ଲୋକାପାଳ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
କଣାସ---- କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ICAR-CIWA), ଭୁବନେଶ୍ୱର ଏବଂ ବିଶ୍ୱ ଜୀଵନ ସେବା ସଂଘର ମିଳିତ ଆନୁକୂଲ୍ୟରେ କଣାସ ବ୍ଲକ ଅନ୍ତର୍ଗତ ଲୋକାପାଳ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗଡ଼ ସାନପୁଟ ଗ୍ରାମ ପଞ୍ଚାୟତର ଲୋକାପାଳ, ହଳଦିଆପଡା, ଢୋଲପାଟଣା, ଛୋଟିଯୋଡି, ଆଦି ଗ୍ରାମର ୧୫୦ଜଣ କୃଷିରତ ମହିଳା ଯୋଗଦାନ କରିଥିଲେ । କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡା. ସବିତା ମିଶ୍ର ମୋବାଇଲ ବାର୍ତ୍ତା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ଶୁଭକାମନା ଜଣାଇବା ସହିତ ମହିଳା ସଶକ୍ତି କରଣ ଦିଗରେ ଏହି ସଂସ୍ଥାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସ୍ଥାନର ଅନ୍ୟତମ ବୈଜ୍ଞାନିକ ଡା. ଦେବେନ୍ଦ୍ରନାଥ ଷଡ଼ଙ୍ଗୀ ମଧ୍ୟ ତାଙ୍କ ବାର୍ତ୍ତାରେ ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପାକଶାଳା ବଗିଚା, ଗୋପାଳନ, କୁକୁଡ଼ା ଓ ବତକ ପାଳନ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ବିଶ୍ୱ ଜୀବନ ସେବା ସଂଘର ସମ୍ପାଦକ ବୈଦ୍ୟନାଥ ବରାଳ ଏବଂ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ କୃପାସିନ୍ଧୁ ବିଶ୍ଵାଳ ଯୋଗ ଦେଇ ମହିଳା ମାନଙ୍କୁ ନିଜ ପରିବାରର ସ୍ୱାବଲମ୍ବନ ସହିତ ଦେଶର ବିକାଶ କ୍ଷେତ୍ରରେ ନିଜକୁ ସାମିଲ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ନାରୀ ଶିକ୍ଷା ଓ ସୁରକ୍ଷା କ୍ଷେତ୍ରରେ ନିଜକୁ ନିଜେ ପ୍ରସ୍ତୁତ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ମହିଳା ମାନଙ୍କ ପାଇଁ ବିଭିନ୍ନ ବେସରକାରୀ ଓ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ CIWA ଏବଂ ବିଭିନ୍ନ ସାମାଜିକ ସଂଘଠନ ସହିତ ସହ ବନ୍ଧିତ ହୋଇ କାର୍ଯ୍ୟ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ମହିଳା ଦିବସ ଅବସରରେ ଚାଷ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ତିନିଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ସମାଜସେବି ରବୀନ୍ଦ୍ରନାଥ ରାଉତରାୟଙ୍କ ମହିଳା ଦିବସ ଉପଲକ୍ଷେ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ଉପସ୍ଥାପନା କରାଯାଇଥିଲା । କୃଷି କାର୍ଯ୍ୟରେ ଶ୍ରମ ଲାଘବି କରଣ କୌଶଳରେ ନିର୍ମିତ ଓ ସହଜ ବ୍ୟବହାର ଉପଯୋଗୀ କୃଷି ସରଞ୍ଜାମ ପ୍ରଦାନ କରାଯାଇଥିଲା । ଅଗ୍ରଣୀ କୃଷକ ତଥା ସଂଗଠକ ରାଧାଶ୍ୟାମ ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଲ
କଣାସ ରୁ ଧୀରେନ୍ଦ୍ର ସେନାପତି,୯/୩/୨୦୨୧----୧୦,୦୦