ଅପାସୋରା ଅତୀତ.... "ଗସମାହା" ଅପରେସନକୁ ପୁରିଲା , ୧୪ ବର୍ଷ
Apasora's past ... Completed the "Gasmaha" operation, 18 years old
ଭଞ୍ଜନଗର--- କେହିକିଛି ବୁଝିବା ଆଗରୁ , ଆରମ୍ଭ ହୋଇଯାଇଥିଲା ମାଓବାଦୀ ଓ ଜବାନ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ୩ ଘଣ୍ଟା ଧରି ଚାଲିଥିଲା ତୁହାକୁ ତୁହା ଗୁଳି ବିନିମୟ । ୨୦୦୮ ମସିହା ଫେବୃଆରୀ ୧୬ ତାରିଖ ଘଟଣା । ସମୟ ପ୍ରାୟ ଦିନ ୩ ଟା ସମୟ । ଗଂଜାମ କନ୍ଧମାଳ ସୀମାର “ଗସମାହା” ପାହାଡ଼ରେ ରହିଥିବା ମାଓବାଦୀ ଙ୍କୁ ଘେରି ଯାଇଥିଲେ ଓଡ଼ିଶା ପୋଲିସ , CRPF ଜବାନ୍ ଓ SOG ବାହିନୀ । ଆରମ୍ଭ ହେଲା ଆଖିବୁଜା ଗୁଳିମାଡ଼ । ମାଓବାଦୀ ମାନଙ୍କ ଦ୍ବାରା ମଧ୍ୟ , ପ୍ରତିଆକ୍ରମଣ ହେଲା । ଘଟଣାସ୍ଥଳରୁ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଲେ । ତା'ପୂର୍ବରୁ ରକ୍ତମୁଖା ମାଓବାଦୀଙ୍କ ଗୁଳିରେ , ଶହୀଦ ହେଲେ ୩ ଜଣ ଜବାନ । ଏହାଥିଲା ଗଂଜାମ ଜିଲ୍ଲା ଭଂଜନଗର ଥାନା ଓ କନ୍ଧମାଳ ଥାନା ଅନ୍ତର୍ଗତ ଗସମାହା ଠାରେ ହୋଇଥିବା , ରାଜ୍ୟର ଏକ ସମ୍ବେଦନଶୀଳ ମାଓ ମୁକାବିଲାର ଚର୍ଚ୍ଚିତ ଘଟଣା ।
ଫେବୃଆରୀ ୧୫ ରେ ନୟାଗଡ଼ ପୋଲିସ ଅସ୍ତ୍ରାଗାରରୁ , ଶତାଧିକ ଶସସ୍ତ୍ର ମାଓବାଦୀ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଲୁଟିବା ପରେ ସେ ସବୁକୁ ଦୁଇଟି ୪୦୭ ଗାଡିରେ ଧରି ରାତାରାତି ଚାଲିଆସିଥିଲେ ଗଂଜାମ କୁ । ଦଶପଲ୍ଲା ରାସ୍ତା ଦେଇ ଆସିବା ସମୟରେ ଗଂଜାମର ଗାଲେରୀ ଠାରେ ଥିବା ପୋଲିସ୍ ଫାଣ୍ଡି କୁ ଲ୍ୟାଣ୍ଡମାଇନ ଲଗାଇ ବିସ୍ଫୋରଣରେ ଉଡାଇ ଦେଇଥିଲେ ମାଓବାଦୀ । ସେଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଥିବା ଗସମାହା ଜଙ୍ଗଲକୁ ଯାଇଥିଲେ ମାଓବାଦୀ । ଅପରାହ୍ନରେ ପୋଲିସ ଓ ଜବାନ୍ ଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ । ଘଟଣା ପରେ ମାଓ ଶୂନ୍ୟ ହେଲା ସମୁଦାୟ ଅଞ୍ଚଳ । ପୋଲିସ ଦ୍ବାରା ଜଙ୍ଗଲରୁ ଉଧାର ହେଲା ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ହୋଇଥିବା ଶହଶହ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ । ଗସମାହା ଅପରେସନ କୁ ୧୪ ବର୍ଷ ବିତିଯାଇଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାର ଗସମାହା ଗାଁ ସମେତ ଆଖପାଖ ଗାଁ ଓ ଗସମାହା କୁ ଲାଗିରହିଥିବା ଗଂଜାମ ଜିଲ୍ଲାର ବିଭିନ୍ନ ଗାଁ ମାନଙ୍କରେ ବିଭିନ୍ନ ସମସ୍ୟା ର ସମାଧାନ ହୋଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି , ସ୍ଥାୟୀ ସେତୁ , ବିଜୁଳି ଓ ପିଇବା ପାଣିର ସମାଧାନ ହୋଇଛି । ଗରୀବ ଓ ଆଦିବାସୀ ଙ୍କ ମୈ।ଳିକ ସମସ୍ୟା ପ୍ରାୟତଃ ସମାଧାନ ହୋଇପାରିଛି । ଆଉ କିଛିକିଛି ସମସ୍ୟା ବି ରହିଛି ।
ଏବେ ମାଓବାଦୀଙ୍କ ଭୟ କିମ୍ବା ଅବାଧ ବିଚରଣ ଆଉ ଦେଖିବାକୁ ମିଳୁନି । ବର୍ତମାନ ପଞ୍ଚାୟତ ନିର୍ବାଚନ । ଗସମାହା ଜଙ୍ଗଲର ଏପଟେ ଗଂଜାମ , ସେପଟେ କନ୍ଧମାଳ ଜିଲ୍ଲା । ଉଭୟ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ , ସଂପୃକ୍ତ ଜିଲ୍ଲାର ପ୍ରାର୍ଥୀ ମାନେ ଆଖପାଖ ଗାଁ ରେ ଚଳାଇଛନ୍ତି ପ୍ରଚାର କାର୍ଯ୍ୟ । ଗାଁ ଗଣ୍ଡାରେ ଲାଗିଛି ନେତାଙ୍କ ପୋଷ୍ଟର । ଦିନେ ଯେଉଁ ଅଞ୍ଚଳ ମାଓ ସଂଗଠନର କରିଡ଼ର ପାଲଟିଥିଲା , ଏବେ ସେହି ଅଞ୍ଚଳରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ନେଇ ପୋଲିସ ପଇଁତରା ମାରୁଛି । ପୋଲିସ୍ ଉପରେ ଲୋକଙ୍କ ଭରସା ବଢିଛି । ବେଳେ ବେଳେ ମାଓବାଦୀଙ୍କ ଚଳପ୍ରଚଳ ନେଇ ଆଲୋଚନା ହେଉଥିବା ବେଳେ , ଏହାର ସତ୍ୟତା ସ୍ପଷ୍ଟ ହୋଇପାରିନି । ତଥାପି ଏବେ ଅତୀତର ଭୟ ନଥିଲେ ମଧ୍ୟ ଆଶଙ୍କା ଦୂର ହୋଇପାରିନି । ଆଗକୁ ଅତୀତର ସେହି ତିକ୍ତ ଘଟଣାର ଯେପରି ପୁନରାବୃତ୍ତି ନହେବ , ସେଥିପାଇଁ କେବଳ ପୋଲିସ ଓ ପ୍ରଶାସନର ଦାୟିତ୍ଵ କହି ଚୁପ୍ ରହିଗଲେ ହେବନାହିଁ ବରଂ ନିର୍ବାଚିତ ହେବାକୁ ଯାଉଥିବା ଲୋକପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ସଚେତନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୨----୯,୫୫
Sakhigopal News,15/2/2022