Breaking News

ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ କବି ସମ୍ରାଟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ଶୋକସଭା


ଭଞ୍ଜନଗର - ବିଶିଷ୍ଟ ସାରସ୍ୱତ ସାଧିକା, ସମାଜସେବୀ, ମାନବବାଦକୁ ଜୀବନର ବ୍ରତରୂପେ ଗ୍ରହଣ କରିଥିବା ପ୍ରତିଷ୍ଠିତ ଖବର କାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା, ସୁବକ୍ତା ଡ଼.ମନୋରମା ମହାପାତ୍ରଙ୍କ ବିୟୋଗରେ ଭଞ୍ଜନଗରଠାରେ କବି ସମ୍ରାଟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କବିସମ୍ରାଟ ସାହିତ୍ୟ ସଂସଦର ସଭାପତି ଡ. ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାରେ କବି କଥାକାର ନୋଟାରୀ ସୋମନାଥ ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ । ମୁଖ୍ୟ ଅତିଥି ୰ ମନୋରମା ମହାପାତ୍ରଙ୍କ ସ୍ମୃତିଚାରଣ ଅବସରରେ ତାଙ୍କ ସଂସ୍କାରିତ ଜୀବନ, ସାହିତ୍ୟରେ ନିରନ୍ତର ସାଧନା ଏବଂ ନିଜର ମୌଳିକ ଦୃଷ୍ଟିଭଙ୍ଗୀ ଦ୍ୱାରା ସମଗ୍ର ଓଡ଼ିଶାରେ କିପରି ନିଜର ଦିଗନ୍ତ ବିସ୍ତାରୀ ପ୍ରଭାବ ସୃଷ୍ଟି କରିପାରିଥିଲେ ତାହାର ନିଚ୍ଛକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । କବି ପ୍ରଶାନ୍ତ ମହାନ୍ତି ୰ମହାପାତ୍ରଙ୍କ ସାରସ୍ୱତ ଦିଗ ଏବଂ ମାନବାବାଦ ଦୃଷ୍ଟିକୋଣକୁ ରୋମନ୍ଥନ କରିଥିବାବେଳେ, ରବିନ୍ଦ୍ର ନାଥ ପାତ୍ର ୰ ମନୋରମାଙ୍କ ସହ ବିତିଥିବା ତାଙ୍କ ଅସରନ୍ତି ଅନୁଭବକୁ ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ରବିନ୍ଦ୍ରନାଥ ଆଚାର୍ଯ୍ୟ, କବି ବଳରାମ ସ୍ୱାଇଁ, ଡ. ଗୁରୁମୂର୍ତି ନାୟକ, ପଣ୍ଡିତ ବିପ୍ରଚରଣ ସାହୁ, ଅଧ୍ୟାପକ ଅଶୋକ ସ୍ୱାଇଁ, ଅଧ୍ୟାପିକା ସୁଜାତା ସିଂ, ହରିକୃଷ୍ଣ ସାହୁ, ଡ଼ା. ଗାୟତ୍ରୀ ସାହୁ ପ୍ରମୁଖ ୰ ମନୋରମାଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ ସ୍ମୃତିଚାରଣ ସଭାରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ସଭାପତିଙ୍କ ଭାଷଣ ପରେ ଅନୁଷ୍ଠାନର ସହ ସମ୍ପାଦକ କୁମାର କାର୍ତିକେଶ୍ୱର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୯/୨୦୨୧----୬,୧୫
 Sakhigopal News,26/9/2021

Popular Posts