Breaking News

ଦୋଳ ବୋଦୀରେ ଦୋଳରେ ଝୁଲିଲେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ


 ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥଙ୍କ ସମସ୍ତ ନିତିକାନ୍ତି ସରିବା ପରେ ଚଳନ୍ତି ପ୍ରତିମା ମଦନମୋହନ  ସୁସଜିତ ବିମାନରେ ବିଜେକରି ଘଣ୍ଟ, ଘଣ୍ଟା କାହାଳି, ଛତ୍ରି, ତ୍ରାସ, ବୈରଖ,ମଶାଲ ବାଜା ବାଜି ଶନିବାର ରାତିରେ ସେବକସାହି ଗ୍ରାମକୁ ଠାକୁର ବିଜେ କରିଥିଲେ । ଗ୍ରାମ କୋଠ ପକ୍ଷରୁ ବିରାଟ ସଲଟନ୍ ସହକାରେ ଠାକୁରଙ୍କୁ ଗ୍ରାମକୁ ପାଛୋଟି ନିଆଯାଇଥିଲା । ଏହି ଉପଲକ୍ଷେ ସେବକସାହି ଗ୍ରାମରେ ଝିଅ ଜ୍ୱାଇଁ, ବନ୍ଧୁବାନ୍ଦବଙ୍କର ଭିଡ ଜମିଥିଲା । ଗ୍ରାମଦାଣ୍ଡ ସଫାସୁତରା କରାଯାଇ ରଙ୍ଗ ବେରଙ୍ଗ ଆଲେକ ମାଳାରେ ଗ୍ରାମ ଦାଣ୍ଡ ଚମକି ଉଠିଥିଲା । ପ୍ରତି ଦୁଆରରେ ମହାପ୍ରଭୁ ଦୁଆରି ଭୋଗ ଲାଗି କରାଯାଇଥିଲା । ତାପରେ ମଣ୍ଡପରେ ପନ୍ତୀ ଭୋଗ କରାଯାଇଥିଲା । ସମସ୍ତଙ୍କ ଘର ଆଗରେ ପଞ୍ଚମୁରୁଜରେ ଝୋଟି ପଡିବା ସହ ଦୀପ ଓ ପୂର୍ଣ୍ଣକୁମ୍ଭ ବସିଥିଲା । ଠାକୁର ଆସିବା ଓ ଫେରିବା ସମୟରେ ପିଲାମାନେ ବାଣ ମାରିଥିଲେ । ପରେ ପରେ ଠାକୁର ଗୋପାଳପୁର ପାଟଣା ଓ ରଙ୍ଗଣୀସାହି ଗ୍ରାମରେ ପନ୍ତୀ ଭୋଗ ଖାଇ ଫେରିବା ବାଟରେ  ନିଯୋଗ ଘର ନିକଟରେ ଥିବା ଜାଗା ମହାବୀରି ନିକଟରେ ଓ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଗ ଖାଇଥିଲେ ।   ରଙ୍ଗଣୀ ସାହିରୁ ଠାକୁର ଫେରିବା ପରେ  ନୀତି ନିୟମ ଅନୁସାରେ ଠାକୁର ଦୋଳବେଦୀ ନିକଟରେ ଖୁଣ୍ଟି ଲାଗି ହୋଇଥିଲେ । ସେଠାରେ ପୂଜାପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ ମନ୍ଦିର ପୁରୋହିତ, ମନ୍ଦିର ପଣ୍ଡିତ ହୋମଯଜ୍ଞ କରିଥିଲେ । ପରେ ପରେ ଅହିଅର ( ମେଣ୍ଢା ପୋଡି ) ପର୍ବ ଅନୁଷ୍ଠିତ ହୋଇଥିଲା । ତା ପରେ ଠାକୁର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ଦୈନଦିନ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଦୋଳବୋଦୀକୁ ବିଜେ କରାଇଥିଲେ ।  ଭକ୍ତ ମାନଙ୍କୁ ମଦନମୋହନ ଦୋଳରେ ଦୋଳଗୋବିନ୍ଦ ଭାବରେ ଦର୍ଶନ ଦେଇ କରୁଣା ବାଣ୍ଟିଚାଲିଥିଲେ । ଭକ୍ତ ମାନେ ଠାକୁରଙ୍କୁ ଫୁଲ, ଫଗୁ, ଚଣା, ଖଇ, କୋରା ଓ ସାକର ଭୋଗ କରିଥିଲେ । ସଂଧ୍ୟାରେ ଠାକୁରଙ୍କ ଆଗରେ ନୂତନ ବର୍ଷର ପାଞ୍ଜି ପାଠ କରାଯାଇ ଠାକୁରଙ୍କୁ ଶୁଣାଇ ଦିଆଯାଇଥିଲା ।   ସେହିପରି ଗ୍ରାମଞ୍ଚଳରେ ମଧ୍ୟ ଦୋଳ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୩/୨୦୨୧----୪,୧୫

Blog Archive

Popular Posts