ସି.ପି.ଆଇ. ଅଞ୍ଚଳ ପରିଷଦ ବୈଠକ
CPI Regional Council meeting
ଭଞ୍ଜନଗର ----ଆଜି ମଧ୍ୟାହ୍ନରେ ସ୍ଥାନୀୟ ନାୟକ ଭବନ ଠାରେ ଜଗନ୍ନାଥ ପ୍ରସାଦ ଅଞ୍ଚଳ ପରିଷଦ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚଭୂତି ଶାଖା ସମ୍ପାଦକ ତଥା ସରପଞ୍ଚ ଶ୍ୟାମଘନ ସେଠୀ ସଭାପତିତ୍ଵ କରିଥିଲେ। ତାଙ୍କୁ ଆରମ୍ଭରେ ପାର୍ଟିର ଏକ ମାତ୍ର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଜାତୀୟ ତଥା ରାଜ୍ୟ ପରିଷଦ ବୈଠକରେ ଗୃହିତ ପ୍ରସ୍ତାବ ଗୁଡିକ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏଇ ମାସ ଶେଷସୁଦ୍ଧା ସଭ୍ୟପଦ ନବୀକରଣ କରି ସଭ୍ୟଚାନ୍ଦା ଜିଲ୍ଲାରେ ପଇଠ କରିବା ପାଇଁ ସେ ଅନୁରୋଧ ଜଣାଇଥିଲେ । ରାଜ୍ୟ ପରିଷଦ ସଭ୍ୟ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ସମବେତ ସାଥିମାନଙ୍କୁ ଉଦବୋଧନ ଦେଇ କହିଥିଲେ “ଘୁମୁସର ହେଉଛି ଲାଲମାଟି, ବିପ୍ଳବର ମାଟି” । ଲାଲସିଙ୍ଗି ଗ୍ରାମରେ ଗଞ୍ଜାମ ଜିଲା କମ୍ୟୁନିଷ୍ଟ ପାର୍ଟି ର ବୀଜବପନ ହୋଇଥିଲା ଓଡିଶାର ଲେନିନ ଗୋବିନ୍ଦ ପ୍ରଧାନ ଘୁମୁସରକୁ ଆସି ଭାଗଚାଷୀ ଆନ୍ଦୋଳନ , ବଞ୍ଜରଚାଷୀ ଆନ୍ଦୋଳନ କୁ ପ୍ରଜ୍ଵଳିତ କରିଥିଲେ । ଲାଲସିଙ୍ଗିର ଚାଷୀନେତା ମାଧବ ରାଉତ ଏହି ଆନ୍ଦୋଳନର ମୁଖ୍ୟପୁରୋଧା ଥିଲେ । କମ୍ରେଡ ହରି ପତି, ଅନ୍ତର୍ଯ୍ୟାମି ପ୍ରଧାନ, ଅନ୍ତର୍ଯ୍ୟାମି ଆଚାର୍ଯ୍ୟ, ରଙ୍ଗନାଥ ସାଠୁଆ, ଭୀମ ବିଶୋୟୀ, ସଦାନନ୍ଦ ପଣ୍ଡା ପ୍ରମୁଖ ସାଥିମାନେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ବର୍ତ୍ତମାନ ଯୁବପିଢି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ପୁଣି ଥରେ ଘୁମୁସର ମାଟିରେ ପାର୍ଟି ସଂଗଠନ ମଜବୁତ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ଭିତରେ ନିମନ୍ତ୍ରିତ ଶ୍ରମିକନେତା ହରିକୃଷ୍ଣ ସାହୁ, ଅଂଚଳ ସମ୍ପାଦକ ବିପ୍ରଚରଣ ନାୟକ, ସାଥି ସୁରେନ୍ଦ୍ର ପଟ୍ଟନାୟକ, ବିଦେଶୀ ନାୟକ, ମାଙ୍କୁ ନାୟକ, ଚାଷୀନେତା ମାଧବ ନାୟକ, ପବିତ୍ର ନାୟକ, ମହେନ୍ଦ୍ର ପାତ୍ର ପ୍ରମୁଖ ଶାଖା ସମ୍ପାଦକମାନେ ଆଲୋଚନାରେ ଭାଗ ନେଇଥିଲେ । ଚଳିତ ମାସ ଶେଷସୁଦ୍ଧା ସଭ୍ୟପଦ ନବୀକରଣ କରିବା ପାଇଁ ଓ ଜୁନ ମାସ ୧୫ ତାରିଖ ସୁଦ୍ଧା ଶାଖା ସମ୍ମିଳନୀ ଗୁଡିକ ଶେଷକରିବା ପାଇଁ ନିଷ୍ପତ୍ତି ଗୃହିତ ହୋଇଥିବା ଜଣାପଡିଛି । ଜୁନମାସ ଆରମ୍ଭରେ ୨୦୨୧ ସାଲର ଝଡିବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ସହାୟତା ଯୋଗାଇ ଦେବା ଦାବିରେ ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ତହସିଲ ଅଫିସ ଘେରାଉ କରିବାପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ପରିଶେଷରେ ସାଥୀ ମାଧବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୫/୨୦୨୨----୧୧,୨୦ Sakhigopal News,22/5/2022