ସାବିତ୍ରୀ ଓ ରଜ ପାଇଁ ଅସମ୍ଭାଳ ଭିଡ଼
ଜଟଣୀ --ବ୍ୟବସାୟର ପେଣ୍ଠସ୍ଥଳୀ ଜଟଣୀ ଓ ଏହାର ଆଖପାଖ ଅଞ୍ଚଳରେ କରୋନାର ଦ୍ଵିତୀୟ ଲହରର ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ଜଟଣୀ ଅଞ୍ଚଳର ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । କିଛି ଲୋକ କରୋନାରେ ସଂକ୍ରମିତ ସତ୍ୱେ ଲୋକମାନଙ୍କର ଖାମଖିଆଲି ନୀତି ପାଇଁ ଆଜି ଲକଡାଉନ ପ୍ରଭାବହିନ ହେବାରେ ଲାଗିଛି । ଆଗକୁ ସାବିତ୍ରୀ ଓ ରଜ ପର୍ବ ଥିବାରୁ ଏବେ ଠାରୁ ଅସମ୍ଭାଳ ଭିଡ଼ ହୋଇପଡ଼ିଲାଣି । ପ୍ରଶାସନ ଚୁପ ରହିବା ଫଳରେ ବଜାରରେ ଗହଳି ବଢ଼ିବାରେ ଲାଗିଛି । ଜଟଣୀ ହରିଭାଇନା ଛକ, ଥାନା ଛକ, ବିଶେଷ କରି ସୀତାରାମ ଛକ, ବଡବଜାର, ରାଜାବଜାର ବିଭିନ୍ନ ଦୋକାନରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଛି ।
କରୋନା କଟକଣାକୁ ଲୋକମାନେ "ଫୁ "କରି ଦେଇଛନ୍ତି । ଦିନ ୧୧ ଟାରେ ପରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ନିୟମ ରହିଥିବା ବେଳେ ଏହି ନିୟମକୁ ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ବିଶେଷ କରି ଲୁଚା ଛପାରେ ଲେଡ଼ିଜକର୍ଣ୍ଣର, ଡ୍ରେସ ଓ ଲୁଗା ଦୋକାନରେ ଭିଡ଼ ଜମୁଛି । ଏହାର ସୁଯୋଗରେ ରାଜାବଜାର ଅଞ୍ଚଳର ମୋବାଇଲ ସୋରୁମ, ସୁନା ଦୋକାନ, ଟିଭି, ଫ୍ରିଜ, ଫ୍ୟାନ ହୋଲସେଲ ଦୋକାନ ମଧ୍ୟ ଖୋଲିବାର ଦେଖିବାକୁ ମିଳିଛି । ପୋଲିସ ଗାଡି ଦେଖି ବନ୍ଦ କରିଦେଉଛନ୍ତି । ପୁଣି ପୋଲିସ ଗାଡି ଚାଲିଗଲାପରେ ଯାହାକୁ ତାହା । ଦୋକାନ ସମ୍ମୁଖ ସଟର ଅଧା ବନ୍ଦ କରି ଭିତରେ ବେପାର ଚଳାଉଛନ୍ତି । ଅତ୍ୟଆବଶ୍ୟକୀୟ ସାମଗ୍ରୀ ଦୋକାନରେ ଦୁଇ ମିଟର ଦୂରତା ରକ୍ଷାକରି କିଣା କିଣି କରିବା ନିୟମ ଜାରି ହୋଇଛି । ହେଲେ ଏହିସବୁ ଦୋକାନରେ ସାମାଜିକ ଦୂରତା ନିୟମକୁ ବେଖାତିରି କରୁଛନ୍ତି ଗ୍ରାହକମାନେ । ସେହିଭଳି ରାତି ହେଲେ ରାଜାବଜାର, ମୁଣ୍ଡିଆ ସାହି, ଗଜପତି ନଗର, ଭଗବତୀ କଲୋନୀ, ମାଣିଆ ଛକ, ହାଟ ବଜାର ଅଂଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ହେଉଛି । ଜଟଣୀ ପୌରପରିଷଦ ପକ୍ଷରୁ ସଟଡାଉନ ପୂର୍ବରୁ ଗାଡ଼ିରେ ପ୍ରଚାର କରାଯାଇ ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ସଚେତନତା କରାଯାଇଥିଲା । ପୁଣିଥରେ ଦୈନିକ ପ୍ରଚାର ଗାଡି ବୁଲାଇବା ଜରୁରୀ ହୋଇ ପଡିଛି । ପୋଲିସ ପକ୍ଷରୁ ଦିନ ରାତି ପେଟ୍ରୋଲିଂ କଡାକଡି କରିବା ଜରୁରୀ ହୋଇପଡିଛି । ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ କଟକଣାକୁ କଡା କଡି ଭାବେ ପାଳନ କରିବା ଆବଶ୍ୟକ ରହିଛି ବୋଲି ସେମାନେ କହିଛନ୍ତି।
ଜଟଣୀ --ରଙ୍ଗନାଥ ବେହେରା ,୮/୬/୨୦୨୧----୪,୩୫ Sakhigopal News,8/6/2021