ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଠିକା ସଂସ୍ଥାର ମର୍ଜିରେ ଚାଲିଛି ରାସ୍ତା କାମ
ଜଟଣୀ-ତା -ସହରର ମୁଖ୍ୟ ରାସ୍ତାର ନବୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ଦୁଇ କିମି ବ୍ୟାପି ରାସ୍ତାକୁ ଚଉଡା କରିବା ଯୋଜନା କରାଯାଇଛି । ଇତି ମଧ୍ୟରେ ଅନେକ୍ ଦିନ ବିତିବାକୁ ବସିଥିବା ବେଳେ ଏହି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ପରବର୍ତ୍ତୀ ସମୟରେ ଏହାର ସ୍ଥାୟିତ୍ଵ ପ୍ରତି ପ୍ରଶ୍ନ ଉଠିଲାଣି l ଠିକା ସଂସ୍ଥା ମାଧ୍ୟମରେ ପୂର୍ତ୍ତ ବିଭାଗ ତତ୍ତ୍ଵାବଧାନରେ ଚାଲୁଥିବା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନଥିବା ବେଳେ ମୁଖ୍ୟ ରାସ୍ତା କଡ଼କୁ ଖୋଳି କ୍ରସର ଗୁଣ୍ଡ ପକାଇ ଦିଆଯିବା ଫଳରେ ପ୍ରବଳ ଧୂଳି ଗୁଣ୍ଡ ଉଡ଼ିବା ସହିତ ରାସ୍ତା ସଙ୍କୁଚିତ ହୋଇ ଯାତାୟତରେ ବାଧା ସୃଷ୍ଟି ହେଉଛି । ଯାହାଫଳରେ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧା ସମୂଖୀନ ହେବାର ଦେଖିବାକୁ ମିଳୁଛି l କିଛି ବର୍ଷ ପୂର୍ବରୁ ଯେପରି ହରି ଭାଇନା ଛକ ଠାରୁ ତଳ କ୍ଷେତା ରାସ୍ତାକୁ ଚାରି ଥାକିଆ କରାଯାଉଥିବା ବେଳେ ପ୍ରଶସ୍ତିକରଣର କୌଣସି ତାଳ ମେଳ ରହିନଥିବା ଦେଖିବାକୁ ମିଳିଥିଲା ସେହିପରି ଭାବେ ବର୍ତ୍ତମାନ ମୁଖ୍ୟ ରାସ୍ତାର ନିର୍ମାଣ ଅନୁରୂପ ଭାବେ ଚାଲିଛି ବୋଲି ଅନେକ ମତ ଦେଇଛନ୍ତି l ପୁରୁଣା ରାସ୍ତାର ଉଭୟ ପାର୍ଶ୍ୱରୁ ମାଟି ତଡାଯାଇ ନାମକୁ ମାତ୍ରକେ ଏକ ଫୁଟ ଖୋଳି ଏଥିରେ ନିମ୍ନ ମାନର କ୍ରସର୍ ଗୁଣ୍ଡରେ ସମତୁଲ କରାଯିବା ପରେ ତାଳିପକା ଭାବେ ଏହା ଉପରେ ପିଚୁ ପରସ୍ତ ଦିଆଯିବ ବୋଲି ଯାହା ଶୁଣାଯାଉଛି । ଯଦି ଏଭଳି ହୁଏ ତେବେ ଏହାର ସ୍ଥାୟିତ୍ଵ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଗୁରୁତ୍ୱପୂର୍ଣ୍ଣ ବିଷୟ କାମ ତଦାରଖ କରିବା ପାଇଁ ବିଭାଗୀୟ ଜେ.ଇ କିମ୍ବା ଅନ୍ୟ ଅଧିକାରୀ ରହୁନଥିବା ବେଳେ ତଳ ତଳିଆ କର୍ମଚାରୀ ମାନେ ଭଡା କାର୍ଯ୍ୟାଳୟରେ ବସି ସୁପରଭାଇଜର ଭାବେ କାମ ଦେଖୁଥିବା ଜଣାପଡିଛି l ଅନ୍ୟପକ୍ଷରେ ପୌର ପ୍ରଶାସନର ସ୍ଥାଣୁତା ପାଇଁ ଜବରଦଖଲ ହୋଇ ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ଥିବା ପୂର୍ତ୍ତବିଭାଗ ରାସ୍ତା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି l ସହରର ମୁଖ୍ଯ ରାସ୍ତା କାର୍ଯ୍ୟପ୍ରତି ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୩/୨୦୨୪----୯,୪୫ Sakhigopal News,13/3/2024