି  । ନଦୀ ମଝି ବାଲୁକାସ୍ତୁପ ରହିଥିବା ହେତୁ ଏପରି ବନ୍ଧ  ପାଖ ବାଟରେ ଜଳ ପ୍ରବାହିତ ହେଉଛି  । ନଦୀ ମଧ୍ଯଭାଗ ଖନନ କରି ମାଟିକୁ ଉଭୟ ପାର୍ଶ୍ୱ ବନ୍ଧକୁ ଲଗାଇ ପକାଇବା ଓ ଗାର୍ଡୱାଲ କରାଯିବା ସଂପର୍କରେ ସମାଜରେ ପ୍ରକାଶିତ ହୋଇଥିଲା  । ତେବେ ଗବକୁଣ୍ଡ ଠାରୁ ନୂଆଗାଁ ସେତୁ ପର୍ଯ୍ୟନ୍ତ ନଦୀ ମଧ୍ଯ ସ୍ଥଳର ମାଟି କାଟି ବନ୍ଧର ଉଭୟ ପାର୍ଶ୍ୱକୁ ଲଗାଇ ପକାଇବା ପାଇଁ ପୁରୀ ଜଳସଂପଦ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ନିଯୁକ୍ତ କରାଯାଇ ଥିଲା  । ବିଭାଗୀୟ ଅଧିକାରୀ ମାନେ କାମ ହେଉଥିବା ସ୍ଥାନକୁ ତଦାରଖ କରିନଥିଲେ  । ଯାହାଦ୍ବାରା କି ନଦୀଶଯ୍ୟା ଖୋଳା ଯାଇଥିବା ମାଟି ନଦୀବନ୍ଧର ଉଭୟ ପାର୍ଶ୍ୱରେ ନାମମାତ୍ର କିଛି ପକାଯାଇ ବିଭାଗୀୟ ଅଧିକାରୀ ଙ୍କ ସଲାସୁତୁରା ରେ ଆଉ ସବୁ ମାଟି ବାହାରକୁ ଚାଲାଣ ହେଲା ବୋଲି ସ୍ଥାନୀୟ ଗ୍ରାମବାସୀ ଗୁରୁତର ଅଭିଯୋଗ     କରିଛନ୍ତି  । ବିଗତ ଦିନରେ ଏହି ଜାଗାରେ ବନ୍ଧ ଭାଙ୍ଗି ବହୁ ଘରଦ୍ବାର ଭାଙ୍ଗିବା ସହିତ ବିପୁଳ ଫସଲ କ୍ଷତିଗ୍ରସ୍ତ ହୋଇଥିଲା  । ଗ୍ରାମବାସୀ ସେ ଦିନର ଦୁଖ ଆଜିପର୍ଯ୍ୟନ୍ତ ଭୁଲିପାରି ନାହାଁନ୍ତି  । ନଦୀବନ୍ଧରୁ ମାଟି ଧସିଲେ ଗଣମାଧ୍ୟମରୁ ଖବର ଜାଣି ରାଜନେତା ମାନେ ପହଞ୍ଚି ବହୁତ ପ୍ରତିଶ୍ରୁତି ଦେଇଥାନ୍ତି  । ହେଲେ ଘଟଣା ସ୍ଥଳରୁ ଯିବା ପରେ ସବୁ ଭୁଲି ଯାଇଥାନ୍ତି  । ବିରଞ୍ଚି ଦାଶ ପୁର ଗ୍ରାମର ପ୍ରାକ୍ତନ ଆୟକର ଆୟୁକ୍ତ ଚନ୍ଦ୍ର ଶେଖର ଦାଶ କହନ୍ତି ଜଳସଂପଦ ବିଭାଗର ମୁଖ୍ୟମନ୍ତ୍ରୀ ତଥା ଦକ୍ଷ ଇଂଜିନିୟରି ମାନଙ୍କ ସହିତ ଆସି ଏହା ସ୍ଥାୟୀ ନିରାକରଣ କରାଯିବା ଦରକାର ବୋଲି କହିଥିଲେ  । ସେହିପରି ରାୟଖଣ୍ଡିର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଭାସ୍କର ମିଶ୍ର କହନ୍ତି ବିଭାଗୀୟ ଅଧିକାରୀ ଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରତିବର୍ଷ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଏପରି ଘଟଣା ଘଟୁଛି  ବୋଲି କହିଥିଲେ । ଏହି ସ୍ଥାନଟିର ସ୍ଥାୟୀ ପ୍ରତିକାର କରାଗଲେ ପ୍ରତିବର୍ଷ ବିଭାଗର ଠିକାଦାର ପୋଷଣ ବନ୍ଦ ହୋଇଯିବ  ।  ଘଟଣାର ଗୁରୁତ୍ବ କୁ ବିଚାରକୁ ନେଇ ୨୦ ବର୍ଷ ଧରି ଏଠାରେ ଚାଲିଥିବା ଠିକାଦାର ପୋଷଣ ଓ ନଦୀଶଯ୍ୟା ଖନନ କରାଯାଇ ଥିବା ମାଟି କୁଆଡେ ଗଲା ଏହା ସିବିଆଇ ତଦନ୍ତ କରାଯିବାକୁ ବ୍ରଜକିଶୋର ପାଇକରାୟ ସଦିଶିବ  ଦାସ ପ୍ରମୁଖ ରାଜ୍ଯ ସରକାର ଙ୍କ ନିକଟରେ ଦାବି କରିଛନ୍ତି  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧୦/୨୦୨୩---୮,୫୫ Sakhigopal News,12/10/2023

Blog Archive

Popular Posts