Breaking News

ଜମି ମାଫିଆ ମାନେ ଶ୍ମସାନ ଓ ଗୋଚର ଜମି ହଡପକୁ ନେଇ ଗ୍ରାମବାସୀଙ୍କ କ୍ଷୋଭ


 ଜଟଣୀ----- ଜଟଣୀବ୍ଲକ ଅନ୍ତର୍ଗତ ଛଣଘର ପଞ୍ଚାୟତର ଓଗରସୂଆଁ ରାସ୍ତାର ବ୍ରିଜ ନିକଟରେ ଏକ ଗୋଚର ଜମି ରହିଛି । ଯାହାର ସାବକ ପ୍ଲଟ ନଂ -୫୧୬  ଏବଂ ହାଲ ପ୍ଲଟ ନଂ -୫୫୨ ଓ କିସମ ଗୋଚର ଅଟେ । ଏହି ଜମିରେ ଗ୍ରାମର ଗୋରୁଗାଈମାନେ ଚାରଣ କରିବା ସହିତ ଦଳିତ ପରିବାର ଲୋକମାନଙ୍କର ଶବଶକ୍ତାର କରାଯାଇଥାଏ । ମାତ୍ର ଏହି ଜମିକୁ କେତେକ ଜମି ମାଫିଆମାନେ ହଡପ କରିଥିବା ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ଫଳରେ ଉକ୍ତ ଜମିଉପରେ ମୋରମ ଓ ମାଟି ପକାଇ ନିଜ ଅକ୍ତିଆରକୁ ନେବାକୁ ବସିଛନ୍ତି । ଗ୍ରାମବାସୀମାନେ ଏନେଇ ଗତ ୨୦୧୪ ମସିହାଠାରୁ ବିରୋଧ କରିଆସୁଛନ୍ତି ।  ଏନେଇ ଗ୍ରାମବାସୀମାନେ ଲିଖିତ ଅଭିଯୋଗ ପ୍ରଶାସନ ଓ ବିଧାୟକଙ୍କୁ ପ୍ରଦାନ କରିଛନ୍ତି । ୨୦୧୪ ମସିହା ଜାନୁୟାରୀ ମାସରେ  ଜମି ମାଫିଆମାନେ ଏହି ରାସ୍ତାଉପରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟାରମ୍ଭ କରିବା ସମୟରେ  ଗ୍ରାମବାସୀମାନେ ବିରୋଧ କରିଥିଲେ । ଏଥି ସହିତ ତତକାଳିନ ଖୋର୍ଦ୍ଧାଜିଲାପାଳଙ୍କୁ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗପରେ ଏହି କାର୍ଯ୍ୟକୁ ପ୍ରଶାସନ ବନ୍ଦ କରିଦେଇଥିଲା । ଏହି ରାସ୍ତା କାମ ୨୦୨୧ ଜାନୁୟାରୀ ମାସରୁ ଏହି ଆରମ୍ଭ ହୋଇଛି ।  ଏନେଇ ଗ୍ରାମବାସୀଙ୍କ ପୁଣି ଅଭିଯୋଗପରେ ବିଧାୟକ,ଜିଲାପାଳ ଓ ପୁଲିସର ହସ୍ତକ୍ଷେପ ପରେ ଏହିକାର୍ଯ୍ୟ ବନ୍ଦ ରହିଥିଲା । ଏହି ରାସ୍ତାର ସମସ୍ୟାକୁ ନେଇ ଗ୍ରାମବାସୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଠାରେ ଏକ ଶୁଦ୍ଧକ୍ରିୟା ମଣ୍ଡପ ନିର୍ମାଣ କରାଯାଇଥିଲା ।  