ପାତରଅନ୍ତର ନୀତିରେ ବେଆଇନ୍ ଜବର ଦଖଲ ଉଚ୍ଛେଦ ହୋଇଥିବା ଅଭିଯୋଗ
ଜଟଣୀ : -ଜଟଣୀ ପୌରାଞ୍ଚଳରେ ସରକାରି ଜମି ହଡ଼ପ କରିବା ହଡ଼ପକାରୀଙ୍କ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ସରକାରି ଜମିକୁ ସୁରକ୍ଷା ଦେବାରେ ଅସମର୍ଥ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି l ତେବେ କାଁଭାଁ କେଉଁଠି ଚାପ ଫଳରେ ତହସିଲ ପ୍ରଶାସନ ପକ୍ଷରୁ ଉଛେଦ ହେଉଥିଲେହେଁ ବାସ୍ତବରେ ଅନେକ୍ କ୍ଷେତ୍ରରେ ପାତରଅନ୍ତର କରାଯାଉଥିବା ଦୃଷ୍ଟି ଗୋଚର ହେଉଛି l ଏହିପରି ଭାବେ ବିଗତ ଦିନର ଏକ ଅଭିଯୋଗ କ୍ରମେ ରାମଚନ୍ଦ୍ରପୁର ମୌଜାରେ ଥିବା ପ୍ଳଟ ନଂ ୧୪୩ ଖାତା ନମ୍ବର ୨୮୫ ଥାଇ ବିଦ୍ୟୁତ କାର୍ଯ୍ୟାଳୟକୁ ଲାଗି ରହିଥିବା ବିଦ୍ୟୁତ ବିଭାଗର ସରକାରି ଜମିରେ ବିଦ୍ୟୁତ୍ ବିଭାଗୀୟ ଜନୈକ ଲାଇନମ୍ୟାନ ଦୀର୍ଘବର୍ଷ ଧରି ଉକ୍ତ ଜମିରେ ସ୍ଥାୟୀ ଘରଦ୍ଵାର କରି ବସବାସ କରୁଥିଲେ । ୨୦୧୩ ମସିହାରେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଥିଲା l ତେବେ ତହସିଲ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଥିବାରୁ ପରବର୍ତ୍ତୀ ସମୟରେ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଚିଠି ସଂଖ୍ୟା ୩୪୬ ଓ ୬୮୦୮ ରେ ଯଥାକ୍ରମେ ୨୦୧୩ ଏବଂ ୨୦୧୭ ମସିହାରେ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ତହସିଲ କାର୍ଯ୍ଯାଳୟକୁ ଅବଗତ କରାଯାଇଥିଲା l ହେଲେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧୃତରାଷ୍ଟ୍ରଙ୍କ ଭୂମିକା ଗ୍ରହଣ କରାଯିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଉପର ମହଲରେ ଚାପ ପ୍ରୟୋଗ କରାଯିବା ପରେ ଉକ୍ତ ଜମିରେ ସ୍ଥାୟୀ ଘରଦ୍ଵାର କରି ବସବାସ କରୁଥିବା ଲାଇନମ୍ୟାନଙ୍କ ଘରକୁ ତତ୍କାଳୀନ ତହସିଲଦାରଙ୍କ ଉପସ୍ଥିତିରେ ଭାଙ୍ଗି ଦିଆଯାଇଥିଲା l ତେବେ ଆଶ୍ଚର୍ଯ୍ୟର ବିଷୟ ସେହି ଘରକୁ ଲାଗି ଅନ୍ୟ ଜଣେ ସେହିପରି ଘରଦ୍ଵାର କରି ରହୁଥିଲେ ହେଁ ତହସିଲ ପ୍ରଶାସନର ନଜରକୁ କିପରି ଆସିଲା ନାହିଁ । ଉକ୍ତ ଘର ଭାଙ୍ଗିବା ପାଇଁ ଆଉ କିଛି ରହସ୍ୟ ରହିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିପ୍ରତି ଜିଲ୍ଲାପାଳ ଓ ତହସିଲଦାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୩/୨୦୨୪---୮,୪୫ Sakhigopal News,20/3/2024