Breaking News

ବରଗଡ ରାୟପୁର ନୂତନ ରେଳ ଲାଇନ ପାଇଁ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର


ସାକ୍ଷୀ ଗୋପାଳ ନିଉଜ୍ :-…ଆଜି ପରିବହନ ମନ୍ତ୍ରୀ  ପଦ୍ମନାଭ ବେହେରାଙ୍କୁ ରାୟପୁର ବରଗଡ ରେଳ ନିର୍ମାଣ ସଂଘର୍ଷ ସମିତିର ସଦସ୍ୟମାନେ ସାକ୍ଷାତକରି ଏକ ଦାବି ପତ୍ର ଦେଇଛନ୍ତି । ବରଗଡରୁ ରାୟପୁରକୁ ସୋହେଲା, ସରାଇପାଲି, ବସନା ଓ ପିଥୋଡା ଦେଇ ନୂତନ ରେଳପଥ ନିର୍ମାଣ ପାଇଁ ରାଜ୍ୟ ତରଫରୁ ଆନୁଷଙ୍ଗିକ କାର୍ଯ୍ୟ ସହ ରେଳ ମନ୍ତ୍ରାଳୟକୁ ସୁପାରିଶ କରିବାକୁ ଅନୁରୋଧ କରିଛନ୍ତି । ୧୮୪ କି.ମି. ଦୈର୍ଘ୍ୟ ପ୍ରସ୍ତାବିତ ଏହି ରେଳପଥ ଦ୍ୱାରା ପୁରୀ,ଭୁବନେଶ୍ୱର, ସମ୍ବଲପୁରରୁ ରାୟପୁର,ମୁମ୍ବାଇ,ଅହମଦାବାଦର ଦୂରତ୍ୱ ପ୍ରାୟ ୧୫୦ କି.ମି. ହ୍ରାସ ହେବ। ଦ୍ୱିତୀୟତଃ, ରେଳ ବ୍ୟବଧାନକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ମୁଖ୍ୟ ବ୍ୟବସାୟିକ ସହରଗୁଡିକ ଏ ଅଞ୍ଚଳର ସର୍ବବୃହତ ବାଣିଜ୍ୟିକ ନଗର ରାୟପୁରରୁ ସଡକପଥରେ ମାଲ ପରିବହନ କରୁଛନ୍ତି। ଏହି ପ୍ରସ୍ତାବିତ ରେଳପଥ ଦ୍ୱାରା ବ୍ୟବସାୟୀମାନେ ଉପକୃତ ହୋଇପାରିବେ । ବରଗଡ, ସମ୍ବଲପୁର ଓ ବଲାଙ୍ଗିରର ବ୍ୟବସାୟ ବହୁଗୁଣିତ ହୋଇପାରିବ। ତୃତୀୟତଃ, ପଶ୍ଚିମ ଓଡିଶାବାସୀଙ୍କ ପୂର୍ବ ଛତିଶଗଡ ସହ ପାରିବାରିକ ଓ ବୈବାହିକ ସମ୍ପର୍କର ନିବିଡତା ଦୃଷ୍ଟିରୁ ଏହି ରେଳପଥର ବହୁତ ଗୁରୁତ୍ୱ ରହିଛି। ତେଣୁ, ଏହି ସମସ୍ତ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କରି ଏହି ରେଳପଥର ନିର୍ମାଣ ପାଇଁ ରେଳ ମନ୍ତ୍ରାଳୟକୁ ଏହାର ଏକ ସର୍ଭେ କରାଇବା ପାଇଁ ଦାବି କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସବୁକଥା ଧ୍ୟାନପୂର୍ବକ ଶୁଣି ଏହି ପ୍ରକଳ୍ପ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରି ନିଷ୍ପତ୍ତି ନେଇ କେନ୍ଦ୍ରକୁ ଦାବି ପଠାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ପୁନଶ୍ଚ, ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ବରଗଡ-ନୂଆପଡା ରେଳପଥ ଏବେ ସବୁଜ ସଙ୍କେତ ପାଇବାର ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ସଂସଦରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଓଡିଶାର ବିଜେଡି ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବରଗଡ-ନୂଆପଡା ରେଳପଥ ପାଇଁ ରାଜ୍ୟସରକାରଙ୍କୁ ମାଗଣା ଜମି ଓ ବିସ୍ଥାପନ ବ୍ୟୟ ବହନ କରିବାକୁ ପତ୍ର ଲେଖାଯାଇଛି; କିନ୍ତୁ ଉତ୍ତର ଏ ଯାଏ ଆସିନାହିଁ। ତେଣୁ, ପରିବହନ ମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରିବା ସହ ଶୀଘ୍ର ଏହାର ଉତ୍ତର ରାଜ୍ୟ ସରକାରଙ୍କ ତରଫରୁ ପଠାଯିବାକୁ ଅନୁରୋଧ କରାଯାଇଥିଲା। ଏହି ପତ୍ର ରେଳ ମନ୍ତ୍ରାଳୟ ପାଇବା ପରେ ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳଲାଇନର ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇପାରିବ। ପରିବହନ ମନ୍ତ୍ରୀ ଶୀଘ୍ର ଏହା ଉପରେ କାର୍ଯ୍ୟ କରାଯିବ ବୋଲି କହିଥିଲେ।
ଆଜିର ଏହି ସାକ୍ଷାତ ଆଲୋଚନା ପାଇଁ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ନିଜେ ପ୍ରୟାସ କରି ଓ ଆଲୋଚନାରେ ଭାଗନେଇ ମନ୍ତ୍ରୀଙ୍କୁ ବୁଝାଇବାରେ ସାହାଯ୍ୟ କରିଥିଲେ। ରାୟପୁର ବରଗଡ ରେଳ ନିର୍ମାଣ ସଂଘର୍ଷ ସମିତି ତରଫରୁ ବରଗଡର କମଳ ଯୋଷୀ, ଅଭିଜିତ ପ୍ରତିହାର, ନିର୍ମଳ କର ଓ ତୁଳସୀ ଦାଶ, ସୋହେଲାର ଗିରିଜେଶ ଖାଡଙ୍ଗା ଓ ସତ୍ୟ ପ୍ରଧାନ ତଥା ସରାଇପାଲିର ଅମର ବଗା, ଦିଲୀପ ଗୁପ୍ତା ଓ ତିଲକରାମ ସାହୁ ଅଂଶଗ୍ରହଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୪/୪/୨୦୨୧-----୮,୫୦

Blog Archive

Popular Posts