ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମଦଙ୍କ ଜନ୍ମ ଉତ୍ସବ ପାଳିତ
ଜଟଣୀ---- ସରକାରଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଉତ୍ସବ ପ୍ରତି କଟାକଣାକୁ ମାନି ଜଟଣୀ ଅଞ୍ଚଳର ଜନସାଧାରଣମାନେ ମାନି ଚଳିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ମଙ୍ଗଳବାର ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମଦ ସଲ୍ଲଲାହିଓ ଅଲୈହିଓସଲ୍ଲମ୍ଙ୍କ ଜନ୍ମ ଦିବସ ତଥା ଇଦ-ମିଲାଦୁନ-ନବୀ ନିରାଡମ୍ବର ମଧ୍ୟରେ ପାଳିତ ହୋଇଛି । ଇସଲାମିକ କ୍ୟାଲେଣ୍ଡରର ରବ୍ୱିୱଲ୍ ଅୱଲର ୧୨ ତାରିଖରେ ହେଉଥିବା ଇଦ୍ ମିଲାଦୁନ ନବୀ ମଙ୍ଗଳବାର ପୁର୍ବାହ୍ନରେ ପାଳନ ହୋଇ ଯାଇଛି । ଜଟଣୀର ସୁନ୍ନୀ ସଂପ୍ରଦାୟଙ୍କ ପକ୍ଷରୁ ଏହି ଉତ୍ସବ ପାଳନ ହୋଇଥିଲା । ଜଟଣୀର ପ୍ରମୁଖ ମସଜିଦ ରେତଙ୍ଗକଲୋନୀ ସ୍ଥିତ ମସଜିଦ ହବିବି,ଜଟଣୀ ସହରର ଗଜପତିନଗର, ଉପରବଜାର, ରାଜା ବଜାର, କୁଦିଆରୀ ବଜାର ଇତ୍ୟାଦିରେ ରହିଥିବା ମସଜିଦଗୁଡିକରେ କୋଭିଡ ଗାଇଡି ଲାଇନି ମାନିବା ସହ ସାମାଜିକ ଦୁରତା ପାଳନକରି ହଜରତ ମହମ୍ମଦଙ୍କ ଉଦ୍ୟେଶ୍ୟରେ ପ୍ରାର୍ଥନା (ଦୂଆ)ର ଆୟୋଜନ ହୋଇଥିଲା । ଦେଶ, ରାଜ୍ୟ ଓ ନିଜ ଅଂଚଳର ମଙ୍ଗଳ ତଥା ମହାମାରୀ କରୋନାଭଳି ଭୟଙ୍କର ବିପଦ ମଣିଷ ସମାଜରୁ ଲୋପ ପାଇବାଲାଗି ଦୂଆର ଆୟୋଜନ ହୋଇଥିଲା । ମସଜିଦ ହବିବି ପକ୍ଷରୁ ସର୍ବତ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିବା ବେଳେ ଲୋକମାନଙ୍କୁ ବଜାର ମଧ୍ୟରେ ମାସ୍କ ବଂଟନ କରାଯାଇଥିଲା । ଶେଷରେ ସମସ୍ତଙ୍କ ପାଇଁ ଲଙ୍ଗର(ପ୍ରଶାଦ)ର ବ୍ୟବସ୍ଥା କରାଯାଇଥିଲା । ସେହିପରି ସ୍ଥାନୀୟ ବାଛରା ପାଟଣାରେ ଥିବା ମଦରସାତୁଲ ମଦିନା ପକ୍ଷରୁ ମହାପୁରୁଷ ମହମଦଙ୍କ ଉଦେଶ୍ୟରେ ଏକ ଦୂଆର ଆୟୋଜନ କରାଯାଇଥିଲା । ଗଜପତିନଗରରେ ସଂଧ୍ୟାରେ ଜଲସା’ର ଆୟୋଜନ ହୋଇଥିଲା । ଏଥିରେ ଇସଲାମ ଧର୍ମିୟ ମୈାଲବୀମାନେ ମହମ୍ମଦଙ୍କ ପୃଥୀବି ପୃଷ୍ଠକୁ ଆଗମନ ଏବଂ ବିଶେସତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ମିଲାଦୁନ ନବୀ ଉତ୍ସବ ଅବସରରେ ଆଜି ପ୍ରତ୍ୟେକ ସୁନ୍ନି ସଂପ୍ରଦାୟ ବ୍ୟକ୍ତିମାନଙ୍କ ଘରେ ସୁସ୍ୱାଦୁ ଖାଦ୍ୟ ଓ ନୂତନବସ୍ତ୍ରର ଆୟୋଜନ ମଧ୍ୟରେ ଏହି ଉତ୍ସବ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ସୁଚନା ଯେ, ଜଟଣୀ ଅଂଚଳରେ ପ୍ରତିବର୍ଷ ଏହି ମିଲାଦୁନ ନବୀ ଉତ୍ସବ ବଡ ଧୂମଧାମରେ ପାଳନ ହେଉଥିବା ବେଳେ ମହାମାରୀ କରୋନା ଆରମ୍ଭଠାରୁ ଏହାକୁ ନିରାଡମ୍ବର ମଧ୍ୟରେ ସିମିତ ଆୟୋଜନରେ ପାଳନ କରାଯାଉଥିବା କୁହାଯାଇଛି । ଏହି ଅବସରରେ ଭାଇଚାରାର ସହର ଜଟଣୀରେ ବିଭିନ୍ନ ସଂପ୍ରଦାୟ ପକ୍ଷରୁ ଆଜିର ଏହି ମହାନ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୦/୧୦/୨୦୨୧---୬,୨୦
Sakhigopal News, 20/10/2021