ନଅଦିନ ପରେ ପୋଡପିଠା ଖାଇ ନିଜ ମନ୍ଦିରକୁ ଫେରିଲେ ଠାକୁର ଅଜା
ସାକ୍ଷୀଗୋପାଳ ----ସାକ୍ଷୀଗୋପାଳରେ ଅଜା ଭାବରେ ପୂଜିତ ସିଦ୍ଧବଳରାମଙ୍କ ବାହୁଡାଯାତ୍ର ଶୁକ୍ରବାର ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପିନାଥଙ୍କ ଚନ୍ଦନ ମଣ୍ଡପରେ ନଅଦିନ ଅବସ୍ଥାନ ପରେ ଠାକୁର ଅଜା ସିଦ୍ଧ ବଳରାମ ଅପରାହ୍ନରେ ଚନ୍ଦନ ମଣ୍ଡପରୁ ବକୁଳବନ ସ୍ଥିତ ନିଜ ମନ୍ଦିରକୁ ରଥରେ ଫେରିଯାଇଛନ୍ତି । ଚନ୍ଦନ ମଣ୍ଡପରେ ନଅ ଦିନ ଧରି ଆଖପାଖ ଗ୍ରାମ ଗୁଡିକର ଲୋକେ ଶ୍ରଦ୍ଧାରେ ଅଜାଙ୍କ ନିକଟରେ ବାଳଭୋଗ ସହ ସଙ୍କୁଡି ଭୋଗ ଲଗାଇଥିଲେ । ପ୍ରତିଦିନ ଠାକୁରଙ୍କୁ ଘିଅ ଅନ୍ନ, ଖେଚୁଡି, କାନିକା, ଡାଲମା, ଖଟା, ମିଠାଡାଲି, ବେସର, ମହୁର, ସାଗ, ଖିରୀ, ପୁରୀ ଆଦି ନାନା ବ୍ୟଞ୍ଜନ ଅର୍ପଣ କରାଯାଉଥିଲା । ବାହୁଡା ଦିନ ଅପରାହ୍ନରେ ସେବାୟତ ଓ ମନ୍ଦିର ପ୍ରଶାସନଙ୍କ ପକ୍ଷରୁ ଚକାଛାଡ ଖେଚୁଡି ଠାକୁରଙ୍କ ପାଖରେ ଭୋଗ ଲାଗାଯିବା ପରେ ମଙ୍ଗଳାର୍ପଣ, ଆଳତୀ ପରେ ଛେରା ପହଁରା କରାଯାଇଥିଲା । ଠାକୁରଙ୍କୁ ଦେବରାଜ ପଣ୍ଡା , ବ୍ରଜରାଜ ପଣ୍ଡା ଓ ସନାତନ ପଣ୍ଡା ପ୍ରମୁଖ ସେବାୟତ ମାନେ ପହଣ୍ଡି କରି ଠାକୁରଙ୍କୁ ରଥ ଉପରକୁ ବିଜେ କରାଇଥିଲେ । ଛୋଟପିଲା ମାନେ ଅଜାଙ୍କ ରଥକୁ ଶ୍ରଦ୍ଧାର ସହକାରେ ଚନ୍ଦନ ମଣ୍ଡପରୁ ବକୁଳବନ ପର୍ଯ୍ୟନ୍ତ ଟାଣିଥିଲେ । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କୁ ଚୁଡାଘଷା ସହିତ ଫଳମୂଳ ଭୋଗ ଅର୍ପଣ କରାଯାଇଥିଲା । ପରମ୍ପରାକ୍ରମେ ରଥ ମାଉସୀ ମା ଘର ଭାବରେ ପ୍ରଚଳିତ ମହାସୁଆର ଦାସରଥି ଖୁଣ୍ଟିଆଙ୍କ ଘର ନିକଟରେ ଅଟକିଥିଲା । ମହାସୁଆର ଙ୍କ ଘରେ କୁଳବଧୁ ମାନେ ପ୍ରସ୍ତୁତ କରିଥିବା ପୋଡପିଠା ଭୋଗ ଠାକୁରଙ୍କୁ ଅର୍ପଣ କରିଥେôଲା । ସେବାୟତ ମାନେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିର କୁ ନିଆଯିବା ପରେ ଦେବ ନୀତି ଶେଷ କରି ମନ୍ଦିର ପହଡ ପଡିଥିଲା । ସେହିପରି ଢ଼ୋଲ, ରାୟ ଚକ୍ରଧରପୁର, ମୁଳଅଳସା ଓ ସାରଙ୍ଗଯୋଡିରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି