Breaking News

ଦୋଳ ବେଦୀରେ ଦୋଳରେ ଝୁଲିବେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ


 ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥଙ୍କ  ଚଳନ୍ତି ପ୍ରତିମା ମଦନମୋହନ  ସୁସଜିତ ବିମାନରେ ବିଜେ କରି ଘଣ୍ଟ, ଘଣ୍ଟା କାହାଳି, ଛତ୍ରି, ତ୍ରାସ, ବୈରଖ,ମଶାଲ ବାଜା ବାଜି ରବିବାର ରାତିରେ ସୁଆରସାହିକୁ ଠାକୁର ବିଜେ କରିଥିଲେ । ଗ୍ରାମ କୋଠ ପକ୍ଷରୁ ନାଗା ବିରାଟ ସଲଟନ୍‌ରେ ଠାକୁରଙ୍କୁ ଗ୍ରାମକୁ ପାଛୋଟି ନିଆଯାଇଥିଲା । କିମ୍ବଦନ୍ତି ଅନୁସାର ସାକ୍ଷୀଗୋପିନାଥ ସୁଆରସାହି ବା ସେବକସାହିର ଜ୍ୱୋଇଁ ହୋଇଥିବାରୁ ବର୍ଷକୁ ଥରେ ସେ ଜୋଇଁ ଡାକାରା ହୋଇଥାନ୍ତି ।  ଯେହେତୁ ଯେହେତୁ ବଡପଣ୍ଡାଙ୍କ ଝିଅ ରାଧାକୁ ସେ ଭଲପାଇଥିଲେ । ଏହି ଉପଲକ୍ଷେ ସେବକସାହି ଗ୍ରାମରେ ଝିଅ ଜ୍ୱାଇଁ, ବନ୍ଧୁବାନ୍ଦବଙ୍କର ଭିଡ ଜମିଥିଲା । ଗ୍ରାମଦାଣ୍ଡ ସଫାସୁତରା କରାଯାଇ ରଙ୍ଗ ବେରଙ୍ଗ ଆଲେକ ମାଳାରେ ଗ୍ରାମ ଦାଣ୍ଡ ଚମକି ଉଠିଥିଲା । ପ୍ରତି ଦୁଆରରେ ମହାପ୍ରଭୁ ଦୁଆରି ଭୋଗ ଲାଗି କରାଯିବା ସହ ଉକ୍ତ ସେବକସାହିର ଝିଅ, କୂଳବଧୁ, ନାତି, ନାତୁଣି, ଜ୍ୱୋଇଁ ମାନେ ଠାକୁରଙ୍କୁ ଅଭିର ପକାଇ ଆଶିତ ଭିକ୍ଷାଲାଭ କରିଥିଲେ । ତାପରେ ମଣ୍ଡପରେ ପନ୍ତି ଭୋଗ କରାଯାଇଥିଲା । ସମସ୍ତଙ୍କ ଘର ଆଗରେ ପଞ୍ଚମୁରୁଜରେ ଝୋଟି ପଡିବା ସହ ଦୀପ ଓ ପୂର୍ଣ୍ଣକୁମ୍ଭ ବସିଥିଲା । ଠାକୁର ଆସିବା ଓ ଫେରିବା ସମୟରେ ପିଲାମାନେ ବାଣ ମାରିଥିଲେ । ପରେ ପରେ ଠାକୁର ଗୋପାଳପୁର ପାଟଣା ଓ ରଙ୍ଗଣୀସାହି ଗ୍ରାମରେ ପନ୍ତୀ ଭୋଗ ଖାଇ ଫେରିବା ବାଟରେ  ନିଯୋଗ ଘର ନିକଟରେ ଥିବା ଜାଗା ମହାବୀରି ନିକଟରେ ଓ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଗ ଖାଇଥିଲେ ।  ସୋମବାର ଦିନ ସକାଳେ ରଙ୍ଗଣୀ ସାହିରୁ ଠାକୁର ଫେରିବା ପରେ  ନୀତି ନିୟମ ଅନୁସାରେ ଠାକୁର ଦୋଳବେଦୀ ନିକଟରେ ଖୁଣ୍ଟି ଲାଗି ହୋଇଥିଲେ । ସେଠାରେ ପୂଜାପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ ମନ୍ଦିର ପୁରୋହିତ, ମନ୍ଦିର ପଣ୍ଡିତ ହୋମଯଜ୍ଞ କରିଥିଲେ । ପରେ ପରେ ଅହିଅର ( ମେଣ୍ଢା ପୋଡି ) ପର୍ବ ଅନୁଷ୍ଠିତ ହୋଇଥିଲା । ତା ପରେ ଠାକୁର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ଦୈନଦିନ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଦୋଳବୋଦୀକୁ ବିଜେ କରାଇଥିଲେ ।  ଭକ୍ତ ମାନଙ୍କୁ ମଦନମୋହନ ଦୋଳରେ ଦୋଳଗୋବିନ୍ଦ ଭାବରେ ଦର୍ଶନ ଦେଇ କରୁଣା ବାଣ୍ଟିଚାଲିଥିଲେ । ଭକ୍ତ ମାନେ ଠାକୁରଙ୍କୁ ଫୁଲ, ଫଗୁ, ଚଣା, ଖଇ, କୋରା ଓ ସାକର ଭୋଗ କରିଥିଲେ । ସଂଧ୍ୟାରେ ଠାକୁରଙ୍କ ଆଗରେ ନୂତନ ବର୍ଷର ପାଞ୍ଜି ପାଠ କରାଯାଇ ଠାକୁରଙ୍କ ଆଗରେ ଶୁଣାଯାଇଥିଲା । ବିଳମ୍ବିତ ରାତିରେ ଠାକୁର ମନ୍ଦିରକୁ ବିଜେ କରିଥିଲେ । ସାକ୍ଷୀଗୋପିନାଥଙ୍କ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ତତ୍ୱବଧାନରେ ଠାକୁରଙ୍କ ନୀତିକାନ୍ତ କରାଯାଇଥିବା ବେଳେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ପରିଚାଳନା କରିଥିଲେ ।  ସେହିପରି ସାକ୍ଷୀଗୋପାଳର ପୁର ପଲ୍ଲୀରେ  ଦୋଳଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦୋଳବେଦୀକୁ ସୁସଜିତ କରାଯାଇ ଦୋଳିରେ ଠାକୁର ଝୁଲିଥିଲେ । ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଫଗୁ ପକାଇଥିଲେ ।  ସେହିପରି  ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ଗୋପାଳ ପରିବାର ପକ୍ଷରୁ ନୀତି ନିୟମ ତଥା ପରମ୍ପରା ଅନୁଯାୟୀ ତିନିଦିନ ଧରି ଦୋଳପର୍ବ ପାଳନ କରିଥିଲେ । ଗାଈ ମାନଙ୍କୁ ଗାଧୁଆ ପାଧୁଆ କରିବା ସହ ମହିଳା ମାନେ ବନ୍ଦାପନା କରିଥିଲେ । ଗାଈ ମାନଙ୍କୁ  ପିଠାପଣା ସହିତ ବିଭିନ୍ନ ଫଳମୁଳ ପାଚିଲାକଦଳି ଓ ଖଇକୋରା ଭୋଗ କରି ଗାଈ ମାନଙ୍କୁ ଖାଇବାକୁ ଦେଇଥିଲେ । ଗୋପାଳ ମାନେ ଲେଉଡି ଖେଳ , ଗୋପାଳ ଉଗାଳ, ନୃତ୍ୟ ଗୀତ ମାନ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମ ମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୪---୬,୧୦ 

Popular Posts