ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ନୂତନ ଗଣେଶ ବିଗ୍ରହ ପ୍ରତିଷ୍ଠା ଓ ପୁରୁଣା ବିଗ୍ରହ ପାତେଳି ଉତ୍ସବ
Establishment of new Ganesha idol at Sakshigopinath temple and celebration of old idol pateli.
ସାକ୍ଷୀଗୋପାଳ-----ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପରିସରରେ କାହିଁ କେଉଁ କାଳରୁ ଗଣେଶଙ୍କ ବିଗ୍ରହ ପୂଜା ପାଇ ଆସୁଥିଲେ । ଏହି ଗଣେଶ ମୂତ୍ତି ମଧୁବୈଶ୍ୟ ସମିତି ପକ୍ଷରୁ ବସାଯାଇଥିଲା । ମାତ୍ର ତାହା ଭଗ୍ନ ହୋଇଯିବାରୁ ମଧୁବୈଶ୍ୟ ସମିତି, ସାକ୍ଷୀଗୋପାଳ ଓ ଚନ୍ଦନପୁର ଅନୁଷ୍ଠାନ ପକ୍ଷରୁ ନୂତନ ଗଣେଶ ବିଗ୍ରହ ଅଣାଯାଇ ଚାରି ଦିନ ଧରି ହୋମଯଜ୍ଞ ସହିତ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର ପୁରାଣ ପଣ୍ଡିତ ରାଜ କିଶୋର ମହାପାତ୍ର ଓମନ୍ଦିର ପୁରୋହିତ ଗୋପିନାଥ ଦାଶଙ୍କ ଅଧ୍ୟକ୍ଷତାରେ ପୁରୁଣା ବିଗ୍ରହଙ୍କୁ ବିସର୍ଜନ କରାଯାଇ ମନ୍ଦିର ପଶ୍ଚିମ ପଟେ ପାତେଳି କରାଯାଇଥିଲା । ନୂତନ ବିଗ୍ରହ ପ୍ରତିଷ୍ଠା ଅବସରର ଅଙ୍କୁରରୋପଣ, ଜଳଯାତ୍ରା, ପଞ୍ଚକର୍ମ, ସୂର୍ଯପୂଜା, ଗୋ ପୂଜା, ଶାଲାପ୍ରବେଶ, ଶାଲାପୂଜା, ଅଗ୍ନିସ୍ଥାପନ, ଗର୍ଭାଧାନ, ୧୦୮ କଳସରେ ଅଭିମନ୍ତ୍ରିତ ସୁବାସିତ ଜଳରେ ମହାସ୍ନାନ କରାଯିବା ସହ ନୂତନ ଗଣେଶଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା, ନବଯୌବନ ଦର୍ଶନ ପରେ ମନ୍ଦିରକୁ ପ୍ରବେଶ କରାଯାଇଥିଲା ।ଏହି ଅବସରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କର୍ତ୍ତା ଭାବେବୃନ୍ଦାବନ ସାହୁ ରହିଥିବା ବେଳେ କର୍ତ୍ତୀ ଭାବେ ଲକ୍ଷ୍ମୀପିୟା ସାହୁ ରହିଥିଲେ । ପଣ୍ଡିତ ନିଳାଦ୍ରି ବିହାରୀ ମିଶ୍ର ଓ ପୁରାଣ ପଣ୍ଡିତ ଶ୍ରୀବତ୍ସ ଲାଞ୍ଚନ ମହାପାତ୍ର ସମସ୍ତ କାର୍ଯ୍ୟ ସମାପନ କରିଥିଲେ । ମଧୁବୈଶ୍ୟ ସମିତିର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ, ଉପସଭାପତି ବନମାଳୀ ସାହୁ, ଭେଳାନାଥ ସାହୁ, ଲକ୍ଷ୍ମୀଧର ସାହୁ, ତପନ କୁମାର ସାହୁ, ଲକ୍ଷ୍ମଣ ସାହୁ, ଭରତ ସାହୁ , ଜୟକୃଷ୍ଣ ସାହୁ ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ସହିତ ମନ୍ଦିରର ସେବାୟତ ମାନେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାତ୍ରରେ ମଧୁବୈଶ୍ୟ ସମିତି ପକ୍ଷରୁ ଶଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୨---୩,୧୫