ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବଳପୂର୍ବକ ଆଦାୟ କରାଯାଉଥିବା ହୋଲଡିଂ ଟ୍ୟାକ୍ସ ବେଆଇନ ; କଂଗ୍ରେସ
ଭୁବନେଶ୍ୱର - ଭୁବନେଶ୍ୱର ମହାନଗର ନିଗମ ଏବେ ଭୁବନେଶ୍ୱର ସହରାଞ୍ଚଳରେ ବସବାସ କରୁଥିବା ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହା ସଂପୂର୍ଣ୍ଣଭାବେ ବେଆଇନ ବୋଲି କହିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ।ମହାନଗର ନିଗମ ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସ୍ପାଲ ଆଇନ -୨୦୦୩ର ବିଭିନ୍ନ ନିୟମାବଳିକୁ ଉଲଙ୍ଘନ କରୁଛି । ମୁଷ୍ଟିମେୟ ଅଣଓଡ଼ିଆ ବାବୁ ମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଯୋଗୁଁ ଆଜି ଏପରି ଏକ ବିବାବଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ । ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସର ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି । ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀ ବାବୁ ମାନଙ୍କର ବେପାରୁଆ ମନୋଭାବ ଏବଂ ଆଇନକୁ କଣଠେସା । ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଂଡି ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀମାନେ ସହରାଂଚଳରେ ଆଲୁଅ ,ଅଳିଆ ଆର୍ବଜନା ପରିସ୍କାର ,ନାଳ ନର୍ଦ୍ଦମା ସଫା ଓ ରାସ୍ତାଘାଟକୁ ପରିସ୍କାର ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି । ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି । ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାର୍ଯେସ, ଫାଇନ ଫି କରିଥାନ୍ତି । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଞ୍ଚଳରେ ଜମିର ବେଞ୍ଚମାର୍କ ଦାମରେ ଟ୍ୟାକ୍ସ ଆଦାୟ କରୁଛନ୍ତି ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୭/୩/୨୦୨୧----୭,୩୦