ନୀଳାଚଳ କୃଷକ ମହାସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ସାକ୍ଷୀଗୋପାଳ ---- ନୀଳାଚଳ କୃଷକ ମହାସଂଘ ପକ୍ଷରୁ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ମା ସଙ୍କଟ ତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର ସାରଙ୍ଗଯୋଡି ପଞ୍ଚାୟତର ସଭାପତି ମୋହନ ଦୀକ୍ଷିତ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ନୀଳାଚଳ କୃଷକ ମହାସଂଘର ସ୍ଥାୟୀ ସଭାପତି ଗୋପିନାଥ ମିଶ୍ର ଯୋଗ ଦେଇ ଚାଷୀ ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଧଣା କାନ୍ଧୁଛନ୍ତି ବୋଲି କହିଥିଲେ । ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଧିକାଂଶ ଚାଷ ଜମି ଜଳସେଚନ ହୋଇ ପାରୁନାହିଁ, ସେହିପରି ପାଣି ନିଷ୍କାସନ ହୋଇ ପାରୁ ନାହିଁ । ଧାନ ମଣ୍ଡିରେ ଚାଷୀ ବିକ୍ରୟ କରିପାରୁନାହିଁ ଆଦି ସମ୍ପର୍କେ ମତ ପ୍ରକାଶ କରିଥିଲେ । ଅଭିଯୋଗ , ଆନ୍ଦୋଳନ, ଧାରଣା ଯାହା କିଛି କଲେ ମଧ୍ୟ ପୋଲିସ ଲଗାଇ ଆନ୍ଦୋଳନ ଭଣ୍ଡୁର କରିବା ଛଡା ଚାଷୀଙ୍କ ନ୍ୟାର୍ଯ୍ୟ ଦାବି ପୁରଣ କରିବାରେ ଅକ୍ଷମ ବୋଲି ଶ୍ରୀ ମିଶ୍ର କହିଥିଲେ । ବୈଠକ ଆରମ୍ଭରେ ଚାଷୀ ତଥା ସାଥୀ ଦିବଗଂତ କୃଷକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଫଗୁ ପରିଡା, ରାମଚନ୍ଦ୍ର ସ୍ୱାଇଁ, ଅଶ୍ୱନି ସାହୁ, କେଦାରଶ୍ୱର ପରିଡା, ଲିଙ୍ଗରାଜ ବର, ସୁଶୀଳ ସାହୁ, ବୁଧିନାଥ ମଲିକ, ଭାସ୍କର ନାୟକ , ରାଜ କିଶୋର ସାହୁ ପ୍ରମୁଖ ପଞ୍ଚାୟତ ସଭାପତି ଓ କୃଷକ ନେତା ମାନେ ଯୋଗଦେଇ ଚାଷୀ ମାନେ ଏକ ହେଲେ ଚାଷୀ ଓ ତା ପରିବାରର ଉନ୍ନତି ହୋଇ ପାରିବ ବୋଲି କୃଷକ ନେତା ମାନେ ନିଜସ୍ୱ ମତ ରଖିଥଲେ । ଏହି ଅବସରରେ ସତ୍ୟବାଦୀ ନୀଳାଚଳ କୃଷକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ସୁଶାନ୍ତ କୁମାର ଶତପଥିଙ୍କ ନାମ ଘୋଷଣା କରାଯାଇଥିଲା । ତାଙ୍କୁ ସ୍ଥାୟୀ ସଭାପତି ଶ୍ରୀ ମିଶ୍ର ଉପଢ଼ୌକନ ଦେଇ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କୃଷକ ନେତା ନିରଞ୍ଜନ ମହାପାତ୍ର । ଧନ୍ୟବାଦ ଦେଇଥିଲେ କୃଷକ ନେତା ଉଗ୍ରସେନ ବିଶ୍ୱାଳ ।
ଧୀରେନ୍ଦ୍ର ସେନାପତି, ୨୯/୮/୨୦୨୧---୯,୩୫ Sakhigopal News, 29/8/2021