ଜାତୀୟ ରାଜପଥ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦିକା ଏବେ ପଦାକୁ ଆସିଛି; ରାଜପଥରେ ସୃଷ୍ଟି ହେଲା ଗାତ
ଅତାବିରା--- ସମ୍ବଲପୁର- ଲୁହୁରାଚଟି ଚାରି ଥାକିଆ ରାଜରାସ୍ତାର ବରଗଡରୁ ସମ୍ବଲପୁର ଯିବା ରାସ୍ତାରେ ଅତାବିରା ବ୍ଳକର ସରଣ୍ଡା ମନ୍ଦିର ଛକ ଠାରେ ଗାଡି ମଟର ଯିବା ସମୟରେ ଏକ ରାସ୍ତା ଦବି ଯାଇଛି । ଯାହାକି ସେଠାରେ ପ୍ରାୟ ୩ରୁ୪ ଫୁଟର ଏକ ଗାତ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଯାଉଥିବା ଗାଡି ଗୁଡିକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ବୋଲି ଜଣସାଧାରଣ କହନ୍ତି । ସୁଚନାଯୋଗ୍ୟ ଯେ ଏହି ରାସ୍ତା ନେଇଥିବା ଠିକାଦାର ଜଣଙ୍କ ସହିତ ବିଭାଗୀୟ ଅଧିକାରୀ ଓ ରାଜନୈିତିକ ନେତାଙ୍କ ମଧୁଚନ୍ଦିକା ଯୋଗୁ ଆଜି ଏ ରାସ୍ତାର ଅବସ୍ଥା ଏପରି ହୋଇଛି ବୋଲି ଲୋକମାନେ କହନ୍ତି । ଉକ୍ତ ରାସ୍ତା କାମ ଉପର ଚକ ଚକ ଭିତର ପମ୍ପା ବୋଲି ଜଣାପଡିଛି । ୨୦୧୪ ମସିହାରୁ ରାସ୍ତା କାମ ସାରିବା ପାଇଁ ଚୁକ୍ତିନାମା ରହିଥିବା ବେଳେ ଏବେ ରାସ୍ତା ଅଧାପନ୍ତିରିଆ ଭାବେ ପଡିଛି । ଅନ୍ୟ ପକ୍ଷେ ଉକ୍ତ ଠିକାଦାର ଏହି ରାସ୍ତାରୁ ଟୋଲଗେଟ ଦାୟତ୍ୱ ନେଇ ଗାଡି ଗୁଡିକରୁ ପଇସା ଆଦାୟ କରିବାରେ ବ୍ୟସ୍ତ ରହିଛି । ରାସ୍ତା କାମ ପ୍ରତି ନଜର ଦେଉନାହିଁ ବୋଲି ଲୋକମାନେ କହନ୍ତି । ସେହିପରି ରାଜ ରାସ୍ତା ଯିବା ସମୟରେ ରାସ୍ତା କରରେ ଥିବା ଲୋକଙ୍କ ପାଚେରୀ, ଘରଦ୍ୱାର, ଜମି, କରନାଲି ଭାଙ୍ଗି ଦେଲେ ସେ ସମୟରେ ପଇସା ଦେବ କହି ଏବେ ଲୋକମାନଙ୍କୁ ଠକୁଛି । ସେହିପରି ସବୁଠାରୁ ଅସୁବିଧା ରାଜରାସ୍ତାର ପାଣି ଖଲାସ ହେବା ପାଇଁ ଠିକାଦାର କୌଣସି ସୁ ବନ୍ଦୋବସ୍ଥ କରିନାହିଁ । ରାଜରାସ୍ତା ଯିବା ସମୟରେ ବହୁ ପୁରାତନ ଗଛ କାଟିକି ବିକ୍ରୟ କରିଦେଲେ । ମାତ୍ର ଆଜି ପର୍ଯ୍ୟନ୍ତ ରାସ୍ତା କରରେ ଗୋଟିଏ ଗଛ ଠିକାଦାର ବା ବିଭାଗ ପକ୍ଷରୁ ଲଗାଗଲାନାହିଁ । ଅନ୍ୟ ପକ୍ଷେ ବେନିୟମ ଡାଇଭର୍ଶନ ଓ ଅସପୁର୍ଣ୍ଣ ରାଜରାସ୍ତା ଯୋଗୁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବା ନଜର ରହିଛି । ଆଗକୁ ଆହୁରି ଅଧିକ ବର୍ଷା ହେବ ଏହି ରାସ୍ତାରେ ଅନେକ ଯାଗାରେ ଏହି ପରି ରାସ୍ତା ଦବିଯାଇ ଗର୍ତ୍ତ ସୃଷ୍ଟି ହେବା ସହ ଦୁର୍ଘଟଣା ମାନ ହେବ ବୋଲି ସ୍ଥାନୀୟ ଜନସାଧାରଣ ମାନେ କହୁଛନ୍ତି । ଦେଖାଯାଉ କେବେ ଏହି ସରକାରଙ୍କ ନଜର ପଡୁଛି । ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇବା ସହ ରାଜ ରାସ୍ତାକୁ ଜନସାଧାରଣ ଓହ୍ଳାଇବା ପାଇଁ ସଜବାଜ ହୋଉଥିବା ଜାଣିପାରି ବିଭାଗୀୟ ଅଧିକାରୀ ଓ କାମ ନେଇଥିବା ଠିକାଦାର ସଂସ୍ଥା ତୁରନ୍ତ ଗାଡି ପଠାଇ ଉକ୍ତ ରାସ୍ତାରେ ନାମକୁ ମାତ୍ର ତାଳିପକା କାମ କରିଛି । ଏହା ମଧ୍ୟ କେତେଦିନ ଯିବ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