ଚୈତ୍ର ପୂର୍ଣ୍ଣିମାରେ ସଂକ୍ରିଡାର ପ୍ରସିଦ୍ଧ ମା ବିନ୍ଧ୍ୟବାସିନୀ ଯାତ୍ରା ଅନୁଷ୍ଠିତ
ବରଗଡ଼-- ଚୈତ୍ର ପୂର୍ଣ୍ଣିମା ଦିନ ବରଗଡ ଜିଲ୍ଲା ସଂକ୍ରିଡାର ପ୍ରସିଦ୍ଧ ମା ବିନ୍ଧ୍ୟବାସିନୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପ୍ରତିବର୍ଷ ଭଳି ମା ବିନ୍ଧ୍ୟବାସିନୀଙ୍କୁ ଦର୍ଶନ କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଚୈତ୍ର ପୂର୍ଣ୍ଣିମା ଦିନ ବଡି ଭୋରରୁ ବାଞ୍ଜିପାଲି ଝାଙ୍କର ଘରୁ ଛତର ଆସି ବିନ୍ଧ୍ୟବାସିନୀ ପିଠରେ ମା ପୂଜା ପାଇଥାନ୍ତି। ପ୍ରଥମେ ସାତ୍ତ୍ଵିକ ପୂଜା, ଏଥିରେ ନଡ଼ିଆ, ଫୁଲଫଳ, ଧୂପ ଦୀପ ଇତ୍ୟାଦି ଅର୍ପଣ କରାଯାଇଥାଏ। ପୂଜକ ଉଦିତ ବେହେରା, ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର, ଝଙ୍କାର ଉଦ୍ଧବ ଧରେଇ, ଧୃବରାଜ ପୁରୋହିତ, ଗଙ୍ଗାଧର ବେହେରା, ସୁବାଷ ପୁରୋହିତ, ପ୍ରଫୁଲ୍ଲ ପଣ୍ଡା, ସୁଜିତ ପୁରୋହିତ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇଥିଲେ। ପ୍ରଚଳିତ ପ୍ରଥା ଅନୁସାରେ ଝରାପାଲି ଗ୍ରାମ ର ଗହ୍ମାବୁକା କୁ ପ୍ରଥମେ ବଳି ଦିଆଯାଏ । ପରେ ମାନସିକ ଧାରି ମାନଙ୍କ ବୁକା, କୁକୁଡା ଇତ୍ୟାଦି ବଳି ଦିଆଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ମାନଙ୍କ ପାଇଁ ଦାତବ୍ୟ ଅନୁଷ୍ଠାନ ଲାୟନ୍ସ କ୍ଲବ, ଲିଓ କ୍ଲବ, କୋଶଳ ସେନା ପକ୍ଷରୁ ଥଣ୍ଡା ପାନୀୟ ଜଳ, ସରବତ ଓ ବିନ୍ଧ୍ୟବାସିନୀ ଟ୍ରଷ୍ଟ ପକ୍ଷରୁ ଅନ୍ନଭୋଗ ପ୍ରସାଦ ବଣ୍ଟନ କରାଯାଇଥିଲା। ପୋଲିସ ଓ ସ୍ଵେଚ୍ଛାସେବୀ ସଂଗଠନ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରିଥିଲେ । ସଂକ୍ରିଡା ଗ୍ରାମ ଠାରୁ ମା ବିନ୍ଧ୍ୟବାସିନୀ ପାହାଡ଼ ପର୍ଯ୍ୟନ୍ତ ଓ ଥପାପାଲି ଗ୍ରାମ ଠାରୁ ମା ବିନ୍ଧ୍ୟବାସିନୀ ପାହାଡ଼ ପର୍ଯ୍ୟନ୍ତ ରାସ୍ତା ସଂକୀର୍ଣ୍ଣ ଥିବାରୁ ରାସ୍ତା ଉପରେ ଘଣ୍ଟା, ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା । ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ରାସ୍ତା ମାନେ ଆହୁରି ଚଉଡା କରିବା ଆବଶ୍ୟକ ହୋଇପଡିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ନହେଲେ ଆଗାମୀ ଦିନରେ ବିଭିନ୍ନ ସମସ୍ୟା ହେବ ବୋଲି ଜନସାଧାରଣଙ୍କ ଚର୍ଚ୍ଚା ହୋଇଥିଲା। ସରକାରଙ୍କ ତରଫରୁ ଏହା ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇ ମଧ୍ୟ ଭଲ ରାସ୍ତା ତିଆରି ହୋଇପାରି ନାହିଁ । ସରକାରଙ୍କ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଜନସାଧାରଣଙ୍କ ଦାବି ହେଉଛି। ଏହି ସମୟରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସତ୍ୟଜିତ ପୁରୋହିତ, ଉଦୟ ପୁରୋହିତ,ଅରବିନ୍ଦ ସୁଆର, ପୂର୍ବତନ ସରପଞ୍ଚ ଶୁସାନ୍ତ କୁମାର ସାହୁ, ସୀତାରାମ ବିଶି,ଅକ୍ଷୟ ପୁରୋହିତ, ବିଦ୍ୟାଧର ମେଘ, କଳାକାହ୍ନୁ ମେଘ ପ୍ରମୁଖ ଉପସ୍ଥିତ ରହି ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୪/୨୦୨୩----୯,୪୫ Sakhigopal News,7/4/2023