ଶନିବାର ପୁଣି ଏହି ରାସ୍ତାରେ  ତୃତୀୟ ପର୍ଯ୍ୟାୟଭାବେ ମାଫିଆମାନେ କାର୍ଯ୍ୟାରମ୍ଭ କରିଛନ୍ତି । ଦିବାଲୋକରେ ଜେସିବି ମାଧ୍ୟମରେ ରାସ୍ତାକୁ ସଫା ସୁତରା କରିବା ସହିତ ରାତି ସମୟରେ ମାଟି ଓ ମୋରମ ପକାଇ ରାସ୍ତା ନିର୍ମାଣ କରିଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି  । ସରକାରଙ୍କ ଅର୍ଥରୁ ବ୍ୟୟ ହୋଇ ନିର୍ମାଣ ହୋଇଥିବା ଶୁଦ୍ଧକ୍ରିୟା ମଣ୍ଡପକୁ ମାଫିଆମାନେ ଭାଙ୍ଗିଦେଇ ସେଥିରେ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଥିବାରୁ ଗ୍ରାମବାସୀମାନେ ରବିବାର ପୁର୍ବାହ୍ନରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଗ୍ରାମବାସୀମାନେ କହିଛନ୍ତି ଯେ, ଗ୍ରାମବାସୀମାନଙ୍କର ରହିଥିବା ଗାଈଗୋରୁ ଓ ଛେଳିମେଣ୍ଢା ଇତ୍ୟାଦି ଏହି ଜମିରେ ଚାରଣ କରିଥାନ୍ତି । ଏବଂ ଦଳିତ ସାହିର ଲୋକମାନେ ଏଠାରେ ଶ୍ମସାନଟିଏ ନିର୍ମାଣ କରିଛନ୍ତି । ତେଣୁ  ସେଗୁଡିକୁ ଜଳାଜଂଳି ଦେଇ ମାଫିଆମାନେ ଜମି ହଡପକରି ମାଲାମାଲ ହେବାକୁ ବସିଛନ୍ତି ବୋଲି ଗ୍ରାମର ବିରଜା ପ୍ରସାଦ ସାହୁ, ଶରତ ମହାପାତ୍ର, ମାନସ କୁମାର ସ୍ୱାଇଁ, ନିବାସ ସ୍ୱାଇଁ, ଘନଶ୍ୟାମ ସ୍ୱାଇଁ, ଛବିନ୍ଦ୍ର ବରାଳ, ସାଧୁ ଚରଣ ରାଉତରାୟ, ଗଦାଧର ରାଉତରାୟ, କାଳୁ ବରାଳ ପ୍ରମୁଖ ଅଭିଯୋଗ କରିଛନ୍ତି । ଯଦି ଏହାର କୈାଣସି ସମାଧାନ କରାନଯାଏ ତେବେ ଗ୍ରାମବାସୀମାନେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି  । ଏ ସମ୍ପର୍କରେ  ଛଣଘର ସରପଞ୍ଚ ସୁନିଲ କୁମାର ରାଉତରାୟଙ୍କୁ ପଚାରିବାରେ ସେ କୁହନ୍ତି, ଉକ୍ତ ଗ୍ରାମ ନିକଟସ୍ଥ ଗୋଜସାହି ଓ ଗୋପିନାଥପୁର ବାସୀଙ୍କ ଚାଷଜମି ଜାଗୁଳେଇ ପଦର ମୈାଜାରେ ରହିଛି । ସେମାନଙ୍କ ଚାଷୀଜମିକୁ  ଯିବାଲାଗି ଉକ୍ତ ଦୁଇଗ୍ରାମର ଲୋକମାନେ ମୋ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ନିକଟସ୍ଥ ରଙ୍ଗିଆନାଳ ବନ୍ଧରେ ଏକ ରାସ୍ତା ନିର୍ମାଣ କରାଯାଉଛି । ଅନ୍ୟପଟେ ଓଗରସୂଆଁ ଦଳିତସାହି ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ପଞ୍ଚୟତ ପକ୍ଷରୁ ରାସ୍ତା ନିର୍ମାଣ କରିବାକୁ ଯୋଜନା କରାଯାଉଛି ବୋଲି ସେ କହନ୍ତି । 


ଜଟଣୀରୁ ରଙ୍ଗନାଥ ବେହେରା, ୩୦/୫/୨୦୨୧---୮,୦୦ 

 Sakhigopal News, 30/5/2021


Blog Archive

Popular Posts