ଲୁପ୍ତ ପ୍ରାୟ ସୁତା କଣ୍ଢେଇ ନାଚ ପାଇଁ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି
ଭଞ୍ଜନଗର---- ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଂଗୀତ ନାଟକ ଏକାଡେ଼ମୀ ର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ବ୍ଲକ ର ବଡକୋଦଣ୍ଡା ଠାରେ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଲୁପ୍ତ ପ୍ରାୟ ସୁତା କଣ୍ଢେଇ ନାଚ ଭଳି ଲୋକକଳା କୁ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ପୁନରୁଦ୍ଧାର କରାଯାଇ ନୂତନ ପିଢିକୁ ଏହି କଳା ପ୍ରତି ଆକର୍ଷିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଓଡିଶା ସଂଗୀତ ନାଟକ ଏକାଡେ଼ମୀ ର ଉପସଭାପତି ମନ୍ମଥ ଶତପଥୀ ଉଲ୍ଲେଖ କରିଛନ୍ତି। ଭଞ୍ଜନଗର ବିଶ୍ବ ଜନନୀ କଳା ପରିଷଦର ଅନୁରୋଧ କ୍ରମେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସଂଗୀତ ନାଟକ ଏକାଡେ଼ମୀ ଉପସଭାପତି ମନ୍ମଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆକାଶବାଣୀର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ବିଶ୍ବ ଜନନୀ କଳା ପରିଷଦ ର ସଭାପତି ଶାନ୍ତନୁ କୁମାର ଦାସ, ଏକାଡେମୀ ଦ୍ୱାରା ପୁରସ୍କୃତ କଳାକାର ସଂସ୍କୃତି ରତ୍ନ ନାରାୟଣ ମହାରଣା, ବଡକୋଦଣ୍ଡା ପଞ୍ଚାୟତ ସମିତି ସଭ୍ୟ ଜେ ମନୋଜ କୁମାର ପୃଷ୍ଟି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏଥିରେ ମୋଟ ୧୦ ଜଣ ନୂତନ ଯୁବ କଳାକାରଙ୍କୁ ସୁତା କଣ୍ଢେଇ ନାଚ ସମ୍ପର୍କରେ ୬ ମାସ ତାଲିମ ପ୍ରଦାନ କରାଯିବ। ଏଥିପାଇଁ ପ୍ରତ୍ୟେକ କଳାକାରଙ୍କୁ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୁତା କଣ୍ଢେଇ ନାଚ ର ଗୁରୁଶ୍ରୀ ବିବତ୍ସ ସ୍ବାଇଁ, ଅଜୟ ବିଶୋୟୀ, ହାଡୁବନ୍ଧୁ ବିଶୋୟୀ, ବିଜୟ କୁମାର ବେହେରା, ଲଡୁ କିଶୋର ସାହୁ ପ୍ରମୁଖ ସୁତା କଣ୍ଢେଇ ନାଚ ଦେଖାଇବା ର କୌଶଳ ଦେଖାଇଥିଲେ। ଏହି ଦୀକ୍ଷାନ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଆବାହକ ତଥା ବ୍ଳକ କଳା ଓ ସାଂସ୍କୃତିକ ସଂଘ ଉପସଭାପତି ଜଗଦୀଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ଶେଷରେ ଗୁରୁ ଲଡୁ କିଶୋର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୩---୮,୫୫ Sakhigopal News,19/10/2023