କାଠମାଫିଆ ସକ୍ରିୟ .. ବନବିଭାଗ ର ଚଢ଼ାଉ , ମୂଲ୍ୟବାନ ଶାଗୁଆନ୍ ଗଣ୍ଡି ଓ ପଟା ଜବତ, ଆସାମୀ ଫେରାର
ଭଞ୍ଜନଗର--- ଲକଡାଉନ କଟକଣା କୋହଳ ହେବା ପରେ ପରେ, ପୁଣି କାଠ ମାଫିଆ ମାନେ ସକ୍ରିୟ ହୋଇଛନ୍ତି । ଯାହା ଫଳରେ ଏବେ ପୁଣି ଉତ୍ତର ଘୁମୁସର ବନଖଣ୍ଡ ର ଗାଙ୍ଗପୁର ଫରେଷ୍ଟ ସେକସନ୍ ରେ ନିକଟସ୍ଥ ଜଙ୍ଗଲରୁ କାଠ ଚୋରି ପୁଣି ଆରମ୍ଭ ହୋଇଛି । ବିଭାଗୀୟ ଉଚ୍ଚାଧିକାରୀ ଙ୍କ ପାଖକୁ ଏକ ବିଶ୍ବସ୍ତ ସୂତ୍ରରେ ଖବର ପହଞ୍ଚିଲା ଯେ ଗାଙ୍ଗପୁର ଫରେଷ୍ଟ ସେକସନ୍ ଅନ୍ତର୍ଗତ ପାଲକଷଣ୍ଢା ଗାଁ ନିକଟରେ ଚୋରା ଶାଗୁଆନ କାଠ ମହଜୁଦ ରହିଛି । ବନବିଭାଗ ଟିମ୍ ସଂପୃକ୍ତ ସ୍ଥାନରେ ପହଞ୍ଚି କାହ୍ନୁ ମହାରଣା ନାମକ ଜଣେ ବ୍ୟକ୍ତି ଙ୍କ ଘର ନିକଟରେ ଚଢ଼ାଉ କରିଥିଲା । ସେଠାରୁ ୩ ଟି ଶାଗୁଆନ୍ ଗଣ୍ଡି ଓ ୧୦ ଟି ଶାଗୁଆନ ପଟା ଜବତ କରିଛି। ଚୋରା କାଠ ରଖିଥିବା ଆସାମୀ ଜଣକ ଫେରାର ହୋଇଯାଇଛନ୍ତି। ଏହି ଚଢାଉ ରେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା , ଗାଙ୍ଗପୁର ଫରେଷ୍ଟର ଭେଙ୍କଟ ଦୋରା , ଓ କୈଳାସ ନାୟକ ପ୍ରମୁଖ ରହିଥିଲେ । ତେବେ ଗାଙ୍ଗପୁର ଫରେଷ୍ଟ ସେକସନ୍ ଅଞ୍ଚଳରେ ଲଗାତାର ଭାବେ ବିଭିନ୍ନ ଜଙ୍ଗଲ ରୁ ମୂଲ୍ୟବାନ କାଠ ଚୋରି ହେବା , ସ୍ଥାନୀୟ ବନପାଳ ଓ କର୍ମଚାରୀ ଙ୍କ ପାଖରେ କୈାଣସି ସୂଚନା ନଥିବା ଜଣାପଡ଼ିଛି । ଚୋରା କାଠ ଧରାପଡୁଛି କିନ୍ତୁ ଆସାମୀ ଫେରାର ହୋଇଯାଉଛି । ତେବେ ଚଢ଼ାଉ ସମୟରେ , ବନବିଭାଗ ଆଖିରେ ଧୂଳିଦେଇ ଫେରାର ହୋଇଯାଇଥିବା, ଗାଙ୍ଗପୁର ଫରେଷ୍ଟ ସେକ୍ସନ ଅଞ୍ଚଳର ଜଣେ କାଠମାଫିଆ ,ନିଜ ନାମକୁ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି । ଆମର ଏଠି ସବୁ ଆପୋଷ ବୁଝାମଣାରେ ଚାଲିଛି । ଚଢ଼ାଉ ପୂର୍ବରୁ ଆମ ପାଖରେ ମଧ୍ୟ ସୂଚନା ପହଞ୍ଚି ଯାଉଛି । କାଠ ଧରାପଡୁଛି , ହେଲେ ତା'ପୂର୍ବରୁ ଆମେ ଖସିଯାଉଛୁ । ଯଦି ସଂପୃକ୍ତ କାଠ ମାଫିଆ ଙ୍କ କଥା ସତ , ତାହେଲେ ବିଭାଗୀୟ ଉଚ୍ଚ କତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାସହ , ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରୁରୀ ହୋଇପଡିଛି । ତା'ନହେଲେ ଆସନ୍ତା ଦିନରେ ,ଜଙ୍ଗଲ ବୋଲି ଲେଖାଥିବା କେବଳ ଫଳକ ହିଁ ଥିବ , କିନ୍ତୁ ସ୍ଥାନୀୟ ଜଙ୍ଗଲରେ ଆଉ ଗଛ ବା କାଠ ନଥିବ । ଏଣୁ ବେଳ ଥାଉ ଥାଉ ଆଗୁଆ ସଜାଗ ଜରୁରୀ ହୋଇପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୦/୨୦୨୧----୯,୫୦
Sakhigopal News,2/10/2021