ସାକ୍ଷୀଗୋପିନାଥଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ
ସାକ୍ଷୀଗୋପାଳ-----ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳା ମଧ୍ୟରେ କାଳୀୟ ଦଳନ ପର୍ବ ଅନ୍ୟତମ । ସାକ୍ଷୀଗୋପାଳ ମନ୍ଦିରରେ ଏହି ପର୍ବ ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ କାଳନ୍ଦୀ ହ୍ରଦକୁ ପଦ୍ମଫୁଲ ତୋଳିବାକୁ ଯିବା ସମୟରେ କାଳୀୟ ନାଗ ଶ୍ରୀକୃଷ୍ଣଙ୍କୁ ଦଂଶନ କରିଥିଲା । ବିଷଜ୍ୱଳାରେ ପ୍ରଭୁ ଶ୍ରୀକୃଷ୍ଣ ଅଚେତ ହୋଇ ଯାଇଥିଲେ । ଭକ୍ତ ଗରୁଡ ସେଠାରେ ପହଞ୍ଚି ବିଷ ହରଣ କରିବା ପରେ ଅମୃତ ଲଡୁ ଖୁଆଇବାର ଦୃଶ୍ୟ ବେଶ ମନମୁଗ୍ଧକର ହୋଇଥିଲା । ମନ୍ଦିରରେ ଗୋଧନ ବାହୁଡା ଧୂପ ପରେ ଠାକୁର ବିଜେ ପ୍ରତିମା ମଦନ ମୋହନ ଓ ଲବଣୀ ଚୋରା ସୁସଜିତ ବିମାନରେ ବସି ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପରେ ବିଜେ କରିଥିଲେ । ମଣ୍ଡପରେ ଉକ୍ତ ସାହିରେ ଥିବା ଗୋପାଳ ପରିବାରର କୂଳବଧୁମାନେ ବନ୍ଦାପନା କରି ଠାକୁରଙ୍କୁ ସର, ଲବଣୀ,ମାଖନ, ରସାବଳି, ଛେନା, ଖୁଆ ବିଭିନ୍ନ କ୍ଷୀରଜାତ ସାମଗ୍ରୀ ସହିତ ଚୁଡାଘଷା,ଖଇ,ଉଖୁଡା, କୋରା,ଫଳମୂଳ ଆଦି ଭୋଗ କରିଥିଲେ । ସେହିପରି ମନ୍ଦିର ତରଫରୁ ରାଧାକୁଣ୍ଡ ଠାରେ ଥିବା ମଣ୍ଡପକୁ ବିଶୋଧନ କରାଯିବା ସହ ପ୍ରତିଷ୍ଠା କରାଯାଇଥିଲା । ରଙ୍ଗବେରଙ୍ଗ ଆଲେକମାଳରେ ସୁସଜିତକ କରାଯାଇଥିଲା । ଅନ୍ୟ ପକ୍ଷେ ମନ୍ଦିର ପରିସରରେ କାଳୀୟ ନାଗଫଣା ରତ୍ନସିଂହାସନ ନିକଟରେ ଖଞ୍ଜାଯାଇ ଠାକୁର ବିଭିନ୍ନ ଅଳଙ୍କାର ସହ ବେଶ ହୋଇ ଏହି ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବା ପାଇଁ ମନ୍ଦିରରେ ଗହଳି ଲାଗିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୯/୨୦୨୧---୮,୦୦ Sakhigopal News, 3/9/2021