ବର ଓ ବରପିତାଙ୍କୁ ମାଡ ମାରି ଅଟକ ରଖିବା ଅଭିଯୋଗରେ ; ପୂର୍ବତନ ସମିତିସଭ୍ୟ ଗିରଫ
ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଯାଇଛି । ବର ଓ ବରପିତାଙ୍କ ସହ ବରଯାତ୍ରୀଙ୍କୁ ମାଡ ମାରିବା ସହ ଅଟକ ରଖିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ପୋଲିସ ଜେନାପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରତାପ ସ୍ୱାଇଁଙ୍କୁ ଗିରଫ କରି ୧୨୯/୧୯ରେ ଏକ କେସରୁଜ କରି କୋର୍ଟକୁ ପଠାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ପୁରୀ ଜିଲ୍ଲାର ବହ୍ମଗିରି ଥାନା ଅନ୍ତର୍ଗତ ପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ବାରିକଙ୍କ ପୁଅ ମିଥୁନ ବାରିକ ବାହା ହେବା ପାଇଁ ବରଯାତ୍ରୀଙ୍କ ସହ ଡେଲାଙ୍ଗ ଥାନା ଜେନାପୁର ଗ୍ରାମ ପଞ୍ଚାୟତର ତନ୍ତିସାହିର ସୋମନାଥ ବାରିକଙ୍କ ଘରକୁ ଯାଉଥିଲେ । ଗ୍ରାମ ଆରମ୍ଭରୁ ବରଯାତ୍ରୀ ପ୍ରସେସନ କରି ବାଣ, ବାଜା ବଜାଇ ଯାଉଥିବା ସମୟରେ ସେହି ସମୟରେ ଜେନାପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରତାପ ସ୍ୱାଇଁ ଘରକୁ ଫେରୁଥିଲେ । ରାସ୍ତାରୁ ହଟି ଯିବା ପାଇଁ ଶ୍ରୀ ସ୍ୱାଇଁ ବରଯାତ୍ରୀଙ୍କୁ ତାଗିଦ କରିଥିଲେ । ଏଥିରେ ବରଯାତ୍ରୀ ଦଳଙ୍କ ସହ ଶ୍ରୀ ସ୍ୱାଇଁଙ୍କର ଯୁକ୍ତିତର୍କ ହୋଉଥିବା ବେଳେ ଶ୍ରୀ ସ୍ୱାଇଁଙ୍କର ଗାଡିର ଡ୍ରାଇଭର ଗାଡିରୁ ଓହ୍ଳାଇ ବରଯାତ୍ରୀଙ୍କୁ ମାଡ ମାରିଥିଲା । ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ବର ଓ ବରରପିତାଙ୍କୁ ଶ୍ରୀ ସ୍ୱାଇଁ ଅଟକ ରଖିଥିଲେ । ଏଥିରେ ଶ୍ରୀ ସ୍ୱାଇଁଙ୍କର ରାଗ ବୁଝିନଥିଲା ଯେ ସେ ଓ ତାଙ୍କର ସମର୍ଥକଙ୍କ ବିଭିନ୍ନ ମାରଣାସ୍ତ ଧରି ତନ୍ତିସାହି ସୋମନାଥ ବାରିକଙ୍କ ଘରକୁ ଯାଇ ତୁରନ୍ତ ବାହାଘର ବନ୍ଦ କରାଇଥିଲେ । ଗ୍ରାମର ଭଦ୍ରବ୍ୟକ୍ତି ଓ ମହିଳା ମାନେ ଶ୍ରୀ ସ୍ୱାଇଁଙ୍କ ସହ ତାଙ୍କର ସମର୍ଥକଙ୍କୁ ବୁଝା ସୁଝା କରିବା ସହ ଗୋଡତଳେ ପଡିଥିଲେ ମଧ୍ୟ ସେମାନେ ସକାଳ ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖିଥିଲେ । ଏପରିକି ବରଯାତ୍ରୀ ଦଳଙ୍କୁ ଭୋଜି ଖାଇବାକୁ ଦେଇନଥିଲେ । କୌଣସି ସୁତ୍ରରୁ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଓ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବର ଓ କନ୍ୟାପକ୍ଷଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଘଟଣା ଡେଲାଙ୍ଗ ଅଞ୍ଚଳରେ ଆଲେଚନାର ବିସୟ ବସ୍ତୁ ହୋଇପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି