ପାଣିରେ ବୁଡି ଯୁବକର ଅକାଳ ମୃତ୍ୟୁ -
ଜଟଣୀ---- ସ୍ଥାନୀୟ ସେଞ୍ଚୁରୀୟାନ କଲେଜ ନିକଟସ୍ଥ ପଥର ଖଣିରୁ ଏକ ଯୁବକର ମୃତ ଦେହ ପୋଲିସ ଜବତ କରିଛି । ପ୍ରାପ୍ତ ସୂଚନା ଅନୁସରେ ଜଟଣୀ ଥାନା ଅନ୍ତର୍ଗତ ଲୋକ କଲୋନୀ ବାସିନ୍ଦା ରେଳବାଇ କର୍ମଚାରୀ ସୁରେଶ ନାଏକଙ୍କ ପୁତ୍ର ଶ୍ରୀତମ ନାଏକ (୨୪ବର୍ଷ )ଆଜି ସକାଳେ ପ୍ରତିଦିନ ଭଳି ନିଜ କର୍ମକୁ ବାହାରି ଯାଇଥିଲେ । ସେ ଠିକା ସଫେଇ କର୍ମଚାରୀ ଥିଲେ । ନିଜର ସଫେଇ କାମ ସାରି କିଛି ସାଥୀଙ୍କ ସହ ସେଞ୍ଚୁରୀୟାନ ପାଖ ପଥର ଖଣିକୁ ଗାଧୋଇବା ପାଇଁ ଯାଇଥିଲେ । କାରଣ ସେହି ପଥର ଖଣିରେ ବର୍ଷା ଦିନେ ତଥା ଏହି ଏକ ସପ୍ତାହ ହେବ ଲଗାଣ ଲଘୁଚାପ ବର୍ଷାରେ ପାଣି ପୂର୍ଣ୍ଣ ରହିଛି । ଶ୍ରୀତମ ନାଏକ ପହଁରା ଜାଣିନଥିବା ପରିବାର ପକ୍ଷରୁ କୁହାଯାଇଛି । ପଥର ଖଣିରେ ସାଧାରଣତଃ ଗାଧୋଇବାପାଇଁ ତୁଠ ନ ଥାଏ । ସେହି କାରଣରୁ ଗାଧୋଇବାକୁ ଯିବା ବେଳେ ନିଜର ଭାରସାମ୍ୟ ହରାଇ ଖଣିରେ ବୁଡ଼ିଯାଇ ମୁର୍ତ୍ୟୁ ବରଣ କରିଥିବା ଜଣାପଡିଛି । ଯୁବକର ସାଥିମାନେ ଏହି ଅବସ୍ଥା ଦେଖି ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଖବର ପାଇଁ ଯୁବକର ଆତ୍ମୀୟ ସଂଗ୍ରାମ ନାଏକ ଜଟଣୀ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଲିଖିତ ଅଭିଯୋଗକୁ ଆଧାରକରି ଜଟଣୀ ଥାନା ଆଇ.ଓ. ଜଳନ୍ଧର ନାୟକ ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତ ଦେହ ଉଦ୍ଧାର କରି ଅପମ୍ୟୁର୍ତ୍ୟୁ ମାମଲା 36/2021 ରେ ୠଜୁକରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇ ଥିଲେ । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପ୍ରତିନିଧି ଅନନ୍ତ ବେହେରା ଏବଂ ଆଲୋକ ମହାନ୍ତି ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ସହାନୁଭୂତି ପୂର୍ଣ୍ଣ ସାହାଯ୍ୟର ହାତ ବଢ଼ାଇଥିଲେ । କହିବାକୁ ଗଲେ ଜଟଣୀ ଚାରି ପାଖରେ ଖଣି ମାଫିଆମାନେ ପଥର ଖାଦାନ ଲୁଟ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଆଖିରେ ଅନ୍ଧପୁଟଳୀ ବାନ୍ଧି ବସି ରହିଛନ୍ତି । ଖଣି ଖୋଳି ସେହି ସ୍ଥାନକୁ ସଙ୍ଗେ ସଙ୍ଗେ ପୋତା ଯିବା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଜରାଜୀର୍ଣ୍ଣ ଅବସ୍ଥାରେ ଛାଡି ପଳାଉଛନ୍ତି । ଯାହା ଫଳରେ ବର୍ଷା ଦିନେ ଖଣିରେ ପାଣି ଜମାହୋଇ ରହୁଛି । ସେହି ଖଣି ମାନଙ୍କରେ ବେଳେ ବେଳେ ବୁଲା ପଶୁ ମାନେ ପାଣି ପିଇବା ଆଶାରେ ଯାଇ ବୁଡି ମରିଥିବାର ନଜର ରହିଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜଟଣୀ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରା ,୧୮/୯/୨୦୨୧----୯,୨୦ Sakhigopal News,18/9/2021