ଅଗ୍ନିକାଣ୍ଡରେ୧୦ ବଖରା ଭସ୍ମିଭୁତ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପୁରୁଷତମପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଚିତଳପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୫ଟି ପରିବାର ୧୦ ବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରବୀର ମହାପାତ୍ର,ଶ୍ରୀକାନ୍ତ ମହାପାତ୍ର,ରବିନ୍ଦ୍ର ମହାପାତ୍ର ,ବଳରାମ ମହାପାତ୍ର,ସୁଶାନ୍ତ ମହାପାତ୍ରଙ୍କ ୧୦ ବଖରା ଘର ପୋଡିଯାଇଛି । ଘରେଥିବା ଧାନ,ଚାଉଳ ସମେତ ସମସ୍ତ ଆସବାବ ପତ୍ର ଓ ବୈଦ୍ୟୁତିକ ସରଞ୍ଜାମ ପୋଡି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁ ଏହି ଅଗ୍ନକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଖବର ପାଇ ଡେଲାଙ୍ଗରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ଓ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ବିପନ୍ନ ପରିବାରକୁ ଜରୁରୀ କାଳିନ ପାଣ୍ଠିରୁ ୩୮ଶହ ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରିବା ସହିତ ୭ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିଲେ । ବିପନ୍ନ ପରିବାର ମାନଙ୍କୁ ସରକାରଙ୍କ ପକ୍କାଘର ଯୋଜନାରେ ୯୫ ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବା ପାଇଁ କହିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର ବିପନ୍ନଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୧---୯,୧୫