Breaking News

ଅସହ୍ୟ ହେଲା ସାବତ ମା'ର ନିର୍ଯାତନା. ତେର ବର୍ଷ ବୟସରେ ଘର ଛାଡ଼ିଥିଲେ , ୪୫ ବର୍ଷ ପରେ ଫେରିଲେ


ଭଞ୍ଜନଗର - ତେର ବର୍ଷ ବୟସରେ ଘରଛାଡି , ବାହାର ରାଜ୍ୟକୁ ଚାଲିଯାଇଥିଲେ । ଦୀର୍ଘ ୪୫ ବର୍ଷ ପରେ ଗାଁ କୁ ଫେରିଲେ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତରଙ୍ଗ ଗାଁ ର କାଳୁ ରଣା । ଦୀର୍ଘ ବର୍ଷ ପରେ ଘରକୁ ଫେରିବା ପରେ  
କାଳୁ ଙ୍କ ମୁହଁରେ ହସ । ସାଢେ଼ ଚାରି ଦଶନ୍ଧି ପରେ  ବଦଳି ଯାଇଛି ଗାଁର ଚିତ୍ର । ନୁଆଁଣିଆ ଚାଳଘର ଆଉ ନାହିଁ । ସାଙ୍ଗସାଥୀ ସବୁ ବୟସ୍କ ହୋଇଗଲେଣି । ପରିବାର କହିଲେ ଆଉ କେହି ନାହାନ୍ତି । ସାନଭାଇ ଏବଂ ତାଙ୍କ ପିଲାଛୁଆ ସଂସାର । ସାନଭାଇ ସିମାଞ୍ଚଳ କୁ ବାଦ୍ ଦେଲେ ଆଉ କେହି ଚିହ୍ନି ପାରୁନାହାନ୍ତି । ତଥାପି ଚିହ୍ନା ମୁହଁ କୁ ସେ ଖୋଜୁଛନ୍ତି । ବାପା କିମ୍ବା ସାବତ ମା’ ଆଉ ନାହାନ୍ତି । ଜନ୍ମକଲା ମା’ର ଅକାଳ ବିୟୋଗ ପରେ ବାପା ରଘୁନାଥ ଦ୍ବିତୀୟ ବିବାହ କରିଥିଲେ । ଘରେ ବାପା ମା’ ଙ୍କୁ ମିଶାଇ ସେମାନେ ୫ ଭାଇ ଏବଂ ଦୁଇ ଭଉଣୀ ଥିଲେ । ହେଲେ ସାବତ ମା’ର ନିର୍ଯାତନା ଅସହ୍ୟ ହେବାରୁ ତାହା ସହିନପାରି , ମାତ୍ର ୧୩ ବର୍ଷ ବୟସରେ ଘରଛାଡି ଚାଲିଯାଇଥିଲେ ଦ୍ବିତୀୟ ପୁଅ କାଳୁ ରଣା ।ସେଦିନ ଗାଁ ର ଜଣେ ରାଜମିସ୍ତ୍ରୀ ସହ ମିଶି , ମଣିପୁର ଚାଲିଯାଇଥିଲେ । ସେଠାରେ ଶ୍ରମିକ ଭାବେ କାମ କଲେ । ପରେ ମଧ୍ୟପ୍ରଦେଶ ଗଲେ । ସେଠାରେ ଜଣେ ଲୋକଙ୍କ ଘରେ ରହି କାମ କଲେ । ସେଠାରେ ଦୀର୍ଘବର୍ଷ ପର୍ଯ୍ୟନ୍ତ ରହିଲେ । ଧିରେଧିରେ ଓଡ଼ିଆ କହିବା ଭୁଲି ମଣିପୁରୀ ଭାଷାରେ ଅଭ୍ୟସ୍ତ ହୋଇଗଲେ । ଘର କଥା ଓ ଗାଁ କଥା ମନେ ପଡ଼ିଲେ ଗାଁ କୁ ଆସିବାକୁ ତାଙ୍କର ଭାରି ଇଛା ହେଉଥିଲା । କିନ୍ତୁ ସାବତ ମା’ର ନିର୍ଯ୍ୟାତନା କଥା ମନେ ପଡିଗଲେ  ମନ ପରିବର୍ତ୍ତନ ହୋଇ ଯାଉଥିଲା ।ଶେଷରେ ବୟସ ଅତିକ୍ରାନ୍ତ ହେଲା । ମଧ୍ୟପ୍ରଦେଶରେ ଯେଉଁ ମାଲିକଙ୍କ ଘରେ ରହି କାଳୁ କାମ କରୁଥିଲେ ସେଠାରେ ବି କୌଣସି କାରଣରୁ ରହିବା ଅସମ୍ଭବ ହୋଇପଡିଲା । ଶେଷରେ କୌଣସି ସୂଚନା ଆଦାନ ପ୍ରଦାନ ପରେ ଗାଁ କୁ ଆସିବାକୁ ନିଷ୍ପତ୍ତି ନେଲେ କାଳୁ। ଏବେ ସେ ଜନ୍ମ ମାଟି କୁ ଫେରିବା ପରେ ବହୁତ ଖୁସି ଥିବା କହିଛନ୍ତି । ହେଲେ ସାନଭାଇ ସିମାଞ୍ଚଳ ଚାଷକାର୍ଯ୍ୟ ଏବଂ ବେଳେ ବେଳେ ମନ୍ଦିରରେ ପୂଜାରୀ କାମ କରି ପରିବାର ଚଳାନ୍ତି । ସିମାଞ୍ଚଳ ଙ୍କ ଘରେ ସ୍ତ୍ରୀ ଏବଂ ୪ ଝିଅ । ଗରୀବ ହେତୁ ପରିବାର ଚଳାଇବା କଷ୍ଟକର । ଏ‌ହି ସମୟରେ ଦୀର୍ଘ ବର୍ଷ ପରେ ବଡ଼ଭାଇ ଘରକୁ ଫେରିଛନ୍ତି । ଭାଇ ଫେରିବା ପରେ ସେ ଖୁସି ଅଛନ୍ତି ସତ , ହେଲେ ତାଙ୍କ ଭରଣ ପୋଷଣକୁ ନେଇ ଏବେ ଚିନ୍ତା ରେ ପଡିଛନ୍ତି ସାନଭାଇ ସିମାଞ୍ଚଳ । ଏଭଳି ପରିସ୍ଥିତିରେ କାଳୁ ଏବଂ ତାଙ୍କ ସାନଭାଇ ସିମାଞ୍ଚଳ ଙ୍କ ପରିବାର କୁ ସରକାରୀ ସହାୟତା କିମ୍ବା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଏବଂ ପରିବାର ଲୋକେ ନିବେଦନ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୦/୨୦୨୩---୮,୪୫ Sakhigopal News,12/10/2023

Blog Archive

Popular Posts