ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ଚନ୍ଦନ ଯାତ୍ରା
Shri Radha Binod Bihari Dev's Chandan Yatra
ସାକ୍ଷୀଗୋପାଳ----- ପୁଣ୍ଯାତ୍ମା ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେହଙ୍କ ଚନ୍ଦନ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହେଉଛି । ସକାଳେ ଦ୍ୱାରଫିଟା ମଙ୍ଗଳ ଆଳତୀ ,ମଇଲମ, ଅବକାଶ, ସ୍ନାନ , ଚନ୍ଦନଲାଗି ,ତୁଳସୀ ଫୁଲରେ ବେଶ ହୋଇ ମହାପ୍ରଭୁଙ୍କ ରାଧାବଲ୍ଲଭ ଭୋଗ କରାଯାଉଛି । ଏହାପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସାହାଣମେଲା କରାଯାଇଛି । ଧୂପ ସରିବା ପରେ ଶ୍ରୀ ଜୀୟୁଙ୍କ ବିଜେ ପ୍ରତିମା ମଦନମୋହନ, ବୁଲା ବିହାରୀ, ରୁକ୍ମୁଣୀ, ଲକ୍ଷ୍ମିନାରାୟଣ ଓ ଶ୍ରୀ ଗଣେଶ ଚନ୍ଦନ ଖଟୁଲିକୁ ବିଜେ କରିଥିଲେ। ଚନ୍ଦନ କର୍ପୂର କେଶର ଜାଇଫଳରେ ପ୍ରସ୍ତୁତ ହୋଇ ରହିଥିବା ସୁବାସିତ ଜଳପୂର୍ଣ୍ଣ ଯମୁନା କୁଣ୍ଡକୁ ଠାକୁର ବିଜେ କରିଥିଲେ । ସନ୍ଧ୍ଯାରେ ଜଳକୁଣ୍ଡରୁ ଚନ୍ଦନ ଖଟୁଲିକୁ ଆସି ମହାପ୍ରଭୁ ପୀତବସନ ପରିଧାନ କରି ହାତରେ ବଂଶୀ, ରାଜ ଟୋପି, ଶିଂଘା, ଘୋଡେ ଖଡୁ, ଅଣ୍ଟାରେ ଚାପସରି, ଗଳାରେ ହାର, କାନରେ କୁଣ୍ଡଳ ଆଦି ଅଳଙ୍କାର ପରିଧାନ କରି ସର୍ବାଙ୍ଗ ଚନ୍ଦନ , ଫୁଲ ତୁଳସୀ ମାଳାରେ ଭୂଷିତ ହେବା ପରେ ପଣା ଭୋଗ କରାଯାଇଥିଲା । ଏହାପରେ ମହାପ୍ରଭୁ ସିଂହାସନ କୁ ବିଜେକରି ଥିଲେ । ସନ୍ଧ୍ଯା ଆଳତୀ ପରେ ଭାଗବତ, ଗୀତଗୋବିନ୍ଦ ଓ ରାସ ପୁରାଣ ପଣ୍ଡିତ ପାଠ କରିଥିଲେ । ଏହାପରେ ଖଇ କୋରା ଚୁଡାଘଷା ତାଳସଜ କଦଳୀ ପଇଡ ଆଦି ଫଳମୂଳ ଠାକୁର ଙ୍କୁ ଭୋଗ ଲାଗି କରାଯାଇ ଥିଲା। ପୂଜକ ବାସୁଦେବ ପଣ୍ଡା ଦେବ ନୀତି ସଂପାଦନ କରିଥିବା ବେଳେ ଶ୍ରୀରାମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହିପରି ଉତ୍କଳେ ଭଉଁରି ପର୍ଯ୍ୟନ୍ତ ଠାକୁର ଙ୍କ ଚନ୍ଦନ ନୀତି ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୫/୨୦୨୨-----୮,୫୫ Sakhigopal News