ମା ଜାଗେଶ୍ୱରୀଙ୍କ”ପ୍ରସିଦ୍ଧ କାଠିଯାତ୍ରା ଶେଷ
ସାକ୍ଷୀଗୋପାଳ ( ଅମୃତ ମିଡିଆ) ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ସ୍ଥିତ ଆରଧ୍ୟ ଦେବୀ ମା’ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ମହା ସମାରୋହରେ ମଙ୍ଗଳବାର ଦିନ ଅପରାହ୍ନରେ ପାଳିତ ହୋଇଯାଇଛି । ଭାଦ୍ରବ ଭାସ ଷଷ୍ଠୀ ତିଥିରେ ମାଙ୍କ ଆଖିରୁ ଯାବ ଖୋଲାଯିବା ପରେ ପ୍ରଥମେ ମା ଖଣ୍ଡାୟତ ସାହିରେ ଭୋଗ ଖାଇଥାନ୍ତି । ଦୁଆରି ଭୋଗ ଲାଗିବା ସମୟରେ ମାଙ୍କୁ ଭୋଗ ଭାବରେ ନିଶ୍ଚିତ ଆମିଷ ଭୋଗ ଓ ମଣ୍ଡାପିଠା ଭୋଗ ଅର୍ପଣ କରାଯାଇଥାଏ । ଏହି ଯାତ୍ରାପର୍ବ ୧୨ ଦିନ ଧରି ଚାଲିଥାଏ । ଏପରିକି ବାହାରେ ଚାକିରି କରିଥିବା ପୁଅ, ବୋହୁ ସହିତ ଝିଅ ଜ୍ୱାଇଁ ମାନଙ୍କ ସହିତ ବନ୍ଦୁ ବାନ୍ଦବରେ ଗ୍ରାମ ଗୁଡିକ ଗହଳି ଲାଗିଯାଇଥାଏ । =ଭୋଗ ଖାଇ ମା’ଙ୍କର ବିଜେ ପ୍ରତିମା ମଙ୍ଗଳବାର ଦିନ ମଧ୍ୟାହ୍ନରେ ମନ୍ଦିରକୁ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ, କାହାଳୀ, ଢୋଲ, ମହୁରୀ, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ୨୨ ହାତ ୨୨ ଅଙ୍ଗୁଳ ଲମ୍ବ ବିଶିଷ୍ଟ ଏକ ଶାଳ ଗଣ୍ଡ କାଠର ଅ୍ରଗ୍ର ଭାଗରେ ଫୁଲମାଳ ବନ୍ଧା ଯାଇଥିଲା । ଶ୍ରଦ୍ଧାଳୁ ଓ ମାନସିକ ଧାରୀ ମାନେ ମା’ଙ୍କୁ ଅର୍ପଣ କରିଥିବା ଶହଶହ ସଂଖ୍ୟାରେ ଶାଢ଼ୀ ଗୁଡିକ ମହାରଣା ସେବକମାନେ ସେହି କାଠିରେ ବାନ୍ଧିଥାନ୍ତି । ଗ୍ରାମର ରଜକ ସେବକ ମାନେ ଶାଢୀ ବାନ୍ଧିବାରେ ସହଯୋଗ କରିଥିଲେ । ଶାଢୀ ବନ୍ଧା ପର୍ବ ସରିବା ପରେ ସୁସଜ୍ଜିତ କାଠି ମା’ଙ୍କ ଶ୍ରୀଅଙ୍ଗରେ ଲଗାଯାଇ ବେଢା ପରିକ୍ରମା କରାଯାଇଥିଲା । ଭକ୍ତ ମାନଙ୍କ ଗହଣରେ କାଠିଟିକୁ ମନ୍ଦିର ଠାରୁ ଏକ କିଲୋମିଟର ଦୂର ବାରବାଟୀ ପଡିଆକୁ ବିରାଟ ପଟୁଆରରେ ନିଆଯାଇଥିଲା । ପଡିଆରେ କାଠିଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁ ଜମା ହୋଇଥିଲେ । ଉପସ୍ଥିତ ଭକ୍ତ ଓ ଦେଖାଣାହାରୀ ମାନଙ୍କ ହରିବୋଲ ଓ ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପି ଉଠିଥିଲା । ପରେ ପରେ ମା’ଙ୍କୁ ମହାପ୍ରସାଦ, ପଣା, ପଇଡ ପୂଜାରୀ ସେବକ ମାନେ ସମର୍ପଣ କରିଥିଲେ । ସେହି ୨୨ହାତ ଓ ୨୨ ଆଙ୍ଗୁଳି ବିଶିଷ୍ଟ କାଠିରେ ବସି ଦେବୀଙ୍କ ଶକ୍ତିଧାରୀ କାଳେସି ଗୁହାରିଆ ପଡିଥିବା ବିଭିନ୍ନ ଅଞ୍ଚଳର ମାନସିକ ଧାରୀଙ୍କ ମାନସିକ ତୁରନ୍ତ ପୂର୍ଣ୍ଣ ହେବ ବୋଲି ଆଶ୍ୱସନା ଦେବାସହ ପ୍ରସାଦ ଭାବରେ ଫୁଲ ଦେଇଥିଲେ । ତଥାପି ମାଙ୍କ ମହିମା ଏବେ ବି ଅତୁଟ ଗ୍ରାମବାସୀ ମାନଙ୍କ ମନରେ ରହିଛି । ଏବେ ମାଙ୍କର ମୁଖ୍ୟ ସେବକ ସଚ୍ଚିକାନ୍ତ ବରାଳ କାଠିଯାତ୍ରା ପଡିଆରେ ଥିବା ଶ୍ରଦ୍ଧାଳୁ ମାନଙ୍କୁ ଫୁଲ, ପାଦୁକ ଦେଇ ମାଙ୍କର ଆର୍ଶିବାଦ ଦେଇଥାନ୍ତି । ସଂନ୍ଧ୍ୟାରେ କାଠି ବାରବାଟି ପଡିଆରୁ ମନ୍ଦିରକୁ ଫେରିଥିଲା । ମନ୍ଦିରରେ ମାଙ୍କର ନୀତିକାନ୍ତି ସରିବା ପରେ ସେବକ ସଚ୍ଚିକାନ୍ତ ବାରାଳ ମାଙ୍କ ବିଜେ ପ୍ରତିମା ସୁରାଲାଗି ନିମନ୍ତେ ସୁରାଲାଗି ବରଗଛ ମୂଳରେ ରାତ୍ରି ଯାପନ କରାଇଥିଲେ । ଅଳଗୁମ ଗ୍ରାମରେ ଗହଳ ଚହଳ ଲାଗିବା ସହ ଉତ୍ସବ ମୁଖର ହୋଇପଡିଥିଲା । ଗୁରୁବାର ସକାଳୁ ଦେବୀଙ୍କର ଦାନ୍ତକାଠି ମାଜଣାପରେ ସମସ୍ତ ନୀତିକାନ୍ତି ସରିବା ପରେ ସୁନାବେଶରେ ଟାହିଆଲାଗି ଅନୁଷ୍ଠିତ ହେବ । ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଳମ୍ବିତ ରାତ୍ରିରେ ମା’ଙ୍କ ଅଖିଦ୍ୱୟରେ ପରମ୍ପାରା କ୍ରମେ ବଟାବିରି ଜାବ ଦେଇ ଆସନ୍ତା ବର୍ଷ ଷଷ୍ଠୀଓଷା ପର୍ଯ୍ୟନ୍ତ ଆଖି ବନ୍ଦ କରିଦିଆଯିବର ପରମ୍ପରା ବି ଏବେ ଜୀବିତ ରହିଛି । ସେହିଦିନ ନିର୍ଶାଦ୍ଧ ରାତିରେ ମନ୍ଦିରର ଚତୁଦିଗରେ କଣ୍ଟାକିଳା ପର୍ବ ହୋଇଥାଏ । ଯାହାକି ଏ ସମ୍ପର୍କେ ବିଶେଷ କରି ଲୋଗମାନେ ଜାଣିନଥାନ୍ତି । ଗ୍ରାମକୁ ବାହାର ଶ୍ରତୁ ବା ରୋଗ ଦାଉରୁ ରକ୍ଷା କରିବା ପାଇଁ ମାଙ୍କ ନିର୍ଦ୍ଦେଶ କ୍ରମେ ଏହି କଣ୍ଟାକିଳା ପର୍ବ ପାଳନ ହୋଇଥାଏ । ତାପରଦିନ ଏହି କଣ୍ଟାକିଳା ନେବା ପାଇଁ ଭକ୍ତ ମାନଙ୍କର ଗହଳି ଲାଗିଥାଏ । ବିଶେଷ କରି ପିଲାମାନଙ୍କର ପିହୁଳା, ପତଳାଝାଡା, ଜ୍ୱର, ଚମକିବା ଆଦି ରୋଗ ପାଇଁ ଏହା କାମ କରିଥାଏ ବୋଲି ଏବେବି ଲୋକମାନଙ୍କ ମନରେ ଅତୁଟ ବିଶ୍ୱାସ ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୯/୨୦୨୧-----୧୦,=୩୫ , Sakhigopal News, 21/9/2021
=