୫୭ ପଜିଟିଭ ପରେ ମଧ୍ୟ ହେଜୁନି ରେଳବିଭାଗ, ବିନା ସୁରକ୍ଷାରେ କାର୍ଯ୍ୟକରୁଛନ୍ତି ରେଳକର୍ମଚାରୀ
ଜଟଣୀ---- ମହାମାରୀ କରୋନାର ଦ୍ୱିତୀୟ ଲହର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଖୋର୍ଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିିଛି । ମଙ୍ଗଳବାର ୧୦୯୨ରେ ପହଁଚିଲାଣି । ଜଟଣୀ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦ୍ୱିତୀୟ ଲହରରେ କରୋନା ପଜିଟିଭଙ୍କ ସଂଖ୍ୟା ଶହେ ମଧ୍ୟରେ ସିମିତ ରହିଥିବା ବେଳେ ଖୋର୍ଦ୍ଧାରୋଡ ରେଳଷ୍ଟେସନ ପରିସରରେ ୫୭ଜଣ ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ସବୁଠାରୁ ବିଡମ୍ବନାର ବିଷୟ ରେଳ କର୍ମଚାରୀମାନେ ବିନା ସୁରକ୍ଷାରେ କାର୍ଯ୍ୟାଳୟରେ କାମ କରୁଥିବା ଦେଖିବାକୁ ମିଳିଛି । ୨୦୨୦ମସିହା ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣରେ ଖୋର୍ଦ୍ଧାରୋଡ ରେଳପଥ ୪୩ହଜାର ଓଡିଆ ପ୍ରବାସୀମାନଙ୍କୁ ଟ୍ରେନ ମାଧ୍ୟମରେ ଆଣି ସେମାନଙ୍କ ଘରେ ପହଞ୍ଚାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ସହଯୋଗ ଅତୁଳନୀୟ ହୋଇଥିଲା । ହେଲେ ଗତ କରୋନା ମହାମାରୀ ସମୟରେ ରେଳବିଭାଗ କର୍ମଚାରୀମାନଙ୍କ ସୁରକ୍ଷାଲାଗି କୈାଣସି ସୁରକ୍ଷା ଯୋଗାଇ ଦେଇନଥିବା ବେଳେ ବର୍ତମାନ ସ୍ଥିତି ମଧ୍ୟ ପୁର୍ବପରି ରହିଛି । ଫଳରେ କର୍ମଚାରୀମାନେ ଭୟଭିତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସୁଛନ୍ତି । ସେମାନଙ୍କ ଚାକିରୀର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁହଁ ଖୋଲୁନଥିବା ଜଣାପଡିଛି । କାରଣ ସମସ୍ତ କାର୍ଯ୍ୟାଳୟରେ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ ରେଳବିଭାଗ ପକ୍ଷରୁ କୈାଣସି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଉ ନାହିଁ । ଗତ ୨୪ ଘଣ୍ଟ।। ମଧ୍ୟରେ କରୋନାର ଦ୍ୱିତୀୟ ଲହରରେ ଆକ୍ରାନ୍ତ ଖୋର୍ଦ୍ଧାରୋଡ ରେଳପଥ ବିଭାଗର ଇଜିଂନୀୟରିଂ ବିଭାଗର ୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ମେକାନିକାଲରେ ୭ଜଣ, କମର୍ସିଆଲରେ ୧୩ଜଣ,ଅପରେଟିଂରେ ୯ଜଣ, ଇଲେକ୍ଟ୍ରିକାଲରେ ୧୧ଜଣ, ସିଗନାଲ ଡିପାର୍ଟମେଣ୍ଟରେ ୧୧ଜଣ, ଆକାଉଣ୍ଟସରେ ଜଣେ,ଅବସରପ୍ରାପ୍ତ କର୍ମଚାରୀ ଜଣେ ଏବଂ ସ୍ୱାସ୍ଥ୍ୟବିଭାଗରୁ ଜଣେ ଲେଖାଁଏ ଆକ୍ରାନ୍ତ ହୋଇଥିବା ବେସରକାରୀ ଭାବେ ଜଣାପଡିଛି । ଏହି କ୍ରମରେ ମୋଟ ୫୭ଜଣ କର୍ମଚାରୀ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ରେଳପଥ ବିଭାଗ ହେଜୁନଥିବା ରେଳ କର୍ମଚାରୀଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେଣୁ ରେଳକର୍ମଚାରୀମାନେ ଚିନ୍ତା ବଢେଇ ଦେଇଛନ୍ତି ବୋଲିଜଟଣୀରେ ବେଶ ଆଲେଚନା ହେଉଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୨୭/୪/୨୦୨୧---୯,୧୫