କୁମାରପୂର୍ଣ୍ଣମୀ ଅବସରରେ ରାମନାଟକ ପରିବେଷଣ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବସନ୍ତମାଳ ଗ୍ରାମ ହାଟ ପଡିଆ ଠାରେ କୁମାରପୂର୍ଣ୍ଣମୀ ଅବସରରେ ରାମନାଟକ ପରିବେଷଣ ଓ କଳାକାର ମାନଙ୍କୁ ସମ୍ମର୍ଦ୍ଦିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ପୁରାତନ ଲୋକକଳା, ରାମନାଟକ, ସଂକୀର୍ତ୍ତନ, ଧୁଡୁକି, ଦଣ୍ଡନୃତ୍ୟୁ, ଶବର ଶବରୁଣି, ଚଇତିଘୋଡା ନୃତ୍ୟୁ, ଲଉଡିଖେଳ, ପାଲା, ନାଟକ ଇତ୍ୟାଦି ଧିରେ ଧିରେ ଲୋପ ହେବାକୁ ବସିଲାଣି । କଟକର ନୁଆବଜାରର ପୋତାପୋଖରୀ ସମର୍ପଣ ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ । ପ୍ରତି ବର୍ଷ ଓଡିଶାର ବିଭିନ୍ନ କୋଣ ଅଣୁକୋଣକୁ ଯାଇ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରୁଛନ୍ତି । ଏହି ଅବସରରେ ସତ୍ୟବାଦୀର ବସନ୍ତମାଳ ଗ୍ରାମର ମା ପଦ୍ମାବତୀ ରାମନାଟକର କଳାକାର ରାଜ କିଶୋର ସାହୁ, ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନୀତ କରାଯାଇଥିଲା ।ଅନୁଷ୍ଠିତ ସଭାରେ ଗ୍ରାମର ସମାଜସେବୀ ଧୀରେନ୍ଦ୍ର ନାଥ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସମର୍ପଣ ଅନୁଷ୍ଠାନର ଉପଦେଷ୍ଠା ଅଭିରାମ ବେହେରା, ସଂଯୋଜକ କୃଷ୍ଣଚନ୍ଦ୍ର ସାହୁ, ସଦାନନ୍ଦ ସାହୁଙ୍କ ସହିତ ସଦସ୍ୟ ଦୁର୍ଗା ପ୍ରସାଦ ସାହୁ, ଉପେନ୍ଦ୍ର ବାରିକ, ସୁଦର୍ଶନ ସାହୁ, ଜୟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ରାମନାଟକ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୦/୨୦୨୧--୭,୨୦
Sakhigopal News, 21/10/2021