ବାଛରା ପାଟଣା ସ୍ମଶାନ ଭୂଇଁ ଜବର ଦଖଲରେ
ଜଟଣୀ ---ଜଟଣୀ ପୌରପରିଷଦ ଅଧୀନରେ ଥିବା ୱାର୍ଡ ନଂ୧୨ ଗୋରାଧର୍ମସାଗରରେ ଅବସ୍ଥିତ ବାଛରାପାଟଣା ସ୍ମଶାନ ନାମରେ ପରିଚିତ ସ୍ମଶାନ ଭୂଇଁ ବର୍ତ୍ତମାନ କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଜବରଦଖଲରେ ରହିଛି । ୱାର୍ଡ ନଂ ୧୨ରେ ବାଛରା ପାଟଣା ପାହାଡର ପାଦଦେଶର ଉତ୍ତର ଭାଗରେ ମେଗା ପ୍ରକଳ୍ପର ଜଳ ଯୋଗାଣ ସଂସ୍ଥାକୁ ଯିବାକୁ ଥିବା ରାସ୍ତା ଏବଂ ସେହି ସଲଗ୍ନ ସ୍ମଶାନ ଭୂଇଁକୁ ଯିବାକୁ ଏକ ମାତ୍ର ରାସ୍ତା ବର୍ତ୍ତମାନ ସଂକୁଚିତ ହେବାରେ ଲାଗିଛି । ଏହି ସ୍ମଶାନକୁ ବ୍ୟବହାର କରିବା ପାଇଁ ବାଛରା ପାଟଣାରେ ବସବାସ କରୁଥିବା ୧୦ ହଜାରରୁ ଉର୍ଦ୍ଧ ଗ୍ରାମବାସୀ ତଥା ହାଟବଜାର, ବାଛରା, ରେଳବାଇ ଅଞ୍ଚଳର ଆକାଉଣ୍ଟସ କଲୋନୀ, ଟ୍ରାଫିକ କଲୋନୀରେ ବସବାସ କରୁଥିବା ଶତାଧିକ ବାସିନ୍ଦା ନିର୍ଭର କରିଥାନ୍ତି । ରାମଚନ୍ଦ୍ରପୁର ମୌଜା, ଗୋରାଧର୍ମସାଗର ଏବଂ ପାଖାପାଖି ଅନେକ ଲୋକ ଏହି ଏକ ମାତ୍ର ସ୍ମଶାନରେ ଶବଦାହ କରିବାପାଇଁ ନିର୍ଭର କରିଥାନ୍ତି । ବର୍ତ୍ତମାନ ସ୍ମଶାନର ଅବସ୍ଥା କହିଲେ ନ ସରେ । ଏହି ସ୍ମଶାନକୁ ଯିବାକୁ ଥିବା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ୱରେ କିଛି ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମିକୁ ଅକ୍ତିଆର କରି ଘର ନିର୍ମାଣ କରି ରାସ୍ତାକୁ ସଂକୁଚିତ କରିବାରେ ଲାଗିଛନ୍ତି । ବର୍ତ୍ତମାନ ସେହି ରାସ୍ତା ବନ୍ଦ ହେବାକୁ ଲାଗିଲାଣି । ସ୍ମଶାନର ଯେଉଁ ସ୍ଥାନରେ ଶବଦାହ କରାଯାଉଛି ଏବଂ ସ୍ମଶାନକୁ ଲାଗି ରହିଥିବା ସରକାରୀ ଜମିରେ ଅନେକ ଛୋଟ ବଡ ବୃକ୍ଷ ଉଠି ସ୍ମଶାନରେ ଲୋକଙ୍କୁ ଛାୟା ପ୍ରଦାନ କରୁଥିବା ବେଳେ ସେହି ବୃକ୍ଷ ଗୁଡିକୁ କିଛି ମୁଷ୍ଟିମେୟ ଲୋକ ହାଣି ପଦା କରୁଛନ୍ତି । ସ୍ମଶାନରେ ପାଣିର ବ୍ୟବସ୍ଥା ନାହିଁ । ସ୍ମଶାନରେ ଶବଦାହ କରିବାପାଇଁ ଆସୁଥିବା ସମ୍ପର୍କୀୟ ମାନଙ୍କ ପାଇଁ ବିଶ୍ରାମସ୍ଥଳୀ ନାହିଁ । ତେଣୁ କରି ବର୍ଷା ଦିନେ ଶବଦାହ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । କିଛି ବ୍ୟକ୍ତିଙ୍କର ନିଜ ଗ୍ରାମରେ ନିଜ ପୈତୃକ ସମ୍ପତି ଥାଇ ସହରରେ ରହିବା ଉଦେଶ୍ୟରେ ଆସି ନିକଟସ୍ଥ କୁଜିନେତାଙ୍କ ସହ ସମ୍ପର୍କ ରଖି ଏବଂ ପୌରପାଳିକାର କିଛି ଅସାଧୁ କର୍ମଚାରୀଙ୍କୁ ହାତକରି, ଟଙ୍କାପଇସା କାରବାର କରି ଉଷା ସର୍ଭେରେ ନିଜ ନାମରେ ପଟ୍ଟାକରି ଘରଦ୍ୱାର କରି ସେଠାରେ ବସବାସ କଲେଣି । ବର୍ତ୍ତମାନ ସେଠାରେ ସ୍ମଶାନ ଭୂଇଁ ଅଦୃଶ୍ୟମାନ ସଦୃଶ୍ୟ ହେଲାଣି । ସ୍ମଶାନ ଭୂଇଁର ଚାରିପାଖରେ ଥିବା ସରକାରୀ ଜମିକୁ କୁଜିନେତା, ପ୍ରଭାବଶାଳୀ ବ୍ୟକ୍ତି ଏବଂ ଜମିମାଫିଆଙ୍କ କବ୍ଜାରେ ରହିଛି ବୋଲି ଜଣସାଧାରଣରେ ଆଲୋଚନା ହେଉଛି । ଏଥିପାଇଁ ସେଠାକାର ସ୍ଥାନୀୟ ବାସିନ୍ଦା ଏହି ବାବଦରେ ପ୍ରଶାସନିକ ଅଧିକାରୀ ଯଥା-ଜଟଣୀ ତହସିଲଦାର, ଜଟଣୀ ଆର. ଆଇ ଏବଂ ପୌରଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯଦି ଏକ ମାସ ମଧ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା କିଛି କାର୍ଯ୍ୟକାରୀ ନ ହୁଏ ତେବେ ସେମାନଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୯/୨୦୨୧---- ୬,୨୦
Sakhigopal News,25/9/2021