ଉତ୍ସାହ ପରିବେଶ ମଧ୍ୟରେ ଚାଲିଛି ରଙ୍ଗ ବେପାର, ହର୍ବାଲ୍ ଅବିରର ରହିଛି ଚାହିଦା
ଜଟଣୀ : ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି, କରୋନା ମହାମାରୀ ସମୟରୁ ଏହି ପର୍ବ ପାଳନ ଉପରେ ସରକାରୀ କଟକଣା ଲାଗୁ ହୋଇଥିବା ବେଳେ ଜନସାଧାରଣ ମାନେ ରାସାୟନିକ ରଙ୍ଗ ଠାରୁ ଦୂରରେ ରହି ନିଜ ପରିବାର ଲୋକଙ୍କ ମଧ୍ୟରେ ହର୍ବାଲ୍ ହୋଲି ଖେଳିବା ପାଇଁ ଇଛୁକ ଥିବା ଜଣାପଡ଼ିଛି l ପିଲାଙ୍କ ଲାଗି ବନ୍ଧୁକ ପିଚକାରୀ, ମ୍ୟୁଜିକ ପିଚକାରୀ, ହର୍ବାଲ୍ ଅବିର, ମ୍ୟାଜିକ୍ କଲର ଆସିଛି ଯାହାର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପ୍ୟାକେଟ୍ ରହିଛି, ବିଭିନ୍ନ ରଙ୍ଗ ବେରଙ୍ଗର ମୁଖା ୩ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ରହିଛି ଓ ଅବିର ୫ ପ୍ୟାକେଟ୍ କୁ ୧୨୦-୧୪୦ ଟଙ୍କା ରହିଥିବା ଜଣାପଡ଼ିଛି l ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ପରିବେଶବିତ୍ ମାନେ ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି l ଏପରିକି ଛୋଟ ପିଲା, ଚର୍ମରୋଗରେ ଆକ୍ରାନ୍ତ ରୋଗୀ ମାନଙ୍କୁ ଆଲର୍ଜି ରୁ ରକ୍ଷା କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କମିଶନରେଟ ପୁଲିସର ମିଳିତ ଆନୁକୁଲ୍ୟରେ ଭୁବନେଶ୍ବର ଓ କମିଶନରେଟ ପୁଲିସ ଏରିଆରେ ଥିବା ସିଜିନ୍ ସେଣ୍ଟର ଓ ଅସ୍ଥାୟୀ ଭାବେ ଖୋଲିଥିବା ରଙ୍ଗ ଦୋକାନ ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି l ଏହି ମର୍ମରେ ଜଟଣୀ ସହରରେ ଥିବା ପ୍ରମୁଖ ସିଜିନ୍ ସେଣ୍ଟର ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଭାଗର ଡ ଆର୍ କେ ମିଶ୍ର ଓ ଜଟଣୀ ଥାନା ପୁଲିସ ପକ୍ଷରୁ ଅତର୍କିତ ଭାବେ ଯାଞ୍ଚ କରାଯାଇଥିଲା l ବଜାରରେ ଉପଲବ୍ଧ ଖାଲି ପାଣିରେ ଛାଡୁନଥିବା ବିଭିନ୍ନ ପ୍ରକାରର ରଙ୍ଗ ବିଶେଷକରି ବାର୍ନିସ୍, ମୁଣ୍ଡ ଫଟା ରଙ୍ଗ ଭଳି କିଛି ରଙ୍ଗରେ ଜିଙ୍କ୍, ପୋଟାସିୟମ ଓ ଆଲୁମିନିୟମ ପରି ମାରାତ୍ମକ ରାସାୟନିକ ମିଶୁଥିବାରୁ ସେଗୁଡ଼ିକ କେତେଯେ ମାରାତ୍ମକ ହୋଇପାରେ ସେ ବିଷୟରେ ଯାଞ୍ଚ ମାଧ୍ୟମରେ ଉଭୟ ବିଭାଗ ସଚେତନତା କରାଇଛନ୍ତି l ତେବେ ଦିନକୁ ଦିନ ସଚେତନ ନାଗରିକ ମାନେ ପ୍ରାକୃତିକ ରଙ୍ଗ ଖେଳ ଉପରେ ଗୁରୁତ୍ଵ ଦେଉଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଲୋକଙ୍କର ଚାହିଦାକୁ ଆଖିରେ ରଖି ହର୍ବାଲ୍ ରଙ୍ଗ ଉପରେ ଗୁରୁତ୍ଵ ଦେଉଥିବା ପ୍ରମୁଖ ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୩/୨୦୨୪----୮,୧୦ Sakhigopal News,24/3/2024